କେନ୍ଦ୍ର ସାର ସଚିବଙ୍କ ତାଳଚେର ଗସ୍ତ : କାରଖାନା ନିର୍ମାଣସ୍ଥଳ ମାଟି ପରୀକ୍ଷା

ତାଳଚେର : କେନ୍ଦ୍ର ସରକାରଙ୍କର ସାର ଓ ରସାୟନ ବିଭାଗ ସଚିବ ଛବିଦେନ୍ଦ୍ର ରାଉଳ ଆଜି ତାଳଚେର ଗସ୍ତରେ ଆସି ଏଫ୍‌ସିଆଇ ସାର କାରଖାନା ପରିଦର୍ଶନ କରିଛନ୍ତି। ସଚିବ ଶ୍ରୀ ରାଉଳ ଅନୁଗୁଳରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସଚିବ ଶ୍ରୀ ରାଉଳ ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ଏଫ୍‌ସିଆଇ ସାର କାରଖାନା ପରିଦର୍ଶନରେ ଯାଇଥିଲେ। କୋଇଲା ଗ୍ୟାସିଫିକେସନ ପ୍ଲାଣ୍ଟ ସମେତ ଆମୋନିଆ ଓ ୟୁରିଆ ପ୍ଲାଣ୍ଟ ପାଇଁ ଟେଣ୍ଟର ନେଇଥିବା ଠିକାଦାର ସଂସ୍ଥା ଚାଇନାର ମେସର୍ସ ଉହାନ ଇଞ୍ଜିନିୟରିଂ କଂପାନିର ପ୍ରତିନିଧି ମଧ୍ୟ ଏହି ଗସ୍ତରେ ସାମିଲ ଥିଲେ। ସଚିବ ନୂତନ ପ୍ଲାଣ୍ଟ ନିର୍ମାଣାଧୀନ ସ୍ଥାନ ମାଟି ପରୀକ୍ଷାର ଶୁଭାରମ୍ଭ କରିଥିଲେ। ସେ ପ୍ଲାଣ୍ଟ ପରିସର ବୁଲିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ ବୋଲି ପ୍ରକାଶ କରିଥିଲେ। ପ୍ଲାଣ୍ଟ ଭିତରେ ରାସ୍ତା, ଡ୍ରେନ୍‌ ଓ କଲଭର୍ଟ ନିର୍ମାଣ ପାଇଁ ସଚିବ ଶୁଭ ଦେଇଥିଲେ। ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ଅନୁମତି ସକାଶେ ସଚିବ ଆସନ୍ତା ୨୨ ତାରିଖରେ ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକରେ ଯୋଗଦେବେ ବୋଲି ପ୍ଲାଣ୍ଟ ସୂତ୍ରରୁ ଜଣାପଡ଼ିଛି। ସଚିବଙ୍କ ସହ ତାଳଚେର ଉପଜିଲ୍ଲାପାଳ ପରେଶଚନ୍ଦ୍ର ନାୟକ, ଏସଡିପିଓ ସିଦ୍ଧାର୍ଥ କଟାରିଆ, ତହସିଲଦାର ଗୌରୀ ନାଏକ, ତାଳଚେର ସାର କାରଖାନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପାର୍ଥ ଜାନା, ମୁଖ୍ୟ ପରିଚାଳନା ଅଧିକାରୀ ଏସ୍‌. ବି. ଗାଉଡେ, ସମନ୍ୱୟ ବିଭାଗ ଉପଦେଷ୍ଟା ସୁମନ୍ତ ପ୍ରଧାନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର