ୟୁନିଟ-୯ ଅଞ୍ଚଳରେ ଆତଙ୍କରାଜ : ୧୬ ଅଭିଯୁକ୍ତଙ୍କ ମଧ୍ୟରେ ୧୪ ନାବାଳକ

ଘଟଣା ପଛରେ ପ୍ରେମ!

ଭୁବନେଶ୍ବର : ଶୁକ୍ରବାର ବିଳମ୍ବିତ ରାତିରେ ୟୁନିଟ୍‌-୯ ଅଞ୍ଚଳରେ ଜଣେ ଯୁବକଙ୍କୁ ୧୬ରୁ ୨୦ ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା‌ ନୂଆ ମୋଡ଼ ନେଇଛି। ଚିହ୍ନଟ ହୋଇଥିବା ୧୬ ଅଭିଯୁକ୍ତଙ୍କ ମଧ୍ୟରେ ୧୪ଜଣ ନାବାଳକ ରହିଛନ୍ତି। ସମସ୍ତେ ରାଜଧାନୀର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ‌ରେ ପଢ଼ନ୍ତି। ଲୋକେ ଜଣଙ୍କୁ ଧରି ପୁଲିସ ଜିମା ଦେଇଥିବା‌ ବେଳେ ଅନ୍ୟ ୮ ଜଣଙ୍କୁ ପୁଲିସ ଉଠାଇ ଆଣି ପଚରାଉଚରା କରୁଛି। ଅନ୍ୟ ଅଭିଯୁକ୍ତମାନଙ୍କ ପରିଚୟ ମିଳିଛି। କିନ୍ତୁ ସେମାନେ ଫେରାର୍‌ ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ରାତିଅଧିଆ ଚଢ଼ଉ ଜାରି ରହିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସୂଚନା ମୁତାବକ, ଆକ୍ରମଣରେ ଆହତ ହୋଇଥିବା ଛାତ୍ର ପି. ଆକାଶ ଦୋରା ସେହି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପୂର୍ବତନ ଛାତ୍ର। କୌଣସି ଏକ ଘଟଣାକୁ ନେଇ ନିକଟ ଅତୀତରେ କିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଥିଲା। ଆକାଶ ଓ ତାଙ୍କର କିଛି ପୁରୁଣା ସାଙ୍ଗ ପ୍ରତିଦିନ ୟୁନିଟ୍‌-୯ ପଡ଼ିଆରେ କ୍ରିକେଟ୍‌ ଖେଳିବା ସହ ଖଟି କରୁଥିବା ଖବର ପାଇ ଉକ୍ତ ଛାତ୍ରମାନେ ତାଙ୍କୁ ଟାର୍ଗେଟ୍‌ କରିଥିଲେ। ୪ ଦିନ ତଳେ ଆକାଶ ପଡ଼ିଆରେ ବସି ଖଟି କରୁଥିବା ବେଳେ ଅଭିଯୁକ୍ତମାନେ ସେଠା‌ରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖି ଆକାଶ ସେଠାରୁ ପଳାଇଯିବାକୁ ଉଦ୍ୟତ ହେବା ବେଳେ ତାଙ୍କ ବୁଲେଟ୍‌ର ଧୂଆଁ ଅଭିଯୁକ୍ତ ଛାତ୍ରମାନଙ୍କ ମୁହଁରେ ବାଜିଥିଲା। ଏହାକୁ କେନ୍ଦ୍ର କରି ସେମାନଙ୍କ ମଧ୍ୟରେ ପ୍ରବଳ ବଚସା, ପାଟିତୁଣ୍ଡ ହୋଇଥିଲା। ପରସ୍ପରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ସେହିଦିନଠାରୁ ଅଭିଯୁକ୍ତମାନେ ଆକାଶଙ୍କୁ ଆକ୍ରମଣ କରିବାକୁ ସୁଯୋଗ ଉଣ୍ଡୁଥିଲେ। ଗତ ରାତି ପ୍ରାୟ ସାଢ଼େ ୯ଟା ବେଳେ କିଛି ବନ୍ଧୁଙ୍କ ସହ ଆକାଶ ୟୁନିଟ୍‌-୯ କନକ ଦୁର୍ଗା ମନ୍ଦିର ନିକଟରେ ଥିବା ବେଳେ ଏହି ଅଭିଯୁକ୍ତମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର‌ରେ ଆକ୍ରମଣ କରିବାରୁ ଆକାଶ ତଳେ ପଡ଼ି ହାତ ଦେଖାଇ ଦେଇଥିଲେ। ଫଳରେ ତାଙ୍କ ହାତର ଏକାଧିକ ସ୍ଥାନରେ ଖଣ୍ଡା ଚୋଟ ବାଜିଥିଲା। ଆକାଶଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଜଣଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ। ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

‌‌ଅପରପକ୍ଷେ ଆକାଶଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ପଛରେ ‘ପ୍ରେମ’ ରହିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଅଟକ ଅଭିଯୁକ୍ତମାନଙ୍କୁ ଏକତ୍ର ପଚରାଉଚରା କରାଯିବା ବେଳେ ମାମଲା ପଛରେ ଏଭଳି ଏକ ରହସ୍ୟ ବାବଦରେ ପୁଲିସ ସୁରାକ୍‌ ପାଇଛି। କିନ୍ତୁ ତଦନ୍ତରେ ବାଧା ଉପୁଜିବା ଉଦ୍ଦେଶ୍ୟରେ କିଛି ସ୍ପଷ୍ଟ କରୁନାହିଁ।

‌‌ତେବେ କମିସନରେଟ୍‌ ପୁଲିସ ସୁରକ୍ଷାରେ ଥିବା ରାଜଧାନୀ‌‌‌ ରାଜରାସ୍ତାରେ ଏପରି ଆତଙ୍କରାଜ ଘଟଣା ନୂଆ ନୁହେଁ। ଗତ ୨ ମାସ ମଧ୍ୟରେ ଏପରି ତିନିଟି ଘଟଣା ଘଟିସାରିଛି। କିଛି ଦିନ ତଳେ ୨୦ରୁ ଊର୍ଧ୍ବ ମୁଖାପିନ୍ଧା ଦୁର୍ବୃତ୍ତ ଜନଗହଳିପୂର୍ଣ୍ଣ ମାର୍କେଟ୍‌ ବିଲ୍‌ଡିଂରେ ଆତଙ୍କ ଖେଳାଇଥିଲେ। ଦୋକାନୀଙ୍କୁ ବାଡ଼ିଆପିଟା କରିବା ସହ ସାଧାରଣ ଲୋକଙ୍କୁ ମଧ୍ୟ ଭୟଭୀତ କରିଥିଲେ। ସେହିପରି ଗତ ଡିସେମ୍ବର ୨୫ ତାରିଖ (ବଡ଼ଦିନ) ସଂଧ୍ୟାରେ ମହର୍ଷି କଲେଜ ନିକଟରେ ରାସ୍ତା ଉପରେ କିଛି ଦୁର୍ବୃତ୍ତ ଆତଙ୍କ ଖେଳାଇଥିଲେ। ସାଧାରଣ ଲୋକଙ୍କୁ ମାରପିଟ୍‌ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏବେ ଡିସିପି ଅଫିସ୍‌ଠାରୁ ମାତ୍ର କେଇ ମିଟର ଦୂରରେ ଯୁବକଙ୍କୁ ଆକ୍ରମଣ ହୋଇଛି। ଏହି ସବୁ ଘଟଣା ରାଜଧାନୀବାସୀଙ୍କୁ ଭୟଭୀତ କରୁଥିବା ବେଳେ ପୁଲିସ୍‌ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର