ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହାଦୁର୍ନୀତି : ବିତରକ ନିଲମ୍ବିତ, ବିଜେପି ଦୋଷ ଠେଲିଲା

‘ରାଜନଗର ଇଣ୍ଡେନ୍‌’ ନାଁରେ ମାମଲା

ଭୁବନେଶ୍ୱର/ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମହାଦୁର୍ନୀତି ଖବର କ୍ରମାଗତ ଭାବେ ‘ସମ୍ବାଦ’ ପ୍ରକାଶିତ ପାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଣ୍ଡିଆନ୍‌ ଅଏଲ୍‌। କଂପାନି ପକ୍ଷରୁ ଦୁର୍ନୀତିରେ ସପୃକ୍ତ ଥିବା ବିରତକ ଏମ୍‌/ଏସ୍‌ ରାଜନଗର ଇଣ୍ଡେନ୍‌କୁ ନିଲମ୍ବିତ କରାଯାଇଛି। ଏଥି ସହିତ ଏହି ମାମଲାର ଅଧିକ ତଦନ୍ତ କରିବାକୁ କଂପାନି ପକ୍ଷରୁ ନିର୍ଦେଶ ଦିଆଯାଇଛି।

 

ରାଜନଗର ଉଜ୍ଜଳା ଦୁର୍ନୀତି ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ତାହାର ତଦନ୍ତ କରିବା ପାଇଁ ତିନି ସରକାରୀ ତେଲ କଂପାନି ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଥିଲା ବୋଲି ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତି ଜାରି କରି କୁହାଯାଇଛି। ରାଜନଗରରେ ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କଂପାନି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କଂଗ୍ରେସ ଓ ବିଜେଡି ଉପରେ ଦୋଷ ଲଦିଛି। ରାଜନଗର ବ୍ଲକ ତ୍ରିନାଥ ବଜାରସ୍ଥିତ ପୂର୍ତ୍ତ ଡ଼ାକ ବଙ୍ଗଳାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭୂବନ ମୋହନ ଜେନା ଯୋଗଦେଇ କଂଗ୍ରେସ ଓ ବିଜେଡି ଭିତରେ ଭିତିରି ବୁଝାମଣା ଆଧାରରେ ଏହି ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଥିଲେ। ହିତାଧିକାରୀଙ୍କ ଅଜାଣତରେ ତାଙ୍କ ପାଖରୁ ଗ୍ୟାସ୍‌ ଛଡ଼ାଇ ନିଆଯାଇଛି। ଖବରକାଗଜରେ ଯାହା ପ୍ରକାଶ ପାଇଛି ତାହାର ସତ୍ୟାସତ୍ୟ ଅଛି। ଯେଉଁ ଏଜେନ୍ସି ଏବଂ ନେତାମାନେ ଏହି ଚଞ୍ଚକତା ପାଇଁ ଦାୟୀ ସେମାନଙ୍କ ବିରୁଦ୍ଧରେ ୨୪ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଜେପି ଦାବି କରିଛି।

ବିଜେପିର ଅଭିଯୋଗ ଉପରେ ବିଜେଡି ଜିଲ୍ଲା ସଭାପତି ଧ୍ରୁବ ସାହୁ ପ୍ରତିକ୍ରିୟା ରଖିଛନ୍ତି। ଉଜ୍ଜଳା ଯୋଜନା ମଞ୍ଚରେ କେବଳ ବିଜେପି ନେତାମାନେ ଅତିଥି ହୋଇ ବାହାବା ନେଉଥିଲେ। ଗ୍ୟାସ୍‌ ଏଜେନ୍ସିମାନେ ବିଜେପି ନେତାଙ୍କ କଥାରେ ଓ ଚିଠାରେ ହିତାଧିକାରୀ ଚୟନ କରୁଥିଲେ। ରାଜନଗରରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ହୋଇଥିବା ମହାଦୁର୍ନୀତିରେ ସିଧାସଳଖ ବିଜେପିର ସମ୍ପୃକ୍ତି ରହିଛି। ରାଜନଗରରେ କୋଟି କୋଟି ଟଙ୍କାର ଦୁର୍ନର୍ର୍ୀତି ହୋଇଛି। ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ସାହୁ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାରକୁ ଗ୍ୟାସ୍‌ ସଂଯୋଗ ନାଁରେ ଲୁଟ୍‌ ଘଟଣାରେ ରାଜନଗର ଥାନାରେ ମାମଲା ରୁଜୁ ହୋଇଛି। ରାଜନଗର ଇଣ୍ଡେନ୍‌ ମାଲିକଙ୍କ ନାଁରେ ମାମଲା ରୁଜୁ ହୋଇଛି। ମହୁଲିଆ ପଞ୍ଚାୟତ କଣି ଗ୍ରାମର ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ଏତଲା ଉପରେ ପୁଲିସ ଦଫା ୪୨୦ରେ ମାମଲା(୧୫୪/୧୮)ରୁଜୁ କରଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମହାଦୁର୍ନୀତି ଖବର ପ୍ରକାଶ ପାଇବା ପରେ ରାଜନଗର ଇଣ୍ଡେନ କର୍ତ୍ତୃପକ୍ଷ ୨ ଦିନ ହେଲା ଦୁର୍ନୀତି ସମ୍ପର୍କିତ ସମସ୍ତ ପ୍ରମାଣ କାର୍ଯ୍ୟାଳୟରୁ ଓ କମ୍ପ୍ୟୁଟରରୁ ହଟାଇବାରେ ଲାଗିଛନ୍ତି। ଗତକାଲି ବିଳମ୍ବିତ ରାତି ଯାଏଁ ରାଜନଗରସ୍ଥିତ କାର୍ଯ୍ୟାଳୟ ଓ ମହୁଲିଆସ୍ଥିତ ଗୋଦାମ ଏବଂ କାର୍ଯ୍ୟାଳୟରେ ଦୁର୍ନୀତି ସମ୍ପର୍କିତ ପ୍ରମାଣପତ୍ର ହଟାଯାଇଥିଲା। ଆଜି କାର୍ଯ୍ୟାଳୟର ସଟର୍‌ ଅଧା ଟାଣି କାର୍ଯ୍ୟାଳୟ ବନ୍ଦ ଅଛି ବୋଲି କହି ଗ୍ରାହକଙ୍କୁ ଫେରାଇ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଅନ୍ୟ ଜିଲ୍ଲାର ଏଏଚ୍‌ଏଳ୍‌ ଟିନ୍‌ ନମ୍ବର ବ୍ୟବହାର କରି ଜାଲ୍‌ ହିତାଧିକାରୀଙ୍କ ନାମରେ ଗ୍ୟାସ୍‌ ସଂଯୋଗ ପ୍ରଦାନ କରାଯାଉଥିଲା। ପ୍ରକୃତ ହିତାଧିକାରୀ ସେ ବିଷୟରେ କିଛି ଜାଣିପାରୁନଥିଲେ। ଋଣ ଅର୍ଥରେ ହିତାଧିକାରୀମାନେ ଗ୍ୟାସ୍‌ ସଂଯୋଗ ନେଉଥିବା ଦର୍ଶାଇ ସେମାନଙ୍କ ସବ୍‌ସିଡି ବାବଦ ୧୬୦୦ ଟଙ୍କା ସହିତ ଚୁଲା ଓ ଗ୍ୟାସ୍‌ ଭର୍ତି ଟାଙ୍କିକୁ ମଧ୍ୟ ହଡ଼ପ୍‌ କରିନିଆଯାଉଥିଲା। ରାଜନଗରରେ ୧ ହଜାରରୁ ଅଧିକ ହିତାଧିକାରୀଙ୍କ ନାମରେ ଏହିଭଳି ଭାବେ ଟାଙ୍କି, ଚୁଲା ଓ ସବ୍‌ସିଡି ହରିଲୁଟ୍‌ ହୋଇଥିଲା। ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକ୍‌ରେ ଉଜ୍ଜଳା ଦୁର୍ନୀତି ହୋଇଥିଲା। ବଲାଙ୍ଗୀର ଜିଲ୍ଲାର ଏଏଚ୍‌ଏଲ୍‌ ଟିନ୍‌ ନମ୍ବରକୁ ବ୍ୟବହାର କରି ଏହି ଦୁର୍ନୀତି କରାଯାଇଥିଲା।

ସମ୍ବନ୍ଧିତ ଖବର