ଅସୁରକ୍ଷିତ ଶ୍ରେଣୀଗୃହ : ଛାତରୁ ଗଳୁଛି ବର୍ଷା ପାଣି, ୨ଟି ପ୍ରକୋଷ୍ଠରେ ବସୁଛନ୍ତି ୧୦ଟି ଶ୍ରେଣୀର ଛାତ୍ରଛାତ୍ରୀ

ଜୟପୁର : କୋରାପୁଟରେ ଚାଲିଛି ଲଗାଣ ବର୍ଷା। ବର୍ଷା ବନ୍ଦ ହେବାର ନାମ ଧରୁନାହିଁ । କ୍ରମାଗତ ବର୍ଷା ଯୋଗୁଁ ଅଧିକାଂଶ ଛାତ ଘର ଗଳୁଥିବା ବେଳେ ବିଦ୍ୟାଳୟ ଗୁଡିକର ଚିତ୍ର ବି ବିଚିତ୍ର । କେଉଁଠି ପିଲାଙ୍କୁ ବାରଣ୍ଡାରେ ବସାଇ ପାଠ ପଢ଼ାଯାଉଛି ତ ପୁଣି କେଉଁଠି ଗୋଟିଏ ‌ଶ୍ରେଣୀ ‌ପ୍ରକୋଷ୍ଠ ମଧ୍ୟରେ ଦୁଇରୁ ତିନି ଶ୍ରେଣୀର ପିଲାଙ୍କୁ ଗୋରୁଗାଈଙ୍କ ଭଳି ରଖି ପାଠ ପଢ଼ାଯାଉଛି । ସରକାର ଗୁଣାତ୍ମକ ଶିକ୍ଷା ସାଂଗକୁ ଭିତ୍ତିଭୂମିର ବିକାଶ କଥା କହୁଥିବା ବେଳେ ଭିତ୍ତିଭୂମି ଥିବା ସତ୍ବେ ନିମ୍ନମାନର କାମ ଯୋଗୁଁ ଏହାର ଦଣ୍ଡ ଛାତ୍ରଛାତ୍ରୀଙ୍କୁ ଭୋଗିବାକୁ ପଡୁଛି।

ଜିଲ୍ଲାର ଅଧିକାଂଶ ସ୍ଥାନରେ ଏହି ଚିତ୍ର ରହିଥିବା ବେଳେ ବୋରିଗୁମ୍ମା ବ୍ଲକ କାଳିଆଗୁଡ଼ା ଗ୍ରାମରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସ୍ଥିତି ବିଚିତ୍ର । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ଥିବା ବେଳେ ମୋଟ ୨୧୧ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ନିୟମିତ ହାରାହାରି ୧୯୦ ଜଣ ଛାତ୍ରଛାତ୍ରୀ ଆସୁଥିବା ବେଳେ ଏଥିପାଇଁ ରହିଛି ୬ଟି ଶ୍ରେଣୀଗୃହ । ୬ଟି ଶ୍ରେଣୀ ଗୃହ ମଧ୍ୟରେ ୧୦ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଥିବା ବେଳେ ବର୍ଷାରେ ଏହି ଚିତ୍ର ଅତି ବିକଳ ହୋଇପଡିଛି । ୬ଟି ଶ୍ରେଣୀଗୃହ ମଧ୍ୟରୁ ୪ଟି ଶ୍ରେଣୀ ଗୃହର ଛାତ ଗଳୁଥିବା ଯୋଗୁଁ ବର୍ଷା ପାଣି ଟପ୍ ଟପ୍ ହୋଇ ଗଳୁଛି । ପିଲାଙ୍କୁ ଏଠାରେ ବସାଇ ପଢ଼ାଇବା ସମ୍ଭବପର ନଥିବା ଯୋଗୁଁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଦୁଇଟି ଶ୍ରେଣୀ ଗୃହ ମଧ୍ୟରେ ସମସ୍ତଙ୍କୁ ବସାଇ ଶିକ୍ଷାଦାନ କରୁଛନ୍ତି । ୧୯୦ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇଟି ଶ୍ରେଣୀ ଗୃହରେ ବସାଇ ପାଠ ପଢ଼ାଇଲେ ଯାହା ସମସ୍ୟା ହେବା କଥା ତାହା ହିଁ ଏଠାରେ ହେଉଛି।

ରୋଷେଇ ଘର ନିର୍ମାଣ ହୋଇଥିଲେ ହେଁ ବର୍ଷା ଦିନ ପାଇଁ ବିଦ୍ୟାଳୟ ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ରୋ‌ଷେଇ ହେଉଛି। ଛାତ୍ରଛାତ୍ରୀ ଯେଉଁ ଦୁଇଟି ଶ୍ରେଣୀଗୃହ ମଧ୍ୟରେ ବସୁଛନ୍ତି ଏହାର ଅବସ୍ଥା ବି ଖରାପ । ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଯୋଗୁଁ ଯେକୌଣସି ସମୟରେ ବି ଅଘଟଣ ହେବାର ସମ୍ଭାବନା ରହିଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ତେବେ ଏହି ଛାତ୍ରଛାତ୍ରୀ ମାନେ ବସୁଥିବା ୨ଟି ରୁମର ସ୍ଲାପରେ ବି ଛଡା ରହିଥିବା ବେଳେ ଏହା ମଧ୍ୟ ବିପଦସଂକୁଳ ଅବସ୍ଥାରେ ରହିଛି। ବଡ ଧରଣର କିଛି ଅଘଟଣ ହେବା ପୂର୍ବରୁ ଜିଲ୍ଲାପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର