ଫେସ୍‌ବୁକ୍‌ ପୋଷ୍ଟ୍‍ ପାଇଁ ଅଧ୍ୟକ୍ଷ ନିଲମ୍ବିତ : ଉଖୁଣ୍ଡାରେ ଉତ୍ତେଜନା, ନିଲମ୍ବନକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ସକାଳୁ ସନ୍ଧ୍ୟା ଯାଏ ରାସ୍ତାରୋକ, ପୁଲିସ୍‌ର ଲାଠିଚାର୍ଜ

କେନ୍ଦୁଝର : ଫେସ୍‌ବୁକ୍‌ ପୋଷ୍ଟ୍‌କୁ କେନ୍ଦ୍ରକରି କଲେଜ ଅଧ୍ୟକ୍ଷଙ୍କୁ ନିଲମ୍ବନ ପରେ ଆଜି କେନ୍ଦୁଝରର ଉଖୁଣ୍ଡାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଫେସ୍‌ବୁକ୍‌ରେ ଥିବା ‘ଆଇ ହେଟ୍‌ ନବୀନ ପଟ୍ଟନାୟକ’ ପେଜ୍‌ରେ ଏକ ପୋଷ୍ଟକୁ ଯୁକ୍ତ ୨ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେନ୍ଦ୍ର ମହାନ୍ତ ସେୟାର କରିଥିଲେ। ଏହି ସେୟାର ପରେ ରାଜନୀତି ଜୋର୍‌ ଧରଥିଲା। ବିଜେଡି ସମର୍ଥକଙ୍କ ମଧ୍ୟରେ ଏହା ଆଲୋଡ଼ନ ସୃଷ୍ଟି କରିଥିଲା। ଏଭଳିସ୍ଥଳେ ଗତକାଲି କଲେଜର ପରିଚାଳନା କମିଟିର ଜରୁରି ବୈଠକ ବସି ଅଧ୍ୟକ୍ଷଙ୍କୁ ନିଲମ୍ବନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।

ନିଲମ୍ବନକୁ ବିରୋଧ କରି ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି। ଦିନତମାମ ଛାତ୍ରଛାତ୍ରୀମାନେ ବାଉଁଶୁଳୀ-ଚମ୍ପୁଆ ରାସ୍ତା ଅବରୋଧ କରିଥିବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ତେବେ, ରାତି ପ୍ରାୟ ସାଢ଼େ ସାତଟା ବେଳେ ପୁଲିସ ଲାଠି ଚାର୍ଜ କରିବାରୁୁ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଛତ୍ରଭଙ୍ଗ ଦେଇଛନ୍ତି। ପୁଲିସର ଲାଠି ଚାର୍ଜ ହେବା ପରେ ଉଖୁଣ୍ଡା ବଜାର ଶୂନ୍‌ଶାନ୍‌ ହୋଇ ଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର