ଅସୁରକ୍ଷିତ ସୀତାବିଞ୍ଜର ପ୍ରାଚୀନ ଶିଳାଲିପି

କେନ୍ଦୁଝର : ପୁରୀ, କୋଣାର୍କର ବିଶ୍ବପ୍ରସିଦ୍ଧ କାରୁକାର୍ଯ୍ୟର ସୁରକ୍ଷା ବାଜିରେ ଲାଗିଛି। ସୂକ୍ଷ୍ମ କଳାକୀର୍ତ୍ତିକୁ ହଟାଇ ଲଗାଇ ଦିଆଯାଉଛି ସାଦା ପଥର। ଏଭଳି ଅପକୀର୍ତ୍ତି ପାଇଁ ଏଏସ୍ଆଇ (ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା) ଏବେ କାଠଗଡ଼ାରେ ଛିଡ଼ାହୋଇଥିଲା ବେଳେ କେନ୍ଦୁଝର ଜିଲ୍ଲା ଘଟଙ୍ଗା ବ୍ଲକ ଅନ୍ତର୍ଗତ ସୀତାବିଞ୍ଜରେ ଥିବା ଚତୁର୍ଥ ଶତାବ୍ଦୀର ଶିଳାଲିପିର ସୁରକ୍ଷା ନେଇଛି ଉଠିଛି ପ୍ରଶ୍ନ। ଆଉ ଏହାର ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ବ ମଧ୍ୟ ନ୍ୟସ୍ତ ହୋଇଛି ଏଏସ୍ଆଇ ଉପରେ। ଏହି ପ୍ରାଚୀନ ଶିଳାଲିପି ସଂପ୍ରତି ଅବକ୍ଷୟମୁଖୀ। ଯେମିତି ସଂରକ୍ଷିତ କରି ରଖିବା କଥା ତାହା ହେଉନଥିବା ପରିଦୃଷ୍ଟ ହେଉଛି। କେବଳ ସତର୍କ ସୂଚନା ବୋର୍ଡ ଲଗାଇ ଏଏସ୍ଆଇ ଯେମିତି ନିଜ ଦାୟିତ୍ବ ସାରିଦେଇଛି। ନିକଟରେ ଏହି ଐତିହାସିକ ସ୍ଥାନଟିର ସୁରକ୍ଷା ପାଇଁ ଯଦିଓ ବିପୁଳ ଅର୍ଥ ବ୍ୟୟ କରାଯାଇ ବ୍ୟାରିକେଡ୍, ପାଚେରି ଆଦି ନିର୍ମାଣ କରାଯାଉଛି, ତାହା ସୁରକ୍ଷାରେ ସହାୟକ ହୋଇପାରୁନାହିଁ। ଏଣୁ ସିଧାସଳଖ ଏଏସଆଇର କାର୍ଯ୍ୟଶୈଳୀ ଉପରେ ସନ୍ଦେହ ପ୍ରକାଶ ପାଇଛି। ଏଠାରେ ଥିବା କାନ୍ଥଚିତ୍ର ବା ଛାୟା ଚିତ୍ର ମଧ୍ୟ ଲିଭିଗଲାଣି। ତାହା ପଥର ଉପରେ ଚିତ୍ରିତ ହୋଇଥିବାରୁ ସ୍ଥାନୀୟ ଲୋକ କିମ୍ବା ପର୍ଯ୍ୟଟକଙ୍କ ହାତରୁ ତାହା ସୁରକ୍ଷିତ ଥିଲେ ମଧ୍ୟ ପ୍ରାକୃତିକ କାରଣରୁ ତାହା ଲିଭିଗଲାଣି। ମାତ୍ର ଶିଳାଲିପିଗୁଡ଼ିକ ପ୍ରତି ସ୍ଥାନୀୟ ଅସଚେତନ ଅଧିବାସୀ ଓ ପର୍ଯ୍ୟଟକଙ୍କଠାରୁ ହିଁ ବିପଦ ଦେଖାଦେଇଛି। ପଥର ଦେହରେ ଖୋଦିତ ଏହି ସବୁ ଶିଳାଲିପି ତଳେ ପଡ଼ିରହିଛି। ଏଗୁଡ଼ିକୁ ବାଡ଼ ଘେରାଯାଇଥିଲେ ହେଁ ଫାଟକ ମୁକୁଳା ରହିଛି। କେହି ସୁରକ୍ଷାକର୍ମୀ ରହୁଥିବା ଦେଖାଯାଉନାହିଁ। ବିଡ଼ମ୍ବନା ହେଉଛି ପ୍ରାଚୀନ ଶିଳାଲିପି ଉପରେ ଏହି ଉଦ୍ଭ୍ରାନ୍ତ ଗୋଷ୍ଠୀ ନିଜ ନାମ, ଅକ୍ଷର ଆଦି ଲେଖିବାକୁ ଚେଷ୍ଟା କରି ଘୋରି ଦେଉଛନ୍ତି। କେହି କେହି ପଥରରେ ତା’ ଉପରେ ଗାର ମାରୁଛନ୍ତି ତ କେହି ଇଟାରେ। ପୂର୍ବରୁ ଏହି ପଥର ଶିଳାଲିପିକୁ କୁରାଢ଼ି ଶାଣ ଦିଆ ପଥର ଭାବେ ସ୍ଥାନୀୟ ଲୋକେ ବ୍ୟବହାର କରୁଥିବା ନଜରକୁ ଆସିଥିଲା, ଯାହାର ଚିହ୍ନ ଏବେ ବି ରହିଛି।

ସମ୍ବନ୍ଧିତ ଖବର