ବିଜେଡି ନୁହେଁ, ସରକାର ମୁହଁ ଖୋଲନ୍ତୁ: ଧର୍ମେନ୍ଦ୍ର

ଖୋଲା ବିତର୍କ ପାଇଁ ଆହ୍ଵାନ ଦେଲା ବିଜେଡି

ଭୁବନେଶ୍ୱର : ଗତ ୭ ତାରିଖରେ ଏନ୍‌ଡିଏ ସରକାରଙ୍କ ଦ୍ୱାରା ଓଡ଼ିଶାରେ ହୋଇଥିବା କାମର ରିପୋର୍ଟ କାର୍ଡ ରଖିଥିଲେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତକାଲି ବିଜେଡି ଏହାକୁ କାଳ୍ପନିକ ଗୋଲାପୀ ଚିତ୍ର କହି କେନ୍ଦ୍ର ମନ୍ତ୍ରୀଙ୍କ ତଥ୍ୟ ବାସ୍ତବତା ଠାରୁ ଦୂରରେ ବୋଲି କହିଥିଲା। ବିଜେଡିର ଏପରି ମନ୍ତବ୍ୟର ଆଜି ପାଲ୍‌ଟା ଜବାବ ଦେଇଛନ୍ତି ଶ୍ରୀ ପ୍ରଧାନ। ଖୋଲା ଆହ୍ଵାନ ଦେଇଛନ୍ତି, ସେ ଦେଇଥିବା ତଥ୍ୟ ମିଥ୍ୟା ବୋଲି ବିଜେଡି ନୁହେଁ, ରାଜ୍ୟ ପ୍ରଶାସନ କିମ୍ବା ମୁଖ୍ୟମନ୍ତ୍ରୀ ନିଜେ କୁହନ୍ତୁ।

ଶ୍ରୀ ପ୍ରଧାନ କହିଛନ୍ତି, ବିଜେଡି ମଞ୍ଚରୁ ଓଡ଼ିଶାକୁ ମୋଦି ସରକାରଙ୍କ ଅବଦାନର ହିସାବକୁ ଭୁଲ୍‌ ବୋଲି କହିବା ଓ ତାଙ୍କୁ ପଚରାଯାଇଥିବା ପ୍ରଶ୍ନଗୁଡ଼ିକର ଆହ୍ଵାନକୁ ସେ ସ୍ୱୀକାର କରୁଛନ୍ତି। ଏହାର ଗୋଟି ଗୋଟି ଉତ୍ତର ଦେବାକୁ ସେ ପ୍ରସ୍ତୁତ ଅଛନ୍ତି। ଗତକାଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଥିବା ପ୍ରଶ୍ନକର୍ତ୍ତା ପ୍ରତାପ ଦେବ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ ପ୍ରମୁଖଙ୍କୁ ସେ ନିମନ୍ତ୍ରଣ କରୁଛନ୍ତି। ସେମାନଙ୍କ ସହ ଚା ପିଇବା ସହ ସମସ୍ତ ପ୍ରଶ୍ନକୁ ସେ ବୁଝାଇଦେବେ। ମାତ୍ର ଏହି ନେତାମାନଙ୍କର ମନର କଷ୍ଟକୁ ସେ ଭଲ ଭାବେ ବୁଝିପାରନ୍ତି। ସେମାନେ ତୃତୀୟ ମହଲାର ଘୋଷିଥିବା ଶବ୍ଦର ପାରା। କା’ରେ ଶାସନ ଚଳାଉଥିବା କଳାପାହାଡ଼ଙ୍କର କୁହାଯାଉଥିବା ଶବ୍ଦକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସେମାନଙ୍କର ବାଧ୍ୟବାଧକତା।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ମୋଦି ସରକାର ଆସିବା ପରେ ୫୪୪୯ କିମି ଜାତୀୟ ରାଜପଥ ଓଡ଼ିଶାକୁ ଆସିଛି। ଏଥିରୁ ଶେଷ ଅଢ଼େଇ ହଜାର କିମିର ରାଜପଥ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ତରଫରୁ ଆସି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେତେ ଦିନ ହେଲା ପଡ଼ିଛି, ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ତତ୍‌କ୍ଷଣାତ୍‌ ପ୍ରଦାନ କରନ୍ତୁ। ସେ କହିଛନ୍ତି, ତୃତୀୟ ମହଲା କାହାରି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଏହା ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା ଭରସାର କେନ୍ଦ୍ର। ଏହାକୁ କଳାପାହାଡ଼ଙ୍କ ଅକ୍ତିଆରରୁ ମୁକ୍ତି ପାଇଁ ସାରା ରାଜ୍ୟରେ ଜନ ଆନ୍ଦୋଳନ ହେଲାଣି।

କେନ୍ଦ୍ର ମନ୍ତ୍ରୀଙ୍କ ଏପରି ସମାଲୋଚନାର ଜବାବ ଦେବାରେ ହେଳା କରିନି ବିଜେଡି। ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି, ଇଣ୍ଟର୍‌ନେଟ୍‌ ଯୁଗରେ କିଏ ସତ କହୁଛି ଓ କିଏ ମିଛ କହୁଛି, ତାହା ଓଡ଼ିଶାର ଜନସାଧାରଣ ଭଲ ଭାବେ ବୁଝୁଛନ୍ତି। ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବେଳେ ଯେଉଁ ହୋର୍ଡିଂ ଲଗାଯାଇଥିଲା, ସେଥିରେ ଯାହା ଦର୍ଶାଯାଇଥିଲା ସେଥିରୁ କେତେଟାରେ ଉତ୍ତୀର୍ଣ୍ଣ ହେଲେଣି ତାହା କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ବିଜେଡି ଯାହା କହିଛି, ତାହା ଠିକ୍‌। ସବୁ ତଥ୍ୟ ସାମ୍ନାରେ ଅଛି। କେନ୍ଦ୍ର ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନଙ୍କ ଠାରୁ ତଥ୍ୟ ଆଣନ୍ତୁ। ସମୂହରେ ଆଲୋଚନା ହେଉ। କେନ୍ଦ୍ର ମନ୍ତ୍ରୀଙ୍କୁ ଖୋଲା ବିତର୍କକୁ ଆମେ ଆହ୍ଵାନ କରୁଛୁ।

ବିଜେଡି ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶାସନ ଓ ବିଜେଡି ପରିଚାଳିତ ହେଉଛି। ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସାମ୍ନା କରି ନ ପାରି କିଛି ନେତା କ୍ଷମତା ଲୋଭରେ ଅନ୍ୟମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି, ଯାହା ସ୍ପୃହଣୀୟ ନୁହଁ। ଗତକାଲି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନଙ୍କୁ କେତୋଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚରାଯାଇଥିଲା। ଶ୍ରୀ ପ୍ରଧାନ ସିଧାସଳଖ ତାହାର ଉତ୍ତର ନ ଦେଇ ଅବାନ୍ତର କଥା କହୁଛନ୍ତି। ଯଦି ସତ୍‌ସାହସ ଅଛି, ତେବେ ପ୍ରଶ୍ନର ଉତ୍ତର ଦିଅନ୍ତୁ।

ସମ୍ବନ୍ଧିତ ଖବର