ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନାର ହିତାଧିକାରୀ ଶୀଘ୍ର ଚିହ୍ନଟ କର

ପ୍ରଥମ ପର୍ଯ୍ୟାୟରେ ୨, ଦ୍ୱିତୀୟ ପର୍ଯ୍ୟାୟରେ ୪ ଜିଲ୍ଲାରେ ହେବ କାର୍ଯ୍ୟକାରୀ

ଭୁବନେଶ୍ୱର : ବିପିଏଲ ପରିବାରର ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ସହାୟକ ଉପକରଣ ମାଗଣାରେ ବାଣ୍ଟିବା ଲାଗି କେନ୍ଦ୍ର ସରକାର ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା (ଆର୍‌ଭିଓ୍ଵାଇ) ଆରମ୍ଭ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଦୁଇଟି ଜିଲ୍ଲା ସୁନ୍ଦରଗଡ଼ ଓ ଅନୁଗୁଳକୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪ଟି ଜିଲ୍ଲା ଯଥା ହିଞ୍ଜିଳି(ଗଞ୍ଜାମ), ମୟୂରଭଞ୍ଜ, ଢେଙ୍କାନାଳ ଓ ନୂଆପଡ଼ାକୁ ଚିହ୍ନଟ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରୁ ପ୍ରାୟ ୨୦୦୦ ଜଣ ଲେଖାଏଁ ବୟସ୍କ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଉକ୍ତ ଯୋଜନାର ହିତାଧିକାରୀମାନଙ୍କୁ ତୁରନ୍ତ ଚିହ୍ନଟ କରିବା ଲାଗି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ଵରଚନ୍ଦ୍ର ଗେହଲଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ଯେତେ ଶୀଘ୍ର ହିତାଧିକାରୀ ଚୟନ କରିବେ ସେତେଶୀଘ୍ର କ୍ୟାମ୍ପ ଆୟୋଜନ କରାଯାଇ ହିତାଧିକାରୀମାନଙ୍କୁ ଉପକରଣମାନ ମାଗଣାରେ ଯୋଗାଇ ଦିିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଉକ୍ତ ଯୋଜନାରେ ବରିଷ୍ଠ ନାଗରିକମାନଙ୍କୁ ଶ୍ରବଣ ଯନ୍ତ୍ର, ହ୍ଵିଲ ଚେୟାର, ଆଶା ବାଡ଼ି, ଚଷମା ଏବଂ କୃତ୍ରିମ ଦାନ୍ତ ଆଦି ଯୋଗାଇ ଦିଆଯିବ। ଏହାର ସମସ୍ତ ଖର୍ଚ କେନ୍ଦ୍ର ସରକାର ବହନ କରିବେ। ତେଣୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଶୀଘ୍ର ଚୟନ କରିବା ଲାଗି ଡେପୁଟି କମିସନର/ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗେହଲଟ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଚୟନ ହୋଇଥିବା ଜିଲ୍ଲା ଗୁଡ଼ିକର ଯୋଗ୍ୟ ହିତାଧିକାରୀ ବାଛିବା ପାଇଁ ଅଧିକାରୀମାନଙ୍କୁ ତୁରନ୍ତ ନିର୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ କହିଛନ୍ତି। ତାଙ୍କ ମନ୍ତ୍ରାଳୟ ଅଧୀନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ କୃତି୍ରମ ଅଙ୍ଗପ୍ରତ୍ୟଙ୍ଗ ନିର୍ମାଣ ନିଗମ (ଆଲିମ୍‌କୋ) ଏହି ଯୋଜନାକୁ କାର୍ଯ୍ୟକାରୀ କରିବ।

ସମ୍ବନ୍ଧିତ ଖବର