ଉଡ଼ାଣ ଯୋଜନାର ସମୀକ୍ଷା ବୈଠକ : ଜୁନ୍‌ ସୁଦ୍ଧା ତିନି ଏୟାରଷ୍ଟ୍ରିପ୍‌ ଉଡ଼ାଣ ପାଇଁ ପ୍ରସ୍ତୁତ ହେବ

ଝାରସୁଗୁଡ଼ା ବିମାନବନ୍ଦର ଉଡ଼ାଣ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର : ଉଡ଼ାଣ ଯୋଜନାରେ ଯେପରି ରାଜ୍ୟର ୪ଟି ଯାକ ଏୟାରଷ୍ଟ୍ରିପ୍‌ରୁ ସୂଚାରୁ ରୂପେ ବିମାନ ଉଡ଼ାଣ ହେବ ସେଥିପାଇଁ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁନ୍‌ ୧୪ରୁ ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ଉଡ଼ାଣ ହେବାକୁ ଥିବାବେଳେ ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କୁହାଯାଇଛି। ଏହାସହ ବାକି ତିନିଟି ଏୟାରଷ୍ଟ୍ରିପ୍‌କୁ ଜୁନ୍‌ ସୁଦ୍ଧା ଉଡ଼ାଣ ପାଇଁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି।

ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦିଆସରିଥିବାବେଳେ ଖୁବ୍‌ ଶୀଘ୍ର ମୁତୟନ ହେବେ। ସେହିପରି ରାଉରକେଲା ଏୟାରଷ୍ଟ୍ରିପ୍‌କୁ ବିମାନବନ୍ଦର ମାନ୍ୟତା ଦେବା ସହ ଲାଇସେନ୍ସ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ କଲେ ବିମାନ ସେବା ଆରମ୍ଭ ହେବ।

ଏହି ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି ଯେ, ସମସ୍ତ ଏୟାରଷ୍ଟ୍ରିପ୍‌ର ପରିଚାଳନା ଏବଂ ସୁରକ୍ଷା ମୁତୟନ ଦାୟିତ୍ୱ ରାଜ୍ୟ ସରକାରଙ୍କର। ତେଣୁ ସୁରକ୍ଷାକର୍ମୀଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଦେବାକୁ ରାଜ୍ୟ ସରକାର ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏସନ୍‌ ସିକ୍ୟୁରିଟି ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଆୟୋଜନ କଲେ ଅଧିକ ସୁରକ୍ଷା କର୍ମୀଙ୍କୁ ପ୍ରଶିକ୍ଷଣ ଦେଇ ହେବ ବୋଲି କୁହାଯାଇଛି।

ଉଡ଼ାଣ ଯୋଜନାରେ ରାଜ୍ୟ ସରକାର ୨୦% ଭାଏବେଲ୍‌ ଗ୍ୟାପ୍‌ ଫଣ୍ଡିଂ ଅର୍ଥ ଦେବେ। ଏହାବାଦ୍‌ ଜମି, ସୁରକ୍ଷାକର୍ମୀ ଏବଂ ଅଗ୍ନିଶମ ସେବା ଯୋଗାଇବେ। କମ୍‌ ମୂଲ୍ୟରେ ବିଦ୍ୟୁତ ଓ ପାଣି ଯୋଗାଇ ଦିଆଯିବ। ରାଜ୍ୟ ସରକାର ‘ମେକ୍‌ ଇନ୍‌ ଓଡ଼ିଶା’ ଅଭିଯାନରେ ଉଡ଼ାଣ ଯୋଜନା ପାଇଁ ଏହି ସବ୍‌ସିଡି ଏବଂ ଆର୍ଥିକ ସହାୟତା ଯୋଗାଇବେ। ଉଡ଼ାଣ ଯୋଜନାରେ ଭୁବନେଶ୍ୱର- ଉତ୍‌କେଲା, ଉତ୍‌କେଲା-ରାୟପୁର, ଭୁବନେଶ୍ୱର- ଜୟପୁର, ଭୁବନେଶ୍ୱର- ଝାରସୁଗୁଡ଼ା, ଝାରସୁଗୁଡ଼ା- ରାଞ୍ଚି, ଭୁବନେଶ୍ୱର-ରାଉରକେଲା ରୁଟ୍‌ରେ ବିମାନ ଉଡ଼ାଣ ହେବ। ଏହି ରୁଟ୍‌ରେ ବିମାନ ଭଡ଼ା ପ୍ରାୟ ୨୫୦୦ ଟଙ୍କା ରହିବ।

ଆଜିର ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ସିଭିଲ ଆଭିଏସନ୍‌ ନିର୍ଦ୍ଦେଶକ ପ୍ରଦୀପ କୁମାର ବିଶ୍ୱାଳ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର