ଉଦ୍ୟାନ କୃଷିର କରୁଣ ଚେହେରା : ରାଜ୍ୟରେ ପନିପରିବା, ଫୁଲ ଚାଷ କମୁଛି

ଭୁବନେଶ୍ୱର : ପିଆଜ ମଞ୍ଜିରୁ ଗଜା ହେଉନି। ଆଳୁ ଓ ପିଆଜ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇ ପାରୁ ନଥିବାବେଳେ ପନିପରିବା ଓ ଫୁଲ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ନ ବଢ଼ିବା ଚିନ୍ତାର କାରଣ ପାଲଟିଛି। ଗତ ୭ ବର୍ଷ ତଳେ ରାଜ୍ୟରେ ଯେଉଁ ହାରରେ ଫୁଲ ଓ ପନିପରିବା ଉତ୍ପାଦନ ହେଉଥିଲା ଆଜିର ଦିନରେ ତା’ଠୁ ଢେର କମ୍‌ ଉତ୍ପାଦନ ହେବା ଖବର ଉଦ୍ୟାନ କୃଷି ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ଉଠାଇଛି। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ତଥ୍ୟ ଅନୁସାରେ, ୨୦୦୯-୧୦ ବର୍ଷରେ ରାଜ୍ୟରେ ୬୯୪୧୮୮ ହେକ୍ଟର ଅଞ୍ଚଳରେ ପନିପରିବା ଚାଷ ହୋଇଥିବାବେଳେ ୨୦୧୭-୧୮ ବର୍ଷରେ ଏହା ଶତକଡ଼ା ୪.୨୩ ପ୍ରତିଶତ ହ୍ରାସ ପାଇ ୬୬୪୪୩୭ ହେକ୍ଟର ଜମିରେ ଚାଷ ହୋଇଛି। ସେହିଭଳି ରାଜ୍ୟରେ ୨୦୦୯-୧୦ ବର୍ଷରେ ୭୧୧୧ ହେକ୍ଟର ଜମିରେ ଫୁଲ ଚାଷ ହେଉଥିବାବେଳେ ୨୦୧୭-୧୮ ବର୍ଷରେ ୬୬୧୨ ହେକ୍ଟର ଜମିରେ ଚାଷ ହୋଇଛି। ରାଜ୍ୟରେ ଜାତୀୟ ଉଦ୍ୟାନ କୃଷି ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ରାଜ୍ୟ ଯୋଜନା, ଏମ୍‌ଜିଏନ୍‌ଆରଜିଏସ୍‌ ଭଳି ଯୋଜନା କାର୍ଯ୍ୟ କରୁଥିଲେ ମଧ୍ୟ ପନିପରିବା ଓ ଫୁଲ ଚାଷରେ ଓଡ଼ିଶାର ବିକାଶ ପଛକୁ ପଛକୁ ଯାଉଛି।

ରାଜ୍ୟ ଉଦ୍ୟାନ ନିର୍ଦ୍ଦେଶାଳୟର ତଥ୍ୟ ଅନୁସାରେ, ୨୦୦୯-୧୦ ବର୍ଷରେ ରାଜ୍ୟରେ ୬୯୪୧୮୮ ହେକ୍ଟର ଅଞ୍ଚଳରେ ପନିପରିବା ଚାଷ ହୋଇଥିବାବେଳେ ୭୧୧୧ ହେକ୍ଟର ଜମିରେ ଫୁଲ ଚାଷ ହୋଇଥିଲା। ୨୦୧୦-୧୧ ବର୍ଷରେ ରାଜ୍ୟରେ ୬୯୮୬୩୧ ହେକ୍ଟର ଜମିରେ ପନିପରିବା ଏବଂ ୭୩୨୧ ହେକ୍ଟର ଜମିରେ ଫୁଲ ଚାଷ ହୋଇଥିଲା। ୨୦୧୧-୧୨ ବର୍ଷରେ ୬୯୦୦୭୧ ହେକ୍ଟର ଜମିରେ ପନିପରିବା ଏବଂ ୭୫୪୩ ହେକ୍ଟର ଜମିରେ ଫୁଲ, ୨୦୧୨-୧୩ ବର୍ଷରେ ୬୮୮୧୪୭ ହେକ୍ଟର ଜମିରେ ପନିପରିବା, ୭୫୨୬ ହେକ୍ଟର ଜମିରେ ଫୁଲ, ୨୦୧୩-୧୪ ବର୍ଷରେ ୬୭୭୩୩୧ ହେକ୍ଟର ଜମିରେ ପନିପରିବା, ୭୪୩୪ ହେକ୍ଟର ଜମିରେ ଫୁଲ, ୨୦୧୪-୧୫ ବର୍ଷରେ ୬୮୧୩୩୬ ହେକ୍ଟର ଜମିରେ ପନିପରିବା, ୭୫୦୧ ହେକ୍ଟର ଜମିରେ ଫୁଲ, ୨୦୧୫-୧୬ ବର୍ଷରେ ୬୬୩୮୬୦ ହେକ୍ଟର ଜମିରେ ପନିପରିବା, ୬୫୫୮ ହେକ୍ଟର ଜମିରେ ଫୁଲ, ୨୦୧୬-୧୭ ବର୍ଷରେ ୬୬୪୦୮୭ ହେକ୍ଟର ଜମିରେ ପନିପରିବା, ୬୫୬୭ ହେକ୍ଟର ଜମିରେ ଫୁଲ, ୨୦୧୭-୧୮ ବର୍ଷରେ ୬୬୪୪୩୭ ହେକ୍ଟର ଜମିରେ ପନିପରିବା ଓ ୬୬୧୨ ହେକ୍ଟର ଜମିରେ ଫୁଲ ଚାଷ ହୋଇଛି। ରାଜ୍ୟରେ ପନିପରିବା ଓ ଫୁଲ ଚାଷ ପ୍ରତି ଚାଷୀ ଏବଂ ବିଭାଗୀୟ ଅଧିକାରୀଙ୍କ ଆଗ୍ରହ ନଥିବା ସାତ ବର୍ଷର ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି।

ସେହିଭଳି କାହିଁକି ଏହିସବୁ ଉଦ୍ୟାନକୃଷିଭିତ୍ତିକ ଚାଷ ରାଜ୍ୟରେ ବର୍ଷକୁ ବର୍ଷ ହ୍ରାସ ପାଉଛି ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଅନେକ ଗୁଡ଼ିଏ କାରଣ ଦର୍ଶାଯାଇଛି। ଚାଷୀଙ୍କୁ ଚାଷ କାର୍ଯ୍ୟରେ ଋଣ ପ୍ରାପ୍ତିରେ ବିଳମ୍ବ ଓ ସମସ୍ୟା, ମୁଣ୍ଡପିଛା ଚାଷ ଜମିର ପରିମାଣ ହ୍ରାସ ପାଇବା, ଛୋଟ ଛୋଟ ଚାଷଜମି ଯୋଗୁଁ ଯନ୍ତ୍ରପାତିର ପ୍ରୟୋଗରେ ଅସୁବିଧା ହେବା, ସମାନ ଅନୁପାତରେ ବୃଷ୍ଟିପାତର ଅଭାବ, ଜଳବାୟୁ ପରିବର୍ତ୍ତନ, କମ୍‌ ଜଳସେଚିତ ଜମି, ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ନ ମିଳିବା, ଉପଯୁକ୍ତ ବଜାର ଅଭାବ ଆଦି କାରଣ ଯୋଗୁଁ ରାଜ୍ୟରେ ଫଳ ଓ ପନିପରିବା ଚାଷର ପରିମାଣ ହ୍ରାସ ପାଉଛି ବୋଲି ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ମହାନ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର