ଯୁକ୍ତ୨ ପରୀକ୍ଷା ଜଗିବ ସିସିଟିଭି : ଉଭୟ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ଉପରେ ନଜର ରଖିବ

ଭୁବ‌ନେଶ୍ବର: ଏଥର ସବୁ ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି। ଉଭୟ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ଉପରେ ନଜର ରଖିବ ସିସିଟିଭି। ଗତବର୍ଷ ପ୍ରାୟ ୬୦ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗି ପାରି ନଥିଲା। ବିଭିନ୍ନ ଆଳ ଦେଖାଇ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ଗୁଡ଼ିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦେଶକୁ ବେଖ‌ାତିର କରିଥିଲେ। ତେବେ ଏଥର ଆଉ ବାହାନା ଚଳିବନି। ଯଦି କୌଣସି କଲେଜ ସିସିଟିଭି ଲଗାଇବ ନାହିଁ, ସେଠାରେ ପରୀକ୍ଷା କେନ୍ଦ୍ର ହେବନି। ଜାନୁଆରି ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବାରୁ ଏହା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ପରିଷଦର ମିଳିତ ଟିମ୍‌ ପରୀକ୍ଷା କେନ୍ଦ୍ରଗୁଡ଼ିକ ଅନୁଧ୍ୟାନ କରିବେ। ଡିସେମ୍ବର ମାସରେ ୪ଟି ଟିମ୍‌ ଯାଞ୍ଚ ପାଇଁ କଲେଜଗୁଡ଼ିକ ଯିବ ବୋଲି ନିଷ୍ପତ୍ତି ହୋଇଛି।

ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସିସିଟିଭି ଲାଗିବା ଦ୍ବାରା ଗତବର୍ଷ କପି ରୋକିବାରେ ସଫଳତା ମିଳିଥିଲା। ୨୦୧୮‌ରେ ତିନି ହଜାରରୁ ଅଧିକ ଛାତ୍ରଛାତ୍ରୀ କପି କରି ଏମ୍‌ପି(ମାଲ୍‌ ପ୍ରାକ୍ଟିସ୍‌) ହୋଇଥିଲେ। ୨୦୧୯ରେ ଏହି ସଂଖ୍ୟା ଏକ ହଜାରକୁ କମି ଆସିଛି। ଜିଲ୍ଲାସ୍ତରରେ ସିସିଟିଭି ମାଧ୍ୟମରେ ପରୀକ୍ଷା ପରିଚାଳନା କରାଯିବା ଦ୍ବାରା ପରୀକ୍ଷାରେ ବ୍ୟାପକ ସଂସ୍କାର ଆସିପାରିବ। ସିସିଟିଭି ମରାମତି ଓ ଲଗାଇବା ପାଇଁ ‌ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନିର୍ଦେଶ ଦିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର