ବିଶ୍ୱବିଦ୍ୟାଳୟରେ ପରୀକ୍ଷା ବିଭ୍ରାଟ : ପୁନଃମୂଲ୍ୟାୟନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାସ୍‌ ଛାତ୍ରୀ ଫେଲ୍‌ ଘଟଣା

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ବିବାଦ ପିଛା ଛାଡ଼ୁନି। ଆର୍ଥିକ ଅନିୟମିତତା ପ୍ରସଙ୍ଗକୁ ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନ ବିବାଦୀୟ ହୋଇ ପଡ଼ିଥିବା ବେଳେ ବିଭିନ୍ନ ସମୟରେ ହେଉଥିବା ପରୀକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି। ଏଭଳି ଏକ ଘଟଣାକୁ ଯୋଗୁଁ ବିଶ୍ୱବିଦ୍ୟାଳୟ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ବିଶ୍ୱବିଦ୍ୟାଳୟର ୟୁରେଟ୍‌ ପରୀକ୍ଷାରେ ଜଣେ ପାସ୍‌ ଛାତ୍ରୀ ଫେଲ୍‌ ହେବାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ ଦୁଇ ସପ୍ତାହ ମଧ୍ୟରେ ଉଦ୍ଭିଦ ବିଜ୍ଞାନ ୟୁରେଟ୍‌ ପରୀକ୍ଷା ଫଳ ପୁନଃ ମୂଲ୍ୟାୟନ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗତ ୨୦୧୨ରେ ୟୁରେଟ୍‌ ପରୀକ୍ଷା ଆରମ୍ଭ ହୋଇଥିଲା। କିନ୍ତୁ ଗାଇଡ୍‌ ନଥିବାରୁ ବହୁ ଛାତ୍ରଛାତ୍ରୀ ପିଏଚ୍‌ଡି ରେଜିଷ୍ଟ୍ରେସନ୍‌ କରିପାରୁ ନାହାନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ଗତ ମାର୍ଚ୍ଚ ୨୨ତାରିଖରେ ୟୁରେଟ୍‌ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏଥିରେ ଉଦ୍ଭିଦ ବିଜ୍ଞାନ ବିଭାଗ ପରୀକ୍ଷାର୍ଥୀ ଛନ୍ଦାଶ୍ରୀ ବେହେରା ମାତ୍ର ୨ମାର୍କ ପାଇଁ ଫେଲ୍‌ ହୋଇ ଯାଇଥିଲେ। ଫଳରେ ସେ ଆର୍‌ଟିଆଇରେ ଉତ୍ତର ଖାତା ମାଗିଥିଲେ। ସେଥିରୁ ଜଣାପଡ଼ିଥିଲା ଯେ ପ୍ରଶ୍ନ ନମ୍ବର ୧୮, ୧୯ ଓ ୪୩ରେ ସେ ଠିକ୍‌ ଉତ୍ତର ଲେଖିଛନ୍ତି। କିନ୍ତୁ କମ୍ପ୍ୟୁଟର୍‌ର ଉତ୍ତର କି’ ଭୁଲ୍‌ ଥିବାରୁ ସେହି ଉତ୍ତର ପାଇଁ କୌଣସି ମାର୍କ ମିଳିନାହିଁ। ଏହାକୁ ନେଇ ଛାତ୍ରୀ ଛନ୍ଦାଶ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିରେ ସେ କୁଳାଧିପତିଙ୍କ ସଚିବ, କୁଳପତିଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରି ପ୍ରଶ୍ନପତ୍ର ତିଆରି କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନେଇଥିଲେ। ଏ ନେଇ ବିଶ୍ୱବିଦ୍ୟାଳୟ ତରଫରୁ ହାଇକୋର୍ଟରେ ଆବଶ୍ୟକ କାଗଜପତ୍ର ଦାଖଲ କରାଯିବା ସହିତ ଭୁଲ୍‌କୁ ସ୍ୱୀକାର କରିଥିଲେ। ଏହି ପ୍ରସଙ୍ଗ ଉପରେ ମାନ୍ୟବର ହାଇକୋର୍ଟ ତାଙ୍କର ରାୟ ଦେଇ ଦୁଇ ସପ୍ତାହ ମଧ୍ୟରେ ଉଦ୍ଭିଦ ବିଜ୍ଞାନ ବିଭାଗ ୟୁରେଟ୍‌ ପରୀକ୍ଷା ଫଳ ପୁନଃ ମୂଲ୍ୟାୟନ କରି ମେରିଟ୍‌ ତାଲିକା ପ୍ରକାଶ କରିବାକୁ ଗତ ୨୦ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁନଃ ମୂଲ୍ୟାୟନ ଓ ମୌଖିକ ପରୀକ୍ଷା ପରେ ହିଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ଫଳ ପ୍ରକାଶନ ପୂର୍ବରୁ କଲେଜକୁ ଯାଉଛି ଟିଆର୍‌

ଗୋପନୀୟ ସେକ୍ସନ୍‌ କର୍ମଚାରୀଙ୍କ ଘରୋଇ କଲେଜ ସହ ମଧୁଚନ୍ଦ୍ରିକା

ବୁର୍ଲା  : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପରିଚାଳିତ ବିଜେଏମ୍‍ସି ପରୀକ୍ଷା ଖାତାର ମୂଲ୍ୟାୟନ ନହୋଇ ଫଳ ପ୍ରକାଶନ ଘଟଣା ଚେର ଲମ୍ବିବାରେ ଲାଗିଛି। ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ପରୀକ୍ଷା ଗୋପନୀୟ ବିଭାଗର ଆଉ କେତେକ ଗହନ କଥା ଏବେ ପଦାକୁ ଆସିବା ଆରମ୍ଭ ହୋଇଛି।

ବିଶ୍ୱବିଦ୍ୟାଳୟର ଆଫିଲିଏସନ୍‍ ନଥିବାରୁ ୨୦୧୭ରେ କେତେକ ଘରୋଇ କଲେଜର ବିସିଏ(ବ୍ୟାଚେଲର ଇନ୍‍ କମ୍ପୁଟର ଆପ୍ଲିକେସନ୍‍) ପାଠ୍ୟକ୍ରମର ୨୦୧୭ର ପରୀକ୍ଷା ଫଳ ଅପ୍ରକାଶିତ ହୋଇ ରହିଛି। ମାତ୍ର ଇସି-୪ କର୍ମଚାରୀଙ୍କ ସହ ସଂପୃକ୍ତ ଘରୋଇ କଲେଜର ମଧୁଚନ୍ଦ୍ରିକା ସଂପର୍କ ଥିବାରୁ ଉକ୍ତ କଲେଜକୁ ବିସିଏର ଫଳାଫଳର ଟେବୁଲେସନ୍‍ ରେଜିଷ୍ଟର ବା ଟିଆରକୁ ପଠାଇ ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ବିସିଏର ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମହଲରୁ ସଂପୃକ୍ତ କଲେଜକୁ ଚାପ ହେବାରୁ କଲେଜ ଗୁଡ଼ିକ ଇସି-୪ରୁ ଉକ୍ତ ଗୋପନୀୟ ତଥ୍ୟକୁ ସଂଗ୍ରହ କରି ନେଇଥିବା ଜଣାଯାଇଛି। ଏଥିରେ କେତେକ କର୍ମଚାରୀ ଅର୍ଥ ଲେଣଦେଣ କାରବାର ଚଲାଇଥିବାବେଳେ କେତେ ବରିଷ୍ଠ କର୍ମଚାରୀଙ୍କ ସଂପୃକ୍ତି ଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେବେ ସରକାରଙ୍କ ନିୟମ ଅନୁସାରେ ଯେଉଁ କଲେଜର ବିଶ୍ୱବିଦ୍ୟାଳୟର ଆଫିଲିଏସନ୍‍ ନାହିଁ ସେଗୁଡ଼ିକର ଫଳାଫଳକୁ ଆଫିଲିଏସନ୍‍ ଫି’ ପଇଠ ନକରିବା ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯିବାକୁ ନିର୍ଦ୍ଦେଶ ରହିଛି। ଅପରପକ୍ଷେ ବିଶ୍ୱବିଦ୍ୟାଳୟ ସହବନ୍ଧିତ ଏଭଳି ଅନେକ ଘରୋଇ କଲେଜ ଚାଲିଛି ଯାହାର ବର୍ଷ ବର୍ଷ ଧରି ଆଫିଲିସନ୍‍ ନାହିଁ। ମାତ୍ର ଉକ୍ତ କଲେଜଗୁଡିକ କିଛି ନ୍ୟସ୍ତସ୍ୱାର୍ଥ କର୍ମଚାରୀଙ୍କୁ ହାତ କରି ବିନା ଆଫିଲିଏସନ୍‍ରେ ମଧ୍ୟ ଛାତ୍ର ଗ୍ରହଣ କରି ବର୍ଷ ବର୍ଷ ଗଡ଼ାଇ ଚାଲିିଛନ୍ତି।

ଏ ସଂପର୍କରେ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ସୁର୍ଯ୍ୟ ନାରାୟଣ ନାୟକଙ୍କୁ ପଚରାଯିବାରୁ କିଛି କର୍ମଚାରୀ ଏଭଳି କାର୍ଯ୍ୟରେ ଲିପ୍ତ ଥାଇ ପାରନ୍ତି। ତେବେ ଏହାକୁ ରୋକାଯିବାର ସେଭଳି କିଛି ଠୋସ୍‌ ବ୍ୟବସ୍ଥା ନାହିଁ। ଗୋପନୀୟ ବିଭାଗରେ ଅନେକ ସଂସ୍କାର ଅଣାଯିବା ଆବଶ୍ୟକତା ରହୁଛି। ପ୍ରାୟତଃ ପରୀକ୍ଷା ଫଳାଫଳ ପ୍ରକାଶ କରାଯିବା ପରେ ଟିଆର ଉକ୍ତ କଲେଜକୁ ଦେଇ ଦିଆଯାଇଥାଏ। ତେବେ ତିନି ବର୍ଷର ଡିଗ୍ରି ପାଠ୍ୟକ୍ରମରେ ପ୍ରଥମ ଓ ଦ୍ଵିତୀୟ ବର୍ଷ ଅପେକ୍ଷା ଶେଷ ବର୍ଷ ଫଳାଫଳ ଅଧିକ ଗୁରୁତ୍ଵ ରହୁଛି। ଏନେଇ ପରୀକ୍ଷା ଫଳ ପ୍ରକାଶନ ବ୍ୟବସ୍ଥାରେ କେତେକ ନୂଆ ପରିବର୍ତ୍ତନ ଅଣାଯିବାକୁ ମଧ୍ୟ ସ୍ଥିର ହୋଇଛି ବୋଲି ପ୍ର.ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର