ବିପଦ ସଙ୍କୁଳ ସ୍ଥିତିରେ ତରକେରା ବିଦ୍ୟୁତ କଲୋନୀ : ଛାତରୁ ଗଳୁଛି ପ୍ଲାଷ୍ଟର, କ୍ୱାର୍ଟର୍ସରେ ପଶୁଛି ଡ୍ରେନ ପାଣି

ରାଉରକେଲା : ବିଦ୍ୟୁତ କର୍ମଚାରୀଙ୍କ ପାଇଁ ଓଡ଼ିଶା ପାଓ୍ଵାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ୍‌ (ଓପିଟିସିଏଲ୍‌) ତରକେରା ବିଦ୍ୟୁତ କଲୋନୀରେ ରହିଛି ୭୮ଟି ସରକାରୀ କ୍ୱାର୍ଟର୍ସ। ପ୍ରାୟ ୪୦ ପାଖାପାଖି କ୍ୱାର୍ଟର୍ସରେ ବିଦ୍ୟୁତ କର୍ମଚାରୀ ପରିବାର ସହ ରହୁଛନ୍ତି। ହେଲେ ଆବଶ୍ୟକ ରକ୍ଷଣାବେକ୍ଷଣ, ମରାମତି ଅଭାବରୁ କ୍ୱାର୍ଟର୍ସଗୁଡ଼ିକ ଏବେ ବିପଦ ସଙ୍କୁଳ ସ୍ଥିତିରେ ରହିଛି। କେବଳ କ୍ୱାର୍ଟର୍ସ ନୁହେଁ ରାସ୍ତାଘାଟ, ଆଲୋକୀକରଣ ଓ ଡ୍ରେନେଜ କ୍ଷେତ୍ରରେ ସେହି ସମାନ ସ୍ଥିତି ଦେଖାଦେଇଛି। କଲୋନୀର ଏଭଳି ସ୍ଥିତିରେ ସମ୍ପର୍କରେ କ୍ୱାର୍ଟର୍ସ ରେ ପରିବାର ସହ ରହୁଥିବା ବିଦ୍ୟୁତ କର୍ମଚାରୀ ବାରମ୍ବାର ଓପିଟିସିଏଲ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ ସେମାନଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ମାସ ପରେ ମାସ ଗଢ଼ାଇ ଚାଲିଛନ୍ତି ବୋଲି କଲୋନୀ ବାସିନ୍ଦା ଅଭିଯୋଗ କରିଛନ୍ତି।

ସେମାନେ କହିଛନ୍ତି କ୍ୱାର୍ଟର୍ସଗୁଡ଼ିକ ଦୁଇ ମହଲା ବିଲ୍‌ଡିଂ ହେଲେ ମଧ୍ୟ ତଳ ମହଲା ଛାତରୁ ପାଣି ଗଳୁଛି। ଅସରାଏ ବର୍ଷା ହେଲେ କେବଳ ତଳ ମହଲା ନୁହେଁ ଉପର ମହଲାରେ ପାଣି ଲହଡି ମାରୁଛି। ଅଧିକାଂଶ କ୍ୱାର୍ଟର୍ସର ଛାତରୁ ପ୍ଲାଷ୍ଟର ଖଣ୍ଡଗୁଡ଼ିକ ଥିବାରୁ ପରିବାର ଲୋକ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। କେତେକ ଛାତରେ ଗଛ ଉଠିଗଲାଣି। ଡ୍ରେନଗୁଡ଼ିକ ମାସ ମାସ ଧରି ସଫେଇ କରାଯାଉ ନାହିଁ। ଫଳରେ କଲୋନିବାସୀ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ରହୁଛନ୍ତି। ମଶା, ମାଛିଙ୍କ ପ୍ରାର୍ଦୁଭାବ ଯୋଗୁଁ କ୍ୱାର୍ଟର୍ସ ପରିବାର ଲୋକମାନେ ଅତିଷ୍ଠ ହୋଇ ପଡୁଛନ୍ତି। ଅସରାଏ ବର୍ଷା ହେଲେ କଲୋନିବାସୀଙ୍କ ଚିନ୍ତା ବଢ଼ି ଯାଉଛି। ପ୍ରାୟ ସମୟରେ ଡ୍ରେନବୁଡ଼ି ଅଳିଆ ଆବର୍ଜନା ପାଣି କ୍ୱାର୍ଟର୍ସ ଭିତରେ ପଶୁଛି। ମୁଖ୍ୟ ରାସ୍ତାରୁ କଲୋନୀକୁ ସଂଯୋଗ ଆଭ୍ୟନ୍ତରୀଣ ରାସ୍ତା ଦୟନୀୟ ହୋଇ ପଡ଼ିଛି। ପରିଣାମସ୍ୱରୂପ ସ୍କୁଲ ଅଟୋଗୁଡ଼ିକ କଲୋନୀ ଭିତରକୁ ପଶି ପାରୁ ନଥିବାରୁ ସ୍କୁଲ ଯାଉଥିବା ପିଲାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ମରାମତି ଅଭାବରୁ ବିଦ୍ୟୁତ ଖୁଣ୍ଟିଗୁଡ଼ିକ ବିପଦ ସଙ୍କୁଳ ଭାବେ ରାସ୍ତାକୁ ଝୁଲି ପଡ଼ିଛି। ଗୋଟିଏ କି ଦୁଇଟି ନୁହେଁ ଏମିିିତି ମୋଟ ୮ଟି ବିଦ୍ୟୁତ ଖୁଣ୍ଟି ରହିଛି। ନାନା ଅବ୍ୟବସ୍ଥା ଭିତରେ ଜୀବନ ଅତିବାହିତ କରୁଥିବା ବିଦ୍ୟୁତ କର୍ମଚାରୀଙ୍କ ପ୍ରତି ଓପିଟିସିଏଲ୍‌ର ଏପରି ଅଣଦେଖା କରିବା କଲୋନାବାସିଙ୍କ ବ୍ୟଥିତ କରିଛି।

କଲୋନୀର ଏଭଳି ଅବ୍ୟବସ୍ଥା ସମ୍ପର୍କରେ ଓପିଟିସିଏଲ୍‌ର ସହକାରୀ ମହାପ୍ରବନ୍ଧକ ଧ୍ରୁବ ଚରଣ ସାହୁ କହିଛନ୍ତି ପ୍ରାୟ ୩୫ରୁ ୪୦ କ୍ୱାର୍ଟର୍ସ ବିଦ୍ୟୁତ କର୍ମଚାରୀ ରହିଛନ୍ତି। ଅବଶିଷ୍ଟ କ୍ୱାର୍ଟର୍ସ ଜବରଦଖଲ ରହିଛି। ଯେଉଁ କର୍ମଚାରୀଙ୍କୁ କ୍ୱାର୍ଟର୍ସ ଆଲଟମେଣ୍ଟ ହୋଇଛି ସେମାନେ େଓ୍ଵସ୍କୋର ଗ୍ରାହକ ହୋଇ ନଥିବାରୁ େଓ୍ଵସ୍କୋ ମରାମତି କରୁ ନାହିଁ। ରାସ୍ତାଘାଟ, ଡ୍ରେନେଜ ବ୍ୟବସ୍ଥା, କର୍ମଚାରୀ ରହିଥିବା କ୍ୱାର୍ଟର୍ସଗୁଡ଼ିକ ମରାମତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆବଶ୍ୟକ ଖର୍ଚ୍ଚର ବିସ୍ତତ ତଥ୍ୟ ଦେବା ପରେ ଓପିଟିସିଏଲ୍‌ ସାଧାରଣ ବିଭାଗ ମରାମତି କାମ ଆରମ୍ଭ କରିବେ। କ୍ୱାର୍ଟର୍ସଗୁଡ଼ିକର ମରାମତି ସହ ଅନ୍ୟାନ୍ୟ ସମସ୍ୟା ପ୍ରତି ଓପିଟିସିଏଲ୍‌ କେବେ ଧ୍ୟାନ ଦେଉଛି ତା’ ଉପରେ କଲୋନାସୀଙ୍କ ନଜର।

ସମ୍ବନ୍ଧିତ ଖବର