‘ଉଜ୍ଜଳା’ ମହାଦୁର୍ନୀତି : ମନ୍ଦିର ଭୋଜନାଳୟରେ ୫ ଉଜ୍ଜଳା

ରାଜନଗର : ମନ୍ଦିର ମଧୢରେ ଅନ୍ନପ୍ରସାଦ ପ୍ରସ୍ତୁତ କରାଯାଇ ବିକ୍ରୟ କରାଯାଉଛି। ସାମ୍ନାରେ ‘ଆତ୍ମା ଶାନ୍ତି’ ଭୋଜନାଳୟ ବୋଲି ସାଇନ୍‌ ବୋର୍ଡ ମରାଯାଇଛି। ମାତ୍ର ବ୍ୟବସାୟିକ ଗ୍ୟାସ ଟାଙ୍କି ବଦଳରେ ଉଜ୍ଜଳା ଗ୍ୟାସରେ ଅନ୍ନ ପ୍ରସାଦ ପ୍ରସ୍ତୁତ କରାଯାଉଛି। ଗୋଟିଏ କି’ ଦୁଇଟି ନୁହେଁ, ଏହି ଭୋଜନାଳୟରେ ୫ଟି ଉଜ୍ଜଳା ଗ୍ୟାସ ଟାଙ୍କି ବ୍ୟବହୃତ କରାଯାଉଥିବା ଦେଖାଯାଇଛି। ରାଜନଗର ହାଇସ୍କୁଲ ନିକଟରେ ଥିବା ମା’ ତାରିଣୀଙ୍କ ମନ୍ଦିରରେ ଏଭଳି ବେଆଇନ କାମ ଚାଲିଛି।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗରିବ ପରିବାରର ଗୃହିଣୀଙ୍କୁ ୧୬ଶହ ଟଙ୍କାରେ ଗ୍ୟାସ ସ˚ଯୋଗ ଯୋଗାଇ ଦିଆଯାଉଛି। ଏଥିସହ ପ୍ରତିମାସରେ ସବ୍‌ସିଡିରେ ସେମାନଙ୍କ ଟାଙ୍କି ରିଫିଲି˚ କରାଯାଉଛି। ହେଲେ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ପାଇଁ ଆସୁଥିବା ଏହି ଉଜ୍ଜଳା ଗ୍ୟାସ ଗରିବଙ୍କ ବଦଳରେ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ହେଉଛି। ରାଜନଗର ହାଇସ୍କୁଲ ନିକଟରେ ରହିଛି ମା’ ତାରିଣୀଙ୍କ ମନ୍ଦିରରେ ଅନ୍ନପ୍ରସାଦ ପ୍ରସ୍ତୁତ କରି ବିକ୍ରୟ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଦାୟିତ୍ବ ଦିଆଯାଇଛି। ମନ୍ଦିର ବାହାରେ ରହିଛି ‘ଆତ୍ମାଶାନ୍ତି ଭୋଜନାଳୟ’। ଏଠାରେ ମା’ ତାରିଣୀଙ୍କ ଅନ୍ନପ୍ରସାଦ ମିଳେ ବୋଲି ସାଇନବୋର୍ଡ ମରାଯାଇଛି। ମାତ୍ର ଏହି ବ୍ୟବସାୟିକ କାର୍ଯ୍ୟରେ ଉଜ୍ଜଳା ଗ୍ୟାସ ବ୍ୟବହାର କରାଯାଉଛି। ୫ଟି ଉଜ୍ଜଳା ଗ୍ୟାସ ଟାଙ୍କି ମନ୍ଦିର ମଧୢରେ ଥିବା ରୋଷଶାଳାରେ ମହଜୂଦ ରଖାଯାଇଛି। ଏହି ଉଜ୍ଜଳା ଗ୍ୟାସରେ ଅନ୍ନପ୍ରସାଦ ପ୍ରସ୍ତୁତ କରାଯାଇ ବିକ୍ରୟ କରାଯାଉଛି। ମନ୍ଦିର ମଧୢରେ ଅନ୍ନପ୍ରସାଦ ପ୍ରସ୍ତୁତ ପାଇଁ ଠିକା ନେଇଥିବା ଜଣେ ବ୍ୟକ୍ତି ୫ଟି ଉଜ୍ଜଳା ଗ୍ୟାସ ଟାଙ୍କି କିପରି ଆଣିଲେ ଏବ˚ କେଉଁ ଗରିବ ପରିବାରର ଗୃହିଣୀଙ୍କ ନାଁରେ ଏହି ଗ୍ୟାସ ଟାଙ୍କି ଅଣାଯାଇ ଏଠାରେ ବ୍ୟବହାର କରାଯାଇଛି ତାହା ସନ୍ଦେହ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ରାଜନଗର ବ୍ଲକରେ ୨ହଜାରରୁ ଅଧିକ ମହିଳାଙ୍କ ନାଁରେ ଉଜ୍ଜଳା ଗ୍ୟାସ ସ˚ଯୋଗ ଲୁଟି ନିଆଯାଇଛି। ଗରିବ ପରିବାରର ଗୃହିଣୀଙ୍କ ନାଁରେ ଦୀର୍ଘଦିନ ହେଲା ଗ୍ୟାସ ସ˚ଯୋଗ ଉଠାଇ ନିଆଯାଇ କଳାବଜାରରେ ବିକ୍ରି କରିଦିଆଯାଇଛି। ଭୂତ ହିତାଧିକାରୀଙ୍କ ନାଁରେ ୧୨୦୬ଟି ଗ୍ୟାସ ସ˚ଯୋଗ ଲୁଟିବା ଅଭିଯୋଗରେ ମେସର୍ସ‌୍ ରାଜନଗର ଇଣ୍ତେନ ବିତରକଙ୍କୁ ନିଲମ୍ବିତ କରାଯାଇଛି। ବିତରକଙ୍କୁ ନିଲମ୍ବିତ କରି ତୈଳ କମ୍ପାନିର ଅଧିକାରୀ ଚୁପ ବସିଥିବା ବେଳେ ଠକେଇର ଶିକାର ମହିଳା ସେମାନଙ୍କ ଗ୍ୟାସ ସ˚ଯୋଗ ଆଜିଯାଏଁ ପାଇପାରୁ ନାହାନ୍ତି। ପୂର୍ବରୁ ଗରିବ ପରିବାରର ଗୃହିଣୀଙ୍କ ଉଜ୍ଜଳା ଗ୍ୟାସ ଟ୍ରଲର ଓ ଚିଙ୍ଗୁଡିଘେରିରେ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ମନ୍ଦିର ମଧୢରେ ଖୋଲାଯାଇଥିବା ଭୋଜନାଳୟରେ ଉଜ୍ଜଳା ଗ୍ୟାସ ବ୍ୟବହାର କରାଯିବା ଉଦ୍‌ବେଗ ସୃଷ୍ଟି କରିଛି। ଏ ନେଇ ବିଭାଗୀୟ ଅଧିକାରୀ ଓ ଯୋଗାଣ ବିଭାଗର ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଭୋଜନାଳୟ ପାଇଁ ଠିକା ନେଇଥିବା ପ୍ରଶାନ୍ତ କୁମାର ରଥଙ୍କୁ ପଚାରିବାରୁ ସେ କହିଥିଲେ, ‘ଏହି ଗ୍ୟାସ୍‌ଗୁଡ଼ିକ ଆମ ପରିବାର ସଦସ୍ୟ ଓ କର୍ମଚାରୀଙ୍କ ନାଁରେ ରହିଛି। ମନ୍ଦିରରେ ଏଗୁଡ଼ିକ କମ୍‌ ବ୍ୟବହାର କରାଯାଉଥିବା ବେଳେ ଭୋଜିଭାତ ପାଇଁ ଭଡ଼ାରେ ଲାଗିଥାଏ’ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର