ମାଓବାଦୀ ଆକ୍ରମଣ ପରେ ଏବେ ଅସୁରକ୍ଷିତ ବନ୍ୟପ୍ରାଣୀ ବିଭାଗ : ଫେଲ୍ ମାରିଛି ଜିଲ୍ଲା ଗୁଇନ୍ଦା ବିଭାଗ, ଚିନ୍ତାରେ ବନ କର୍ମଚାରୀ

ଦଶପଲ୍ଲା : ଗତ ୨ ବର୍ଷ ମଧ୍ୟରେ ବନ୍ୟପ୍ରାଣୀ ବିଭାଗ ଉପରେ ଦୁଇ ଥର ମାଓବାଦୀ ଆକ୍ରମଣ ପରେ ଏବେ ଅସୁରକ୍ଷିତ ହୋଇ ପଡ଼ିଛି ବନ୍ୟପ୍ରାଣୀ ବିଭାଗ। ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଅଧୀନସ୍ଥ କୁଆଁରିଆସ୍ଥିତ ବାଣିଗୋଛା (ପୂର୍ବ) ବନାଞ୍ଚଳ କାର୍ଯ୍ୟାଳୟ ମଧ୍ୟରେ ଗତ ୨୩ ତାରିଖ ରାତିରେ ମାଓ ହମ୍‌ଲା ପରେ ଏବେ ହରଡ଼ଘଣାରେ ବିଭାଗୀୟ ଅଧିକାରୀ। ବନ କର୍ମଚାରୀଙ୍କ ପାଇଁ ଏବେ ଯେତିକି ଅଡୁଆ ବଢୁଛି, ଜିଲ୍ଲା ପୁଲିସ ପ୍ରଶାସନ ପାଇଁ ସେତିକି ମଧ୍ୟ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି। ଗୋଟିଏ ପାର୍ଶ୍ବରେ ଦେଖିବାକୁ ଗଲେ ମାଓବାଦୀମାନେ ଗୋଟିଏ ପରେ ଗୋଟିଏ ଘଟଣା ଘଟାଇ ଚାଲିଥିବା ବେଳେ, ଫେଲ୍ ମାରିଛି ଜିଲ୍ଲା ଗୁଇନ୍ଦା ବିଭାଗ। ୨୦୦୮ ଫେବ୍ରୁଆରୀ ୧୫ ତାରିଖ ଦିନ ମାଓବାଦୀମାନେ ନୟାଗଡ଼ ଜିଲ୍ଲାରେ ଘଟାଇ ଥିବା ନରସଂହାର ପରେ ଜିଲ୍ଲାରେ ସେମାନଙ୍କର ଉପସ୍ଥିତି ଜାହିର୍ କରିଛନ୍ତି।

ସାତକୋଶିଆ ଓ ବାଇଶୀପଲ୍ଲୀକୁ ମାଓବାଦୀମାନେ ସେମାନଙ୍କର ସେଫ୍ ଜୋନ୍ ଭାବେ ବାଛି ନେଇଥିବା ବେଳେ ସେଠାକାର ଅଧିବାସୀଙ୍କ ମୌଳିକ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବା ସହ ବନ୍ୟପ୍ରାଣୀ ବିଭାଗର ବନଖଣ୍ତ ଅଧିକାରୀଙ୍କ କାର୍ଯ୍ୟଧାରାକୁ ସମ୍ପୂର୍ଣ୍ଣ ବିରୋଧ କରୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସମୟରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ସହିତ ଅନେକ ସମୟରେ ସେମାନଙ୍କୁ ଗିରଫ କରାଯାଉଛି। ଏପରିକି ସାତକୋଶିଆରେ ସୁନ୍ଦରୀ ବାଘ ଛାଡିବା ସହ ସେମାନଙ୍କୁ ବିସ୍ଥାପିତ କରିବା ପାଇଁ ପ୍ରଶାସନ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛି ଏହାକୁ ତୀବ୍ର ବିରୋଧ କରିଛନ୍ତି ମାଓବାଦୀ। ୨୦୧୬ ଜୁଲାଇ ୭ ତାରିଖ ଦିନ ମହାନଦୀ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ସାତକୋଶିଆ ଓ ବାଇଶୀପଲ୍ଲୀ ଅଭୟାରଣ୍ୟ ମଧ୍ୟରେ ଥିବା ଢିପିସାହି ଓ ଗେରେଗେଡି ପ୍ରଭୃତି ବିଟ୍ ହାଉସ୍‌ ଉପରେ ମାଓବାଦୀଙ୍କ ସଂଘବଦ୍ଧ ଆକ୍ରମଣ ସହ ଏକ ବୋଲେରୋ ଗାଡ଼ି ପୋଡ଼ି ଦେଇଥିଲେ। ଏହାପରେ ମାଓବାଦୀମାନେ ବିଭିନ୍ନ ସମୟରେ ଅଭୟାରଣ୍ୟ ମଧ୍ୟରେ ଗାଁ ଗାଁରେ ବୈଠକ କରି ଆଦିବାସୀଙ୍କ ଜଳ, ଜମି, ଜଙ୍ଗଲ ଓ ଇଜ୍ଜତ ଅଧିକାର ଆଇନ ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ମାଓବାଦୀଙ୍କ ଏଭଳି ଗତିବିଦ୍ଧି ତଥା କେକେବିଏନ୍ ସଂଗଠନ (କନ୍ଧମାଳ, କଳାହାଣ୍ତି, ବୌଦ୍ଧ ଓ ନୟାଗଡ଼) ଜିଲ୍ଲାରେ ସକ୍ରିୟ ଥିବା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଦଶପଲ୍ଲା ବ୍ଲକ୍‌ ଘୁଗୁଡିପଡା ପଂଚାୟତର କଦଳୀବାରି, କାଚପଲ୍ଲୀ, ଶରଧାପୁର ଓ ବାଲିମଡା ସମେତ ଚଢେୟାପଲ୍ଲୀ ଏବଂ କଳସାଖମଣ ଆଦି ସ୍ଥାନରେ ମାଓବାଦୀଙ୍କ ଗତିବିଦ୍ଧି ନେଇ ଅନେକ ସମୟରେ ଚର୍ଚ୍ଚା ହୋଇ ଆସୁଛି। କେଉଁଠି ସଦସ୍ୟ ସଂଗ୍ରହ ପାଇଁ ଗାଁ ଗାଁରେ ବୈଠକ ତ ପୁଣି କେଉଁଠି ସଶସ୍ତ୍ର ମାଓବାଦୀମାନେ ରାତ୍ରି ଯାପନ କରୁଥିବା ନେଇ ସ୍ଥାନୀୟ ଜନସାଧାରଣଙ୍କଠାରୁ ଶୁଣିବାକୁ ମିଳୁଛି। ଏହାକୁ ନେଇ ବିଭିନ୍ନ ସମୟରେ ସୁରକ୍ଷାକର୍ମୀମାନେ କମ୍ବିଂ ଅପରେସନ କରିଥିଲେ ମଧ୍ୟ ମାଓବାଦୀଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି। ମାତ୍ର ମାଓବାଦୀମାନେ ଗତ ୨୨ ତାରିଖ ଦିନ କୁଆଁରିଆଠାରେ ୨ଟି ଧମକପୂର୍ଣ୍ଣ ପୋଷ୍ଟର୍‌ ମାରିବାର ୧ ମାସ ବ୍ୟବଧାନରେ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ ମଧ୍ୟରୁ ୪ଟି ଦେଶୀ ବନ୍ଧୁକ ଲୁଟ୍ କରିବା ଘଟଣା ଏବେ ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଏସବୁ ସତ୍ତ୍ବେ ଗୁଇନ୍ଦା ବିଭାଗ ମାଓବାଦୀଙ୍କ ଗତିବିଦ୍ଧି ନେଇ କିଭଳି ସୁରାଗ୍ ପାଇ ପାରୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବନ୍ୟପ୍ରାଣୀ ବିଭାଗ ଉପରେ ଦୁଇଥର ମାଓ ଆକ୍ରମଣ ସହ ପୁନର୍ବାର ସାତକୋଶିଆ ଓ ବାଇଶୀପଲ୍ଲୀ ମଧ୍ୟରେ ଥିବା ବିଟ୍ ହାଉସ୍‌ ଉପରେ ଆକ୍ରମଣ ପାଇଁ ଦିଆଯାଇଥିବା ଧମକକୁ ନେଇ ଚିନ୍ତାରେ ରହିଛନ୍ତି ବନ କର୍ମଚାରୀ। ଗତକାଲିର ଏହି ଘଟଣା ପରେ ବନ୍ୟପ୍ରାଣୀ ବିଭାଗ ଓ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଗଣମାଧ୍ୟମ ନିକଟରେ କେହି ମୁହଁ ଖୋଲୁନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର