ଶିଶୁଆ ସବ୍‌ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସାଲେପୁର : କଟକ ଜିଲ୍ଲାର ସାଲେପୁରସ୍ଥିତ ଶିଶୁଆ ସବ୍‌ଜେଲ୍‌ରେ ଆଜି ଦିନ ପ୍ରାୟ ୧୧ଟା ୪୫ ମିନିଟ୍‌ ସମୟରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିିଛି। ମୃତକ ଜଣଙ୍କ ହେଉଛନ୍ତି ଜଗତ୍‌ପୁର ଥାନା ଅଧୀନ ବାଲିସାହି ମୁଣ୍ଡା ବସ୍ତିର ଘନଶ୍ୟାମ ପୂର୍ତ୍ତି (୨୨)। ଚୋରା ମଦ କାରବାରରେ ସମ୍ପୃକ୍ତ ଅଭିଯୋଗରେ ତାଙ୍କୁ ଅଗଷ୍ଟ ୧୨ ତାରିଖରେ ଜଗତ୍‌ପୁର ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଥିଲା। ଗତ ଅଗଷ୍ଟ ୨୮ ତାରିଖରେ ତାଙ୍କୁ ସାଲେପୁର କୋର୍ଟରେ ହାଜର କରାଯାଇଥିଲେ ବି ଜାମିନ ମଂଜୁର ହୋଇ ନଥିଲା।

ଶିଶୁଆ ସବ୍‌ଜେଲ୍‌ ଅଧିକାରୀ ରୁନିବାଳା ଦେଈ କହିବା ଅନୁଯାୟୀ ଘନଶ୍ୟାମ ପ୍ରତିଦିନ ପରି ଆଜି ସକାଳେ ଜଳଖିଆ ଖାଇ ନିଜ ୱାର୍ଡରେ ରହିଥିଲେ। କିନ୍ତୁ ଆଜି ମଧ୍ୟାହ୍ନ ଭୋଜନ ପାଇଁ ସେ ନିଜ ୱାର୍ଡରୁ ଥାଳି ଧରି ଭାତ ନେବା ପାଇଁ ଆସୁଥିବା ବେଳେ ହଠାତ୍‌ ୱାର୍ଡର ବାରଣ୍ଡାରେ ପ୍ରବଳ ବାନ୍ତିକରି ଅଚେତ୍‌ ହୋଇପଡ଼ିଥିଲେ। ୍‌ଜେଲ୍‌ ପକ୍ଷରୁ ତାକୁ ସଙ୍ଗେ ସଙ୍ଗେ ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ପୂର୍ବରୁ ଘନଶ୍ୟାମଙ୍କର ବାଟରେ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି। ମାଜିଷ୍ଟ୍ରେଟ୍‌ ଭାବେ ନିଶ୍ଚିନ୍ତକୋଇଲି ତହସିଲଦାର ରବୀନ୍ଦ୍ର କୁମାର ପ୍ରଧାନ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ ଘନଶ୍ୟାମଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି କି ନାହିଁ, ତାହା ତଦନ୍ତ କରିବା ସହ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଇଥିଲେ। ଆସନ୍ତାକାଲି ସକାଳେ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ମୃତଦେହ ପଠାଯିବ ବୋଲି ଜଣାପଡ଼ିଛି।
ଘନଶ୍ୟାମଙ୍କର ପ୍ରକୃତ ଘର ଆସାମ ରାଜ୍ୟରେ ବୋଲି ଜଣାଯାଇଛି। ସେ ଜଗତ୍‌ପୁରର ଏକ ମଦ ଦୋକାନରେ ରହି କାମ କରିବା ସହ ଚୋରା ମଦ କାରବାର କରୁଥିଲେ ବୋଲି ଜଗତ୍‌ପୁର ଆଇଆଇସି ବିରଞ୍ଚ ନାରାୟଣ ପତି ସୂଚନା ଦେଇଛନ୍ତି। ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି ବୋଲି ସାଲେପୁର ଆଇଆଇସି ଦେବେନ୍ଦ୍ର କୁମାର ମଲ୍ଲିକ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର