ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଖୋଲିବ ସ୍ନାତକୋତ୍ତର ଓ ସ୍ନାତକ : ୨୬ଟି ବିଭାଗ ପାଇଁ ମିଳିଲା ୟୁଜିସି ଅନୁମତି

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଖୋଲିବ ସ୍ନାତକୋତ୍ତର ଓ ସ୍ନାତକ ପାଠ୍ୟକ୍ରମ। ୨୦୧୮-୧୯ ଶିକ୍ଷାବର୍ଷରୁ ବିଶ୍ୱବିଦ୍ୟାଳୟରେ ୨୬ଟି ବିଭାଗରେ ଏହି ପାଠ୍ୟକ୍ରମଗୁଡ଼ିକ ଖୋଲିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଅନୁମତି ମିଳିଥିବା ସୂଚନା ମିଳିଛି।

ସ୍ନାତକୋତ୍ତରରେ ଗ୍ରାମ୍ୟ ଉନ୍ନୟନ, ଅର୍ଥନୀତି, ଇଂରାଜୀ, ରାଜନୀତି ବିଜ୍ଞାନ, ହିନ୍ଦୀ, ଇତିହାସ, ଓଡ଼ିଆ, ସଂସ୍କୃତ, ପବ୍ଲିକ ଆଡମିନିଷ୍ଟ୍ରେସନ, ପବ୍ଲିକ ପଲିସି, ସାମାଜିକ ବିଜ୍ଞାନ, ସାମ୍ବାଦିକତା, ବାଣିଜ୍ୟ ଓ ସାଇବର୍‌ ସିକ୍ୟୁରିଟି ଆଦି ପାଠ୍ୟକ୍ରମ ପାଇଁ ୟୁଜିସି ଅନୁମତି ଦେଇଛି। ସେହିପରି ସ୍ନାତକସ୍ତରରେ ଇଂରାଜୀ, ହିନ୍ଦୀ, ରାଜନୀତି ବିଜ୍ଞାନ, ସାମାଜିକ ବିଜ୍ଞାନ, ଅର୍ଥନୀତି, ସଂସ୍କୃତ, ବାଣିଜ୍ୟ, ଜୀବିକା ଓ ନିରନ୍ତର ବିକାଶ ଏବଂ ବ୍ୟାଚଲର୍‌ ଇନ୍‌ ବିଜିନେସ୍‌ ଆଡମିନିଷ୍ଟ୍ରେସନ ନିମନ୍ତେ ଅନୁମତି ମିଳିଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର କହିଛନ୍ତି ଯେ ଏହା ଏକ ଐତିହାସିକ ଘଟଣା। ନୂଆ ବିଶ୍ୱବିଦ୍ୟାଳୟ ହୋଇ ମଧ୍ୟ ଅନେକ ବିଭାଗରେ ପିଜି ଓ ସ୍ନାତକ ପାଠ୍ୟକ୍ରମ ଖୋଲିବା ପାଇଁ ଅନୁମତି ମିଳିଛି। ଏହାଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀ ବିଶେଷ ଉପକୃତ ହୋଇପାରିବେ। ମୁକ୍ତ ବୈଷୟିକ ବିଦ୍ୟା ଉପଯୋଗ କରି ଶିକ୍ଷାଦାନ ଚାଲିବ। ଛାତ୍ରଛାତ୍ରୀ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ପରୀକ୍ଷା ଦେଇପାରିବେ। ପାଠ୍ୟକ୍ରମଗୁଡ଼ିକ ବିଶ୍ୱବିଦ୍ୟାଳୟ ଷ୍ଟଡି ସେଣ୍ଟର୍‌ରେ ପ୍ରଦାନ କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଚାଲୁଥିବା ଷ୍ଟଡି ସେଣ୍ଟର୍‌ରେ ଶିକ୍ଷାଦାନ ହେବ। ୟୁଜିସିର ନିୟମ ଅନୁସାରେ ନୂଆ ପାଠ୍ୟକ୍ରମ ନିମନ୍ତେ ନାମଲେଖା ଅକ୍ଟୋବର ୧ରେ ସରିବ। ଏଥିପାଇଁ ଖୁବ୍‌ଶୀଘ୍ର ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁଳପତି କହିଛନ୍ତି।

୨୦୧୫ରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏବେ ୪୨ଟି ବିଭିନ୍ନ ପାଠ୍ୟକ୍ରମରେ ସାର୍ଟିଫିକେଟ୍‌, ଡିପ୍ଲୋମା ଓ ପିଜି ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରୁଛି। ଓଡ଼ିଶାର ପ୍ରତିଟି ଜିଲ୍ଲାର ଅଗ୍ରଣୀ କଲେଜରେ ଷ୍ଟଡି ସେଣ୍ଟର୍‌ କରାଯାଇଛି। ବିଶ୍ୱବିଦ୍ୟାଳୟର ନିଜସ୍ୱ ଇଣ୍ଟରନେଟ୍‌ ରେଡିଓ-ପ୍ରଜ୍ଞାବାଣୀ ରହିଛି।

ସମ୍ବନ୍ଧିତ ଖବର