ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ବେଞ୍ଚ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ କହିଲେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପରାମର୍ଶ ନିଆଯାଉ

ଭୁବନେଶ୍ୱର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଗତ ୫ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିର ଉତ୍ତର ଏକ ସପ୍ତାହ ମଧ୍ୟରେ ମିଳିଛି। କେନ୍ଦ୍ରମନ୍ତ୍ରୀ ବିଧି ବ୍ୟବସ୍ଥା ଅନୁସାରେ ସମସ୍ତ ତଥ୍ୟ ଓ ସୁପାରିଶ ସହିତ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଲେଖିଛନ୍ତି, ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ଗଠନ ପ୍ରସ୍ତାବକୁ ବିଚାର ଲାଗି ଗ୍ରହଣ କରିବା ପୂର୍ବରୁ ରାଜ୍ୟ ସରକାର ଜଷ୍ଟିସ ସି.ଆର.ପାଲ କମିସନଙ୍କ ରିପୋର୍ଟ ପ୍ରକାଶ କରନ୍ତୁ।

କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି ଯେ, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପୂର୍ବରୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରାଯାଉ। ଏଥିପାଇଁ ଆବଶ୍ୟକ ହେଉଥିବା ଜମି, କୋର୍ଟ ବିଲଡିଂ, ବିଚାରପତିଙ୍କ ଆବାସିକ ସ୍ଥାନ ନିରୂପଣ କରାଯାଉ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ଗତ ସେପ୍ଟେମ୍ବର ୫ରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଥିଲେ। ହାଇକୋର୍ଟ ବେଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ମଧ୍ୟ ୨ ଥର କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା କରିବାକୁ ତଥା ପଦକ୍ଷେପ ନେବାକୁ ମୁଁ ୨୦୧୩ ସେପ୍ଟେମ୍ବର ୨୮ ଓ ୨୦୧୪ ଫେବ୍ରୁଆରି ୧୩ରେ ନିବେଦନ କରିଥିଲି।

ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଲୋକମାନେ କଟକ ଆସି ସେମାନଙ୍କର ହାଇକୋର୍ଟ ସଂପର୍କୀତ କାମ କରିବାକୁ ଅନେକ ହଇରାଣ ଓ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଏହି ଏହି ଅଞ୍ଚଳରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା କରିବାକୁ ସେମାନେ ବହୁ ଦିନରୁ ଦାବି କରି ଆସୁଛନ୍ତି। ନବୀନ କହିଛନ୍ତି ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆବଶ୍ୟକ ସହଯୋଗ କରିବାକୁ ପ୍ରସ୍ତୁତ ଅଛି।

ସମ୍ବନ୍ଧିତ ଖବର