ହେଲପ୍‌ଲାଇନ୍ ଜାରି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ଦୁଗ୍ଧ ଗାଡ଼ିକୁ ବାଟ ଛାଡ଼ିବାକୁ ନିର୍ଦ୍ଦେଶ 

ଭୁବନେଶ୍ବର : କରୋନା ଭୂତାଣୁର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୧ ଦିନ ପାଇଁ ତାଲା ବନ୍ଦ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ସୃଷ୍ଟି ହୋଇଥିବା ସ୍ଥିତି ପାଇଁ ଲୋକମାନେ ପ୍ରସ୍ତୁତ ନଥିଲେ। ତେଣୁ ରାଜ୍ୟ ଭିତରେ ଓ ବାହାରେ ‌ଅନେକ ଲୋକ ଭୋକ ଉପାସରେ ଓ ରହିବା ପାଇଁ ବାସ ସ୍ଥାନ ଖଣ୍ଡିଏ ନପାଇ ପଡ଼ିରହିଛନ୍ତି। ସେଭଳି ଲୋକଙ୍କ ପାଇଁ ଖୁବ୍‌ଶୀଘ୍ର ଏକ ହେଲପ୍‌ଲାଇନ୍ ଜାରି କରିବାକୁ କେନ୍ଦ୍ର ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ, କର୍ମଚାରୀ ଓ ବ୍ୟବସାୟୀ ଆଦି ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ହେଲପ୍‌ଲାଇନ୍ ଜାରି କରି ରାଜ୍ୟ ସରକାର ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ଦରକାର ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଅନ୍ୟ ରାଜ୍ୟ ବାହ‌େରେ ଫସି ରହିଥିବା ଓଡ଼ିଆଙ୍କ ବିଷୟରେ ଜାଣିବା ଲାଗି ଅନ୍ୟ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବଙ୍କ ସହ ସମ୍ପର୍କରେ ରହିବା ଲାଗି ରାଜ୍ୟର ମୁଖ୍ୟ ସଚିବଙ୍କୁ ନିର୍ଦେଶ ଜାରି କରିବାକୁ ମଧ୍ୟ ଶ୍ରୀ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଦୁଗ୍ଧ ଗାଡ଼ିକୁ ବାଟ ଛାଡ଼ିବାକୁ ନିର୍ଦ୍ଦେଶ 
ଭୁବନେଶ୍ୱର : ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ସଂଗ୍ରହ, ପକ୍ରିୟାକରଣ, ସଂରକ୍ଷିତ, ପରିବହନ, ବଣ୍ଟନ ଓ ବଜାର ସୁବିଧା କରିବା ବର୍ତ୍ତମାନ ସମୟରେ ବହୁତ ଗୁରୁତ୍ୱପୂର୍ଣ୍ଣ। ତାହାକୁ ଦୃଷ୍ଟିରେ ରଖି ଲକ୍‌ ଡାଉନ୍‌ ସମୟରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ପରିବହନ କରୁଥିବା ବ୍ୟକ୍ତି, ଗାଡ଼ି ଆଦିକୁ ଛାଡ଼ିଦେବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲାପାଳ ଓ ଏସପିମାନଙ୍କୁ ନିର୍ଦେଶ ଦିଆଯାଇଛି। ଏଥିସହ ଦୁଗ୍ଧ ଯୋଗାଣରେ ସାମିଲ ହେଉଥିବା ବ୍ୟକ୍ତି ବିଶେଷ ଓ ଗାଡ଼ିଗୁଡ଼ିକ ଯେପରି ସ୍ୱାଭାବିକ ଭାବେ ରାସ୍ତାରେ ଚଳପ୍ରଚଳ କରିପାରିବେ ସେଥିପାଇଁ ସ୍ଥାନୀୟ ସହରାଞ୍ଚଳ ପ୍ରଶାସନ ଓ ଓମଫେଡ୍‌ ଡାଏରି ମ୍ୟାନେଜରମାନେ ଗାଡ଼ି ପାସ ଯୋଗାଇଦେବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ସାରା ରାଜ୍ୟରେ ଦୁଗ୍ଧ ଅଭାବୀ ବିକ୍ରି ଓ ପରିବହନରେ ସମସ୍ୟା ହେଉଥିବା ନେଇ ବୁଧବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର