ଆଜି ପହଞ୍ଚିବେ ଦୁଇ ଦେଶର ଖେଳାଳି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ବୁଧବାର ବାରବାଟୀରେ ହେବ ଭାରତ-ଶ୍ରୀଲଙ୍କା ଟି-ଟେ୍ଵଣ୍ଟି ମ୍ୟାଚ୍। ସୋମବାର ଅପରାହ୍ଣ ପ୍ରାୟ ୨ଟାବେଳେ ଦୁଇ ଦେଶର ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭୁବନେଶ୍ୱରର ହୋଟେଲ ମେ ଫେୟାରରେ ଅବସ୍ଥାନ କରିବେ ଏବଂ ସେଠାରୁ ବାରବାଟୀ ଷ୍ଟାଡିୟମ୍କୁ ଯିବେ। ତେଣୁ ଉଭୟ ଦଳର ଖେଳାଳିଙ୍କ ଲାଗି କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଖେଳାଳିମାନଙ୍କୁ ଅମ୍ବ୍ରେଲା ସୁରକ୍ଷା ଜୋନ୍ରେ ରଖିବାକୁ ନିଷ୍ପତ୍ତି ହୋଇଛି। କଟକର ବାରବାଟୀ ଷ୍ଟାଡିୟମରେ ୬୮ ପ୍ଲାଟୁନ୍ ଫୋର୍ସ ମୁତୟନ ହେବାକୁ ଥିବାବେଳେ ଭୁବନେଶ୍ୱରରେ ୨୫ ପ୍ଲାଟୁନ୍ ଫୋର୍ସ ଖେଳାଳିଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ନିଷ୍ପତ୍ତିି ହୋଇଛି।
କେମିତି ଦୁଇ ଟିମ୍ର ଖେଳାଳି ଓ ଅଧିକାରୀ ସୁରକ୍ଷିତ ଭାବେ ବିମାନବନ୍ଦରରୁ ମେ ଫେୟାର ହୋଟେଲରେ ପହଞ୍ଚିବେ ଏବଂ କଟକ ପର୍ଯ୍ୟନ୍ତ ଯିବେ ସେ ନେଇ ଆଜି କମିସନରେଟ୍ ପୁଲିସ ପକ୍ଷରୁ ରିହାରସାଲ କରାଯାଇଥିଲା। ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି ଦିନ ପ୍ରାୟ ୨ଟାବେଳେ ଦୁଇ ଦେଶର ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏଜି ଛକ, ରାଜଭବନ ଛକ ଏବଂ ସେଠାରୁ ଜୟଦେବ ବିହାର ଛକ ହୋଇ ସିଧା ମେ’ ଫେୟାର ହୋଟେଲକୁ ନିଆଯିବ। ଏହି ରାସ୍ତାରେ ଏବଂ ଖେଳାଳିଙ୍କ ସୁରକ୍ଷା ଲାଗି ହୋଟେଲରେ ମୋଟ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏହାଛଡ଼ା ଖେଳାଳିଙ୍କ କାରକେଡ୍ ସହିତ ଏସ୍ଓଜି ଯବାନ, କାଉଣ୍ଟର ଟେରୋରିଷ୍ଟ ସ୍କ୍ଵାଡ୍, ସ୍ପେସାଲ୍ ଟାକ୍ଟିକାଲ୍ ୟୁନିଟ, ଡଗ୍ ସ୍କ୍ଵାଡ୍, ବମ୍ ସ୍କ୍ଵାଡ୍, ଗୁଇନ୍ଦା ଅଧିକାରୀ, ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ ପ୍ରମୁଖ ରହିବେ। ଖେଳାଳିଙ୍କୁ ଅମ୍ବ୍ରେଲା ସିକ୍ୟୁରିଟି ଜୋନ୍ ମଧ୍ୟରେ ରଖାଯିବ।
ବିମାନବନ୍ଦରରୁ ହୋଟେଲ ମେ’ ଫେୟାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ବ୍ୟାରିକେଡ୍ କରାଯାଇଛି। ଦୁଇ ଦେଶର ଖେଳାଳି ଏବଂ ବିସିସିଆଇ ଅଫିସିଆଲଙ୍କ ପାଇଁ ହୋଟେଲ୍ରେ ୫୦ଟି ରୁମ୍ ବୁକ୍ ହୋଇଛି। ଖେଳାଳିମାନେ ହୋଟେଲରେ ଥିବାବେଳେ ହୋଟେଲ ନିକଟବର୍ତୀ ଉଚ୍ଚସ୍ଥାନରେ ବନ୍ଧୁକଧାରୀ ପୁଲିସ ଜଗି ରହିବେ। ହୋଟେଲର ଛାତ ଉପରେ ମଧ୍ୟ ପୁଲିସ ରହିବେ। ବାରବାଟୀ ଷ୍ଟାଡିୟମ ଓ ମେ ଫେୟାର ହୋଟେଲ ନିକଟରେ ଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଦୁଇ ଦେଶର ଖେଳାଳିଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ। ବିଶେଷ କରି ନୂଆପଲ୍ଲୀ ଥାନା ପୁଲିସକୁ ଅହୋରାତ୍ର ସର୍ତକ ରହିବାକୁ କୁହାଯାଇଛି। ମଙ୍ଗଳବାର ଦୁଇ ଦେଶର ଖେଳାଳି ଅଭ୍ୟାସ ପାଇଁ ବାରବାଟୀ ପଡ଼ିଆକୁ ଯିବେ। ଏଥିପାଇଁ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ରାସ୍ତା କିଛି ସମୟ ଲାଗି ଗାଡ଼ି ମୋଟର ବନ୍ଦ କରାଯିବ। ଆଜି ଏ ନେଇ ରିହରସାଲ ମଧ୍ୟ କରାଯାଇଥିଲା। କଟକରେ ମଧ୍ୟ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।