କୋଟିଆକୁ କେହି ଓଡିଶାରୁ ଛଡାଇ ନେଇପାରିବେ ନାହିଁ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ଗାଁଁ’ଗୁଡ଼ିକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗିରହିଛି। ହେଲେ ଗତ ଜାନୁଆରୀରେ ଆନ୍ଧ୍ରର ବହୁ ଅଧିକାରୀ ଓ ଜନପ୍ରତିନିଧି କୋଟିଆକୁ ଆସି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧିନରେ ସହାୟତା ବାଣ୍ଟିବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। କୋଟିଆ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ୟାକେଜ ଘୋଷଣା କରାଯାଇଥିଲା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ ନେଇ ଏବେ ରାଜନୀତି ତୀବ୍ର ହେବାରେ ଲାଗିଛି।

ଓଡିଶାର ଏହି ବିବାଦୀୟ ଅଂଚଳକୁ ନେଇ ୪ ମାସ ହେଲା ଚର୍ଚା ଲାଗି ରହିଥିବା ବେଳେ କୋଟିଆର ବିକାଶ ପାଇଁ ଦିନକ ତଳେ ରାଜ୍ୟ ସରକାର ୧୫୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ଲୋକଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ଆବଶ୍ୟକତା ପହଂଚାଇବାକୁ ୩ ବର୍ଷ ଲକ୍ଷ୍ୟ ସ୍ଥିର କରିଥିଲେ । ଆଉ ଏବେ ଏହି ପ୍ରସଙ୍ଗ ନେଇ କୋଟିଆରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ।

କୋଟିଆ ଗାଁରେ ପହଁଚିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କୋଟିଆର ବିକାଶ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଆଉ କୋଟିଆକୁ କେହି ଓଡିଶାରୁ ଛଡାଇ ନେଇପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ବର୍ଷ ବର୍ଷ ଧରି ଯେଉଁଠି ପ୍ରଶାସନ କିମ୍ବା ସରକାରୀ ଅଧିକାରୀଙ୍କ ପାଦ ପଡୁନଥିଲା ଆଜି ସେହି ଅଂଚଳ ପାଇଁ ନେତାଙ୍କ ଦରଦ । ଓଡିଶା ମାନଚିତ୍ରରୁ ହଜିବାକୁ ବସିଥିବା ବଣ ପାହାଡ ଘେରା କୋଟିଆ ପାଇଁ ବାହାରିଲେ ରାଜ୍ୟ ସରକାର ଓ କେନ୍ଦ୍ରମନ୍ତ୍ରୀ।

ତେବେ କୋଟିଆକୁ ନେଇ ରାଜନୀତି ଭିତରେ କୁନ୍ଦୁଲିରେ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାର ଏଭଳି ସମ୍ବେଦନଶୀଳ ଘଟଣାକୁ ଅଣଦେଖା କରିବା ସହ ପୀଡିତା ପରିବାରକୁ ନ୍ୟାୟ ଦେଇପାରିବେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଘଟଣାର ସିବିଆଇ ଯାଂଚ୍‌ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବନ୍ଧିତ ଖବର