ଅବହେଳିତ ଯାଜପୁରର ଲାଙ୍ଗୁଡି ବୌଦ୍ଧ ବିହାର ! ୧୮ ବର୍ଷ ହେଲା ବନ୍ଦ ହୋଇଛି ଖନନ କାର୍ଯ୍ୟ, ମାଟିତଳେ ରହିଛି ଅନେକ ଭଗ୍ନାବଶେଷ

ଯାଜପୁର : ଅବହେଳିତ ଲାଙ୍ଗୁଡି ବୌଦ୍ଧ ବିହାର। ଦିନେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲା ଏହି ପର୍ଯ୍ୟଟନ ସ୍ଥଳ। ୧୮ ବର୍ଷଧରି ଉତଖନନ କାର୍ଯ୍ୟ ବନ୍ଦଥିବାରୁ ମାଟିତଳେ ଥିବା ଅନେକ ଭଗ୍ନାବଶେଷକୁ ବାହାର କରାଯାଇପାରୁନାହିଁ। ଯାଜପୁର ଧର୍ମଶାଳା ବ୍ଲକରେ ଥିବା ଲାଙ୍ଗୁଡି ବୌଦ୍ଧ ବିହାରକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଉଦବେଗ ଦେଖାଦେଇଛି।

 

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଲାଙ୍ଗୁଡି ବୌଦ୍ଧ ବିହାର। କୁହାଯାଏ ଏହା ଅଢେଇ ହଜାର ବର୍ଷର ଇତିହାସ ବହନ କରେ। ଏଠାରୁ ମିଳିଥିବା ପ୍ରତ୍ନତାତ୍ୱିକ ଅବଶେଷ ଗୁଡିକ ବୁଦ୍ଧଦେବଙ୍କ ମହାପ୍ରୟାଣ ପରେ ର୍ନିମିତ ହୋଇଥିବା ଐତିହାସିକ ମତ ଦିଅନ୍ତି। ଏହା ଏବେ ଅବହେଳିତ ହୋଇପଡିଛି। ୨୦୦୫ ମସିହାରୁ ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା ଏହାର ସୁରକ୍ଷା ଓ ପୁନଃଉଦ୍ଧାର ଦାୟିତ୍ୱ ନେଇଥିଲେ ମଧ୍ୟ ସଠିକ ଢଙ୍ଗରେ ଖନନ ହୋଇନଥିବାରୁ ଅନେକ ଇତିହାସ ଏବେବି ମାଟି ତଳେ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି। ଏଏସଆଇ ପକ୍ଷରୁ ଏବେ ପାହାଡ ଚାରିପାଖେ କେବଳ ପାଚେରୀ ତିଆରି କାମ ହୋଇଛି।

ଲାଙ୍ଗୁଡି ବୌଦ୍ଧ ବିହାରରୁ ମିଳିଥିବା ଭଗ୍ନାବଶେଷରୁ ବୌଦ୍ଧଧର୍ମର ଅକ୍ଷୋଭ, ଅମୋଘସିଦ୍ଧି, ବୈଲୋଚନ, ରତ୍ନସମ୍ଭବ ମୁର୍ତୀ ଗୁଡିକ ବଜ୍ରଜାନପନ୍ଥୀର ବୋଲି ଗବେଷଣାରୁ ଜଣାଯାଏ। ଉଦ୍ଧାର ହୋଇଥିବା ବୌଦ୍ଧ ମୂର୍ତ୍ତୀ ଗୁଡିକ ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହେବାର ଆଶଙ୍କାରେ ସେବୁକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ତେବେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ବିଧାୟକ କହିଛନ୍ତି। ସେପଟେ ପୁନଃ ଖନନ ପାଇଁ ଏଏସଆଇକୁ ଅନୁରୋଧ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର