ଉଜ୍ଜ୍ୱଳା ଯୋଜନା ମହାଦୁର୍ନୀତି ପରେ ଚେତା ପଶିଲା : ଜନସେବା କେନ୍ଦ୍ରରେ ମିଳିବ ରନ୍ଧନ ଗ୍ୟାସ୍‌

ପାଇଲଟ୍‌ ପ୍ରୋଜେକ୍ଟ ରାଜନଗରରୁ ଆରମ୍ଭ

ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମହାଦୁର୍ନୀତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପାଇଁ ମୁଣ୍ତବ୍ୟଥାର କାରଣ ହୋଇଛି। ରାଜନଗରର ଗୋଟିଏ ଏଜେନ୍ସି ୧୨୦୬ ଭୂତ ହିତାଧିକାରୀଙ୍କ ନାଁରେ ଗ୍ୟାସ ସ˚ଯୋଗ ଲୁଟିଥିବା ଧରାପଡିବା ପରେ ରାଜ୍ୟରେ ସମସ୍ତ ଉଜ୍ଜ୍ୱଳା ଗ୍ୟାସ ହିତାଧିକାରୀଙ୍କ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପଟେ ଗାଁ ଗହଳିରେ ଥିବା ସବ୍‌ ଏଜେନ୍ସି ପଏଣ୍ଟ ବଦଳରେ ‘କମନ ସର୍ଭିସ ସେଣ୍ଟର’ ବା ଜନସେବା କେନ୍ଦ୍ରରେ ରନ୍ଧନଗ୍ୟାସ ମିଳିବ ବୋଲି ଜଣାପଡ଼ିଛି। ଏହି ପାଇଲଟ ପ୍ରୋଜେକ୍ଟ ରାଜନଗରରୁ ଆରମ୍ଭ ହୋଇଛି। ୧୦ଟି ପଞ୍ଚାୟତର ୧୦ଟି ଜନସେବା କେନ୍ଦ୍ରରେ ଆଜିଠାରୁ ରନ୍ଧନଗ୍ୟାସ ମିଳୁଛି। ପର୍ଯ୍ୟାୟ କ୍ରମେ ରାଜ୍ୟର ସମସ୍ତ ଜନସେବା କେନ୍ଦ୍ରରେ ରନ୍ଧନଗ୍ୟାସ ଉପଲବ୍ଧ ହେବ।

ନିଷ୍ପତ୍ତି ମୁତାବକ, ଗତକାଲିଠାରୁ ରାଜନଗର ବ୍ଲକର ୧୦ଟି ଜନସେବା କେନ୍ଦ୍ରରେ ଗ୍ୟାସ ମିଳିବା ଆରମ୍ଭ ହୋଇଛି। ଜନସେବା କେନ୍ଦ୍ରର କେନ୍ଦ୍ରାପଡ଼ା ଜିଲ୍ଲା ପରିଚାଳକ ରଜନୀକାନ୍ତ ରାଉତ କହିଛନ୍ତି ଯେ, ‘ସବ୍‌ପଏଣ୍ଟ ବଦଳରେ ଜନସେବା କେନ୍ଦ୍ରଗୁଡିକୁ ଏଲ୍‌ପିଜି କଞ୍ଜ୍ୟୁମର ପଏଣ୍ଟ କରାଯିବ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।’‘ ରାଜନଗରରୁ ଏହି ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ପର୍ଯ୍ୟାୟ କ୍ରମେ ସାରା ଓଡିଶାରେ ସମସ୍ତ ଜନସେବା କେନ୍ଦ୍ରରେ ରନ୍ଧନ ଗ୍ୟାସ ମିଳିବ। ପ୍ରଥମ ପର୍ଯ୍ୟାୟରେ ଇଣ୍ତେନ ଗ୍ୟାସ ମିଳିବା ଆରମ୍ଭ ହୋଇଛି। ପରବର୍ତ୍ତୀ ଅବସ୍ଥାରେ ଜନସେବା କେନ୍ଦ୍ରଗୁଡିକରେ ଏଚ୍‌ପି ଓ ଭାରତଗ୍ୟାସ ମିଳିବ,’ ‌େବାଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର