ଦୟନୀୟ ଅବସ୍ଥାରେ ମାଳ ମାଳ ସରକାରୀ କୋଠା : ଅସୁରକ୍ଷିତ ଭାବେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ପରିବାର ସହ ବହୁ ସରକାରୀ କର୍ମଚାରୀ

ଜୟପୁର : କେଉଁଠି ଛାତରୁ ପାଣି ଗଳୁଛି ତ କେଉଁଠି କାନ୍ଥ ଫାଟି ଆଁ କରିଛି। ଠାଏ ଠାଏ ଛାତ ଉପରେ ଅନାବନା ଗଛ ଉଠି ଘର ଉପରେ ବିଲର ଭ୍ରମ ସୃଷ୍ଟି କରୁଛି । କାନ୍ଥରେ କଣ୍ଟା ଓ ଅନାବନା ଗଛ ମଧୢ ମାଡି ଗଲାଣି। ସଞ୍ଜ ନଇଁଲେ ବନ୍ୟଯନ୍ତୁଙ୍କ ଭୟ ଲାଗି ରହୁଛି। ଯେଉଁ ଘରେ ଦଣ୍ତେ ରହିବା କଷ୍ଟକର ସେଠାରେ ସପରିବାରେ ବର୍ଷବର୍ଷ ଧରି ଅସୁରକ୍ଷିତ ଭାବେ ରହୁଛନ୍ତି ସରକାରୀ କର୍ମଚାରୀ। ମୁଣ୍ତ ଉପରେ ଅସୁରକ୍ଷିତ କୋଠା। ଯେକୌଣସି ସମୟରେ ଭୁଷିଡି ପଡି ଜୀବନ ଯିବାର ସମ୍ଭାବନା ବି ରହିଛି। ତଥାପି ଭାଗ୍ୟକୁ ଆଦରି ପଡି ରହିଛନ୍ତି ବହୁ ପରିବାର।

କିଛିବର୍ଷ ତଳେ ବାରିଣିପୁଟ ଅଞ୍ଚଳରେ କୋଠା ଭୁଷୁଡିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଅସୁରକ୍ଷିତ ଘୋଷଣା କରି ବସି ରହିଛନ୍ତି । କେଉଁ କ୍ବାଟରଟି ଅସୁରକ୍ଷିତ ଏବଂ କେଉଁଟି ସୁରକ୍ଷିତ ତାହା ବି ଅସ୍ପଷ୍ଟ । ଯଦି କର୍ତ୍ତୃପକ୍ଷ ଅସୁରକ୍ଷିତ ଘୋଷଣା କରିଛନ୍ତି ତେବେ ସେହି କ୍ବାଟର ଭିତରେ ସରକାରୀ କର୍ମଚାରୀ ରହୁଛନ୍ତି କିଭଳି ? ଏଭଳି କ୍ବାଟର ତଳେ କୌଣସି ବଡ ବଡିଆ ଅଧିକାରୀ ରହୁନାହନ୍ତି ବରଂ ସ୍ବଳ୍ପ ବେତନଭୋଗୀ କର୍ମଚାରୀ ଭାଗ୍ୟକୁ ଆଦରି ପଡିରହିଛନ୍ତି । ସେଭଳି ମୁଖ୍ୟ ରାସ୍ତା ପାର୍ଶ୍ବରେ ରହିଛି କିଛି ସରକାରୀ କ୍ବାଟର । ତହସିଲଦାରଙ୍କ ପାଇଁ ଉର୍ଦ୍ଧିଷ୍ଟ କ୍ବାଟରଟି ଅଧିକାଂଶ ସମୟରେ ତାଲା ପଡି ରହୁଥିବା ବେଳେ ଅସୁରକ୍ଷିତ ଅବସ୍ଥାରେ ରହିଛି ଏହି କ୍ବାଟର । କ୍ବାଟର ଉପରେ ଅନାବନା ଗଛ ଉଠିଥିବା ବେଳେ ପ୍ରଶାସନ କିନ୍ତୁ ଏହାକୁ ଠିକ୍ ଥିବା କହୁଛି । ସାମାନ୍ୟ ମରାମତି କରାଗଲେ ଏହା କୌଣସି ଅସୁବିଧା ନାହିଁ । ଏଥିନେଇ ପୂର୍ତ୍ତ ବିଭାଗକୁ ଚିଠି କରାଯାଇଥିବା କହିଛନ୍ତି ତହସିଲଦାର ।

ସେଭଳି ସ୍ଥାନୀୟ ନୂଆ ସାହି ନିକଟରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କ୍ବାଟର ରହିଥିବା ବେଳେ ଏହାର ଅବସ୍ଥାକୁ ଦେଖିଲେ ଏଠାରେ କେହି ରହିବା ଭଳି ଅବସ୍ଥାରେ ନାହିଁ । ଛାତରୁ ପାଣି ଗଳୁଥିବା ବେଳେ କାନ୍ଥରୁ ପାଣି ଜକେଇ ଘରେ ଆଣ୍ଠୁଏ ପାଣି। ଘରର କାନ୍ଥ ଫାଟି ଆଁ କଲାଣି। ପୂର୍ବରୁ ଏଠାରେ ପୂର୍ବତନ ନିର୍ବାହୀ ଅଧିକାରୀ ରହୁଥିବା ବେଳେ ଏବେ ଖାଲି ପଡିଛି । ସେଭଳି ମୁଖ୍ୟ ରାସ୍ତା କଡ଼ରେ ଉପଖଣ୍ଡ ଚିକିତ୍ସାଧିକାରୀଙ୍କ କ୍ବାଟର ରହିଥିବା ବେଳେ ଏବେ ସେହି କ୍ବାଟରଟି କେଉଁଠି ତାହା ଖୋଜିବାକୁ ପଡୁଛି । କ୍ବାଟରର କାନ୍ଥ ଫାଟି ଆଁ କରିଥିବା ବେଳେ ତତ୍କାଳୀନ ଉପଜିଲ୍ଲାପାଳ ଏହି ବାସଗୃହର କିଛି ଅଂଶକୁ ଭାଂଗି ଦେଇଥିଲେ । ସେଭଳି ବ୍ଲକ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା କ୍ବାଟର, ବାରିଣିପୁଟରେ ଥିବା ଜଳସେଚନ ବିଭାଗର ସରକାରୀ କ୍ବାଟର, ଇରିଗେସନ କେଲୋନିର ସରକାରୀ କ୍ବାଟର ସମେତ ଅଧିକାଂଶ ସରକାରୀ କ୍ବାଟର ଏବେ ଅସୁରକ୍ଷିତ ଅବସ୍ଥାରେ ପଡିରହିଛି । କିଛି ସରକାରୀ କ୍ବାଟର ଏବେ ଜବରଦଖଲକାରୀଙ୍କ କବଜ୍ଜାରେ ରହିଛି । ପ୍ରଶାସନର ଜ୍ଞାତସାରରେ ଏହା ରହିଥିଲେ ହେଁ ଜବରଦଖଲକାରୀଙ୍କୁ ହଟାଇବାକୁ ପ୍ରଶାସନ ସାହାସ ଜୁଟାଇପାରୁନାହିଁ । ଏଭଳିକି କିଛି ସରକାରୀ କ୍ବାଟରରେ ଅସାମାଜିକ କାର୍ଯ୍ୟ ଚାଲୁଥିବା ବି ଅଭିଯୋଗ ହୋଇଛି । କିଛି ସରକାରୀ କର୍ମଚାରୀ ସରକାରୀ କ୍ବାଟର ନେଇ ଅନ୍ୟଙ୍କୁ ଭଡ଼ା ଲଗାଇଥିବା ବି ଅଭିଯୋଗ ହେଉଛି ।

ଏ ନେଇ ଗୃହ ଓ ରାସ୍ତା ନିର୍ମାଣ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜୟପୁର ସହରରେ ଥିବା ୨୦ରୁ ଅଧିକ ସରକାରୀ ବାସଭବନର ମରାମତି ଓ ପୁନଃରୁଦ୍ଧାର ପାଇଁ ଚିଠି ଆସିଛି। ଖୁବଶୀଘ୍ର ଏହାର ମରାମତି କରାଯିବ। ଯେଉଁଠାରେ ଜବରଦଖଲ ରହିଛି ସେଠାରୁ ଅଭିଯୋଗ ପାଇବା ପରେ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଗତ ଫେବ୍ରୁଆରି ମାସରେ ମୁଖ୍ୟ ଯନ୍ତ୍ରୀ(ବିଲ୍ଡିଂ) ରାଜ୍ୟର ୪୫ଟି ସହରରେ ଥିବା ୪୫ଟି ଅସୁରକ୍ଷିତ ‌କୋଠାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୪ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। ସେଥିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଜୟପୁର, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା-୧ ଓ ରାୟଗଡା-୨ ରାସ୍ତା ଓ ଗୃହ ବିଭାଗକୁ ୧୦ଲକ୍ଷ ଟଙ୍କା ଅର୍ଥ ଦେଇଥିବା ବେଳେ ଏହି ଅର୍ଥ ଏବେ କେଉଁଠି ଖର୍ଚ୍ଚ ହୋଇଛି ତାହାର ହିସାବ ମିଳୁନାହିଁ ।

ସମ୍ବନ୍ଧିତ ଖବର