କାଲିମେଳା ଦଲମର ୨ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ସୀମାନ୍ତ ଆନ୍ଧ୍ର ପ୍ରଦେଶର ଇଷ୍ଟ ଗୋଦାବରୀ ପୁଲିସ ନିକଟରେ ମାଲକାନଗିରି ଜିଲ୍ଲା କାଲିମେଳା ଦଲମର ଦୁଇ ଦୁର୍ଦାନ୍ତ ମହିଳା ମାଓବାଦୀ ଶାନ୍ତି ସୋଡି ଓରଫ ରଶ୍ମିତା (୨୫) ଏବଂ ସୋଡି ଲାକେ ଅରଫ ଉର୍ମିଲା (୩୦) ଆତ୍ମସମର୍ପଣ କରିଛନ୍ତି। ଆନ୍ଧ୍ର-ଓଡ଼ିଶା ଜୋନଲ କମିଟି ଅଧୀନରେ ରହିଥିବା କାଲିମେଳା ଦଲମର ଏହି ଦୁଇ ସଦସ୍ୟା ମାଲକାନଗିରି ପୁଲିସ ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ। ଶାନ୍ତିର ଘର କାଲିମେଳା ବ୍ଲକ ଅନ୍ତର୍ଗତ ଚେରକୁଗୁଡା ଗ୍ରାମରେ ହୋଇଥିବା ବେଳେ ଲାକେ ସୋଡିର ଘର ସୁଧାକୋଣ୍ଡା ଗ୍ରାମରେ। ଦୁହେଁ ଗତ ୧୦ ବର୍ଷରୁ ଊର୍ଧ୍ୱ ସମୟ ଧରି ମାଓ ସଂଗଠନରେ ସାମିଲ ହୋଇଥିବା ସୂଚନା ମିଳିଛି। ଶାନ୍ତି ସୋଡି ଏରିଆ କମିଟି ମେମ୍ବର ରହିଥିବା ବେଳେ ଲାକେ ସୋଡି ଦଲମ ସଦସ୍ୟା ରୂପେ କାମ କରୁଥିଲେ। ଓଡ଼ଶା ପୁଲିସ ଏହି ଦୁଇ ମାଓବାଦୀ ନାମରେ ୩ ଲକ୍ଷ ଟଂକା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ। ଇଷ୍ଟ ଗୋଦାବରୀ ଜିଲ୍ଲା ଏସପି ଭିଶାଲ ଗୁନ୍ନିଙ୍କ କହିବା ଅନୁଯାୟୀ ଦୁହେଁ ୨୦୦୭ ମସିହାରେ ରାଜୁଲକୋଣ୍ଡାରେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ କି ଜଣେ ଏସଓଜି ଯବାନଙ୍କ ମୃତ୍ୟୁ ହୋଇଥିଲା। ଲାକେ ସୋଡି ମଧ୍ୟ ବହୁ ଠିକାଦାରଙ୍କୁ ହତ୍ୟା କରିବା ଏବଂ ବହୁ ଗାଡ଼ିରେ ନିଆଁ ଲଗାଇ ପୋଡି ଦେବା ଘଟଣାରେ ସାମିଲ ଥିଲା। ସେହିପରି ୨୦୦୮ ମସିହାରେ ମାଲକାନଗିରିରେ ଆଣ୍ଟି ଲ୍ୟାଣ୍ଡମାଇନ ଗାଡିକୁ ଉଡାଇବାରେ ସାମିଲ ଥିଲେ। ବନ୍ଧୁକ ସହ ଦୁଇ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର