ଭଦ୍ରକ ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭଦ୍ରକ : ଭଦ୍ରକ ଜେଲ୍‌ରେ ପୁଣି ଜଣେ ବିଚାରାଧୀନ ବନ୍ଦୀ ଅନାଦି ଖଟୁଆ(୫୫)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜେଲ୍‌ କର୍ତ୍ତୃପକ୍ଷ ଓ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଗତବର୍ଷ ସେପ୍ଟେମ୍ବର ୧୨ରେ ଏକ ଚୋରି ମାମଲାରେ ଭଦ୍ରକ ପୁଲିସ ଅନାଦିଙ୍କୁ ଗିରଫ କରିଥିଲା। ତାଙ୍କ ଘର କଟକ ଜିଲ୍ଲାରେ। ସେ ଯକ୍ଷ୍ମା ରୋଗରେ ପୀଡିତ ହେବା ଜଣାପଡ଼ିବା ପରେ ଜେଲ୍‌ରେ ରହି ମଧ୍ୟ ସେ ଚିକିତ୍ସିତ ହେଉଥିଲେ। ୧୦ ଦିନ ପୂର୍ବରୁ ତାଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା କରାଯାଇଥିଲା। ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ତାଙ୍କୁ ଦୁଇ ଦିନ ତଳେ ଜେଲ୍‌କୁ ଅଣାଯାଇଥିଲା। ଗତକାଲି ରାତି ଗୋଟାଏ ବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ହୋଇପଡିଲା। ତାଙ୍କୁ ତୁରନ୍ତ ଭଦ୍ରକ ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନାଦିଙ୍କ ମୃତ୍ୟୁ ମେଡିକାଲରେ ହୋଇଛି ନା ଜେଲ୍‌ ଭିତରେ, ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ମୃତ୍ୟୁ ପରେ ତାଙ୍କୁ କେବଳ ମୃତ ଘୋଷଣା ପାଇଁ ମେଡିକାଲ ନିଆଯାଇଥିଲା ନା ଚିକିତ୍ସା ପାଇଁ, ସେନେଇ ସନ୍ଦେହ ଜାଗିଛି। ଏ ନେଇ କିଛି ସଚେତନ ନାଗରିକ ଓ ସାମାଜିକ କର୍ମୀ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର