ପୋଲାଭରମ୍‌ ମାମଲା : କେନ୍ଦ୍ର ଟାଳୁଥିଲା, କୋର୍ଟ ଧରିଲେ

ଓଡ଼ିଶାର ୮ଟି ପ୍ରସଙ୍ଗକୁ ବିଚାରକୁ ନେଲେ କୋର୍ଟ, ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବେ କେନ୍ଦ୍ର, ଆନ୍ଧ୍ର

0 254

ଭୁବନେଶ୍ୱର : ବିବାଦୀୟ ପୋଲାଭରମ୍‌ ଇନ୍ଦିରା ସାଗର ପ୍ରକଳ୍ପ ମାମଲାରେ ରାଜ୍ୟ ସରକାରଙ୍କ ସବୁ ଦାବିକୁ ବର୍ଷ ବର୍ଷ ଧରି କେନ୍ଦ୍ର ଓ ଆନ୍ଧ୍ର ସରକାର ଟାଳି ଚାଲିଥିଲେ। କୋର୍ଟରୁ ମଧ୍ୟ ଏହି ମାମଲାରେ ସେଭଳି କୌଣସି ଆଶ୍ୱାସନାମୂଳକ ଖବର ଆସୁନଥିଲା। ପରିସ୍ଥିତିରୁ ଫାଇଦା ଉଠାଇବାକୁ ଯାଇ ବିବାଦୀୟ ପ୍ରକଳ୍ପକୁ ତୁରନ୍ତ ସାରିଦେବା ଲାଗି ଉଭୟ କେନ୍ଦ୍ର ଓ ଆନ୍ଧ୍ର ଅଣ୍ଟା ଭିଡିଛନ୍ତି।

ତେବେ ଆଗକୁ ଏଥିରେ ଝଟ୍‌କା ଲାଗିପାରେ। କାରଣ, ଗୋଟିଏ ପଟେ ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ବନ୍ଦ ଆଦେଶକୁ ବର୍ଷେ ପାଇଁ ସ୍ଥଗିତ ରଖାଯିବା ସଂକ୍ରାନ୍ତରେ ଓଡ଼ିଶାର ଆବେଦନ ସଂପର୍କରେ ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ଉଭୟ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ କୋର୍ଟ ନୋଟିସ୍‌ ଜାରି କରାଯାଇଛି। ଅନ୍ୟପଟେ ବିଳମ୍ବରେ ହେଲେ ବି ଗତ ୨ ତାରିଖରେ ସୁପ୍ରିମକୋର୍ଟ ଯେଉଁ ୧୩ଟି ପ୍ରସଙ୍ଗରେ ମାମଲାର ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି, ସେଥିରେ ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ମିଳିଛି। କୋର୍ଟଙ୍କ ଆଦେଶକୁ ପର୍ଯ୍ୟାଲୋଚନା କରିବା ପରେ ସରକାର ଆଶାବାଦୀ ଯେ ଓଡ଼ିଶାକୁ ନ୍ୟାୟ ମିଳିପାରେ। ମୋଟ ୧୩ଟି ପ୍ରସଙ୍ଗରୁ ପାଖାପାଖି ୮ଟି ପ୍ରସଙ୍ଗ ଓଡ଼ିଶାର ରହିଛି। ଓଡ଼ିଶା ବିରୋଧରେ ଯେଉଁ ଷଡ଼୍‍ଯନ୍ତ୍ର ଚାଲିଥିଲା, ଏହି ମାମଲାର ଶୁଣାଣି ପରେ ସେଥିରେ ପୂର୍ଣ୍ଣଛେଦ ପଡିବ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ପୋଲାଭରମ୍‌ ମାମଲାର ଶୁଣାଣି କରୁଛନ୍ତି। ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ ମାମଲାରେ ଯୁକ୍ତି ରଖୁଛନ୍ତି। ମାମଲାର ଶୁଣାଣି ପ୍ରକ୍ରିୟାକୁ ଠିକଣା ଢଙ୍ଗରେ ନେବା ପାଇଁ କୋର୍ଟ ପୂର୍ବରୁ ନିର୍ଦେଶ ଦେଇଥିଲେ ଯେ ସବୁ ପକ୍ଷଭୁକ୍ତ ସଂସ୍ଥା ସେମାନଙ୍କ ମୁଖ୍ୟ ପ୍ରସଙ୍ଗକୁ ତାଲିକାଭୁକ୍ତ କରି କୋର୍ଟଙ୍କୁ ଜଣାନ୍ତୁ। ଏହି କ୍ରମରେ ପୋଲାଭରମ୍‌ ପ୍ରକଳ୍ପର ପକ୍ଷଭୁକ୍ତ ଥିବା ୬ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ତଥା କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟ ଦ୍ୱାରା ଦାଖଲ କରାଯାଇଥିବା ମୁଖ୍ୟ ପ୍ରସଙ୍ଗ ଗୁଡିକର ତାଲିକା କୋର୍ଟ ରେକର୍ଡକୁ ଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ କୋର୍ଟ ଏଥିମଧ୍ୟରୁ ୨୫ଟି ପ୍ରସଙ୍ଗ ବାଛିଥିଲେ। ଗତ ଶୁଣାଣି ସମୟରେ କୋର୍ଟ କିନ୍ତୁ ସ୍ପଷ୍ଟ କରିଦେଇଥିଲେ ଯେ ୨୫ ନୁହେଁ, ୧୩ଟି ପ୍ରସଙ୍ଗ ଉପରେ ଶୁଣାଯିବ। ଏହି ପ୍ରସଙ୍ଗ ସଂପର୍କିତ ସମସ୍ତ ନଥିପତ୍ର ଦୁଇ ସପ୍ତାହ ଭିତରେ ଦାଖଲ କରିବା ପାଇଁ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ। ମାମଲାର ଶୁଣାଣି ଚାରି ସପ୍ତାହ ମଧ୍ୟରେ ଆରମ୍ଭ ହେବ।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, କୋର୍ଟ ଯେଉଁ ୧୩ଟି ପ୍ରସଙ୍ଗକୁ ନେଇ ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି, ତାହା ସରକାରଙ୍କ ହସ୍ତଗତ ହୋଇଛି। ଏଥିରୁ ପ୍ରଥମ ଦୁଇ ଓ ଶେଷଟି ସ୍ୱାଭାବିକ ପ୍ରଶ୍ନ ସମ୍ବଳିତ। ୩ ନମ୍ବର ପ୍ରସଙ୍ଗଟିକୁ ତେଲେଙ୍ଗାନା ସରକାର ଉଠାଇଥିଲେ। ହେଲେ ୪ ନମ୍ବରରୁ ୧୨ ନମ୍ବର ଯାଏ ଯେଉଁ ପ୍ରସଙ୍ଗକୁ ସ୍ଥାନୀତ କରି କୋର୍ଟ ମାମଲାର ବିଚାର ପ୍ରକ୍ରିୟାକୁ ଆଗକୁ ନେବାକୁ ଚାହୁଁଛନ୍ତି, ତାହା ଓଡ଼ିଶାର ଦାବି ସଂପର୍କିତ ଓ ଏଥିରେ ନ୍ୟାୟ ମିଳିବାର ସମ୍ଭାବନା ଅଧିକ ରହିଛି। ଏହି ପ୍ରସଙ୍ଗ ଉପରେ ରାଜ୍ୟ ବାରମ୍ବାର ଆପତ୍ତି ଉଠାଇଥିଲେ ବି କେଉଁଠାରେ ଏହାକୁ ଗୁରୁତ୍ୱ ମିଳୁନଥିଲା।

Panda Mobile only

ଏହି ୧୩ ପ୍ରସଙ୍ଗ ମଧ୍ୟରେ ପ୍ରଥମେ କୋର୍ଟ, ପୋଲାଭରମ୍‌ ମାମଲା ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ପ୍ରସଙ୍ଗ (ଅନ୍ତଃରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬ର ଧାରା ୨ (ଗ)) ଉତ୍‌ଥାପନ କରୁଛି କି? ବୋଲି ଜାଣିବାକୁ ଚାହିଁଛନ୍ତି। (୨) ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନ ଧାରା ୯୦ ପରିପ୍ରେକ୍ଷୀରେ ପୋଲାଭରମ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ତେଲେଙ୍ଗାନା ପ୍ରଶ୍ନ ଉଠାଇବାକୁ ଯୋଗ୍ୟତା ହରାଇଛି କି? (୩) ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ୧୯୮୦ ମସିହା ଜୁଲାଇ ୭ ତାରିଖର ରାୟକୁ ସମସ୍ତେ ମାନିବାକୁ ବାଧ୍ୟ। ଏହି ରାୟର ପ୍ରଭାବ କ’ଣ?

ସେହିଭଳି କୋର୍ଟ ଆହୁରି ଜାଣିବାକୁ ଚାହୁଁଛନ୍ତି, (୪)ଇଞ୍ଚମପଲ୍ଲୀ, ଭୋଲାପାଟନମ୍‌ ଏବଂ ଉପର ମୁଣ୍ଡରେ ଥିବା ଅନ୍ୟ ପ୍ରକଳ୍ପ ପୋଲାଭରମ୍‌ ପ୍ରକଳ୍ପର ଅଂଶବିଶେଷ କି? ଯଦି ହୋଇଥାଏ ତାହେଲେ ବର୍ତମାନ ନିର୍ମାଣାଧୀନ ପୋଲାଭରମ୍‌ ପ୍ରକଳ୍ପ ଉପରେ ଏହାର ପ୍ରଭାବ କ’ଣ? (୫) କେନ୍ଦ୍ରୀୟ ଜଳ ଆୟୋଗ ଦ୍ୱାରା ମଞ୍ଜୁର ଲାଭ କରିଥିବା ପୋଲାଭରମ ପ୍ରକଳ୍ପର ଡିଜାଇନ୍‌ ଓ ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ ରାୟ ମଧ୍ୟରେ ତାଳମେଳ ରହୁନାହିଁ କି ? ଯଦି ନାହିଁ ତାହେଲେ ଏହାର ପ୍ରଭାବ କ’ଣ?

(୬) ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନା ରାଜ୍ୟକୁ ପଛୁଆ ଫେରୁଥିବା ଜଳର ଅନୁଧ୍ୟାନକୁ ପୋଲାଭରମ ପ୍ରକଳ୍ପର ଡିଜାଇନ୍‌ରେ ବିଚାରକୁ ନିଆଯାଇ ନାହିଁ କି?

କୋର୍ଟ କହିଛନ୍ତି, (୭)ପୋଲାଭରମ ପ୍ରକଳ୍ପ ଡିଜାଇନ୍‌ରେ ପରିବର୍ତନ, ବିଶେଷତଃ ସ୍ପିଲ୍‌େଓ୍ଵରେ ଜଳ ନିଷ୍କାସନ କ୍ଷମତା ୩୬ କ୍ୟୁସେକ୍‌ରୁ ୫୦ କ୍ୟୁସେକ୍‌କୁ ବୃଦ୍ଧି ଦ୍ୱାରା ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲର ରାୟକୁ ବିରୋଧ କରୁଛି କି? ଏବଂ ଏହି ପରିବର୍ତନ ପାଇଁ ଆଇନଗତ ମଞ୍ଜୁରି ନେବାର ଆବଶ୍ୟକତା ରହିଛି କି? (୮) ପୋଲାଭରମ ପ୍ରକଳ୍ପର ସ୍ପିଲ୍‌େଓ୍ଵ ଡିଜାଇନ୍‌ରେ ପରିବର୍ତନ ପରିପ୍ରେକ୍ଷୀରେ ନୂଆକରି ପରିବେଶ ମଞ୍ଜୁରି ନେବାର ଆବଶ୍ୟକତା ରହିଛି କି? (୯) ପୋଲାଭରମ ପ୍ରକଳ୍ପ ଡିଜାଇନ୍‌ରେ ପରିବର୍ତନ ଯୋଗୁଁ ଜଙ୍ଗଲ ଜମି ବ୍ୟବହାର କରିବାକୁ ପଡ଼ୁଛି କି? ଏଥିଯୋଗୁଁ ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନାର ଆଦିବାସୀ ଅଞ୍ଚଳ ଓ ଲୋକମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ କି? ଯଦି ହଁ, ତାହେଲେ ପ୍ରକଳ୍ପ ପାଇଁ ଜଙ୍ଗଲ ଅନୁମତି ନେବାର ଆବଶ୍ୟକତା ରହିଛି କି?

କୋର୍ଟ ଆହୁରି ପଚାରିଛନ୍ତି, (୧୦) ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ଅଧୀନରେ ମଞ୍ଜୁରି ବିନା ପ୍ରକଳ୍ପ ନିର୍ମାଣକୁ ଅନୁମତି ଦିଆଯାଇ ପାରିବ କି ନାହିଁ? (୧୧)ପୋଲାଭରମ ପ୍ରକଳ୍ପ ଏବଂ ଆନୁଷଙ୍ଗିକ ପ୍ରକଳ୍ପ ନିର୍ମାଣ ଦ୍ୱାରା ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ କି? ଯଦି ହଁ, ତାହେଲେ ଏହି ପ୍ରଭାବ କେତେ ମାତ୍ରାରେ ରହିବ ଏବଂ ଏଥିପାଇଁ କ’ଣ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ହେବ? (୧୨) ପୋଲାଭରମ ପ୍ରକଳ୍ପକୁ ମଞ୍ଜୁରି ଦିଆଯିବା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ଜନଶୁଣାଣି ହୋଇ ନଥିଲା କି? ଯଦି ହୋଇ ନଥିଲା ତାହେଲେ ଏହାର ପ୍ରଭାବ କ’ଣ? (୧୩) ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି (ଏମ ଗୋପାଳକୃଷ୍ଣନ୍‌ଙ୍କ ନେତୃତ୍ୱରେ) ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ଏହି ମାମଲା ଖାରଜ ଯୋଗ୍ୟ କି?

ସମ୍ବନ୍ଧିତ ଖବର

Leave A Reply

Your email address will not be published.