ଉଜ୍ଜ୍ବଳା ନେଇ ରାଜ୍ୟ ମନ୍ତ୍ରୀଙ୍କ ଚିଠି ଭ୍ରମାତ୍ମକ : ଧର୍ମେନ୍ଦ୍ର

୭୦ ପ୍ରତିଶତ ପରିବାର ରିଫିଲ୍ ନେଇଛନ୍ତି

ଭୁବନେଶ୍ବର : ଉଜ୍ଜ୍ବଳା ଯୋଜନା ଓଡ଼ିଶାରେ ବିଫଳ ହେବା ନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଗତକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ। ଗତକାଲି ଶ୍ରୀ ପ୍ରଧାନ ଟ୍ବିଟର୍‌ରେ ଏହାର ଜବାବ ଦେଲା ପରେ ଆଜି ବିଧିବଦ୍ଧ ଭାବେ ଶ୍ରୀ ପାତ୍ରଙ୍କୁ ଚିଠି ଲେଖିଛନ୍ତି। ଖବରକାଗଜ ରିପୋର୍ଟ ଆଧାରରେ ଶ୍ରୀ ପାତ୍ର ଲେଖିଥିବା ଚିଠି ସମ୍ପୂର୍ଣ୍ଣ ଭ୍ରମାତ୍ମକ, ଏଥିରେ କୌଣସି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଗ୍ରାହକମାନେ ରିଫିଲ୍ କରୁ ନ ଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ୍। ଉଜ୍ଜ୍ବଳା ଯୋଜନା ଗ୍ରାହକ ହେବାର ଏକ ବର୍ଷ ମଧ୍ୟରେ ୭୦ ପ୍ରତିଶତ ପରିବାର ଏହି ଗ୍ୟାସ୍‌ର ସିଲିଣ୍ଡର୍ ଭରିଛନ୍ତି। ଏଥି ମଧ୍ୟରୁ ୪.୨ ଲକ୍ଷ ଗ୍ରାହକ ୪ ବା ତାହା ଠାରୁ ଅଧିକ ରିଫିଲ୍ ନେଇଛନ୍ତି। ଏହା ଓଡ଼ିଶାର ସାଧାରଣ ପରିବାରଗୁଡ଼ିକ ସ୍ବଚ୍ଛ ଇନ୍ଧନକୁ ଗ୍ରହଣ କରିଥିବାର ପ୍ରମାଣ। ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ୨୦୧୮ ଡିସେମ୍ବର ସୁଦ୍ଧା ୩୫.୨୨ ଲକ୍ଷ ପରିବାରକୁ ଏଲ୍‌ପିଜି ସଂଯୋଗ ଦିଆଯାଇଛି। ୨୦୧୪ ମେ’ରେ ରାଜ୍ୟରେ ୧୯ ଲକ୍ଷ ଏଲ୍‌ପିଜି ସଂଯୋଗ ଥିବା ବେଳେ ୨୦୧୮ ମସିହା ସୁଦ୍ଧା ଏହା ୭୨.୫ ଲକ୍ଷରେ ପହଞ୍ଚିଛି। ୨୦୧୪ରୁ ୨୦୧୮ ମସିହା ମଧ୍ୟରେ ଓଡ଼ିଶାରେ ୨୨ ପ୍ରତିଶତ ଘରେ ଏଲ୍‌ପିଜି ସଂଯୋଗ ବୃଦ୍ଧି ପାଇ ୬୯ ପ୍ରତିଶତରେ ପହଞ୍ଚିଛି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଗ୍ରାହକମାନଙ୍କ ଉପରେ ଏଲ୍‌ପିଜି ମୂଲ୍ୟର ବୋଝ କମ୍ କରିବା ପାଇଁ ଭାରତ ସରକାର ସବ୍‌ସିଡି ଯୋଗାଇ ଦେଉଛନ୍ତି। କେନ୍ଦ୍ର ସରକାର ଆଜି ଦିନରେ ସିଲିଣ୍ଡର୍ ପିଛା ୩୨୬ ଟଙ୍କା ୨୨ ପଇସାର ସବ୍‌ସିଡି ଦେଇ ଗ୍ରାହକମାନଙ୍କୁ ଏଲ୍‌ପିଜି ମୂଲ୍ୟ ବୃଦ୍ଧିର ବୋଝରୁ ମୁକ୍ତି ଦେଇଛନ୍ତି। ଗ୍ରାହକମାନଙ୍କୁ ଏଲ୍‌ପିଜି ସୁବିଧା‌େର ପାଇବା ପାଇଁ ରାଜ୍ୟରେ ଥିବା କମନ୍ ସର୍ଭିସ୍ ସେଣ୍ଟର୍‌ଗୁଡ଼ିକରେ ଏଲ୍‌ପିଜି ଯୋଗାଣ ବ୍ୟବସ୍ଥା କରାଯାଇଛି। ଉଜ୍ଜ୍ବଳା ଗ୍ୟାସ୍ ପରିବାରକୁ ୫ କିଲୋ ଏଲ୍‌ପିଜି ନେବା ପାଇଁ ଗ୍ରାହକ ସୃଷ୍ଟି କରାଯାଉଛି। ଉଜ୍ଜ୍ବଳା ଯୋଜନାର ସଫଳତା ନେଇ ବିଶ୍ବର ଅନେକ ପ୍ରତିଷ୍ଠିତ ସଂଗଠନ ଏହାର ଭୂୟସୀ ପ୍ରଶଂସା କରିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର ନିଜ ସନ୍ଦେହ ଦୂର କରିବା ସହ ରାଜ୍ୟକୁ ଧୂଆଁମୁକ୍ତ କରି ସବୁ ଗରିବ ପରିବାରକୁ ଏଲ୍‌ପିଜି ସଂଯୋଗ ଯୋଗାଇ ଦେବାରେ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର