ଜାତିସଂଘ ଗ୍ରୀଷ୍ମକାଳୀନ ତାଲିମରେ ଢେଙ୍କାନାଳର ୩ ଛାତ୍ରଛାତ୍ରୀ

ଢେଙ୍କାନାଳ : ଆମେରିକା ଓ ମିଳିତ ଜାତିସଂଘ ପକ୍ଷରୁ ୱାସିଂଟନ୍ ଠାରେ ଆୟୋଜିତ ହେବାକୁ ଥିବା ‘ସମର ଷ୍ଟଡି’ରେ ଢେଙ୍କାନାଳ ଜିଲ୍ଲାର ୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ତାଲିମ୍ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ଶିକ୍ଷା କାର୍ଯ୍ୟକ୍ରମ ଆସନ୍ତା ଜୁନ୍ ୩ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ ପାଇଁ ଢେଙ୍କାନାଳ ଛାତ୍ରଛାତ୍ରୀମାନେ ଉଫୁନା ସହଯୋଗରେ ଗତ ମାର୍ଚ୍ଚ ମାସରେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇଥିଲେ। ବିଶ୍ୱର ବଛା ବଛା ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିଥିବାବେଳେ ଭାରତରୁ ୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ତାଲିମ୍ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଢେଙ୍କାନାଳର ୩ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଇଂରାଜୀ ବିଭାଗ ଛାତ୍ରୀ ଆଦାଶ୍ୟା ନନ୍ଦ, ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଏଲ୍ଏଲ୍ଏମ୍ ଛାତ୍ରୀ ତଥା ଢେଙ୍କାନାଳର ଅଧିବାସୀ ଶୁଭଲକ୍ଷ୍ମୀ ପଟ୍ଟନାୟକ, ଭୁବନେଶ୍ବର ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଣ୍ଟର ଶେଷବର୍ଷ ଛାତ୍ର ତଥା ଢେଙ୍କାନାଳ ସହର ଅଧିବାସୀ ଫ୍ୟାକ୍ସ ସାହୁ ଏହି ତାଲିମ୍ ପାଇଁ ମନୋନୀତ ହୋଇଛନ୍ତି। ସେମାନେ ଆନ୍ତର୍ଜାତିକ ସଂପର୍କ, କୂଟନୀତି ତଥା ଦେଶ ଦେଶ ଭିତରେ ସୁସଂପର୍କ ପ୍ରତିଷ୍ଠା ସଂପର୍କରେ ତାଲିମ୍ ନେବେ ବୋଲି ଜଣାପଡ଼ିଛି। ସେଟନ୍ ହଲ୍ ବିଶ୍ୱ ବିଦ୍ୟାଳୟର ବରିଷ୍ଠ ଡିନ୍ ତଥା କାର୍ଯ୍ୟକ୍ରମର ନିର୍ଦ୍ଦେଶକ କଟ୍ନି ବି ସ୍ମିଥ୍ ପତ୍ର ମାଧ୍ୟମରେ ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ଏହି ସୂଚନା ଦେଇଛନ୍ତି। ଆଦ୍ୟାଶା ‌ଅଶୋକ କୁମାର ନନ୍ଦଙ୍କର ଓ ଶୁଭଲକ୍ଷ୍ମୀ ମନୋଜ ପଟ୍ଟନାୟକଙ୍କ ଝିଅ। ଉଭୟ ଛାତ୍ରୀ ମଡେଲ୍ ୟୁଏନ୍ କାର୍ଯ୍ୟକ୍ରମରେ ଉପସ୍ଥପନା ମଧ୍ୟ କରୁଛନ୍ତି। ଫ୍ୟାକ୍ସ ସାହୁ ଢେଙ୍କାନାଳ ସହରର କିଶୋର ଚନ୍ଦ୍ର ସାହୁଙ୍କ ପୁଅ।

ସମ୍ବନ୍ଧିତ ଖବର