ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ ସମୟରେ ଗତକାଲି ଜଣେ ସାମ୍ବାଦିକଙ୍କ ପ୍ରତି କେନ୍ଦ୍ରାପଡ଼ା ଏସ୍ପିଙ୍କ ଦୁର୍ବ୍ୟବହାରର ପ୍ରତିବାଦରେ ଆଜି ବିରୋଧୀ ବିଜେପି ପକ୍ଷରୁ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରାଯାଇଥିଲା। ବିଜେପି ବିଧାୟକମାନେ କେନ୍ଦ୍ରାପଡ଼ା ଏସ୍ପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ। ହୋହଲ୍ଲା ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର କାର୍ଯ୍ୟ ୧୫ ମିନିଟ ଲେଖାଏଁ ଦୁଇଥର ମୁଲତବୀ ରଖିଥିଲେ।
ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଲେ ଯେ,ଗତକାଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କେନ୍ଦ୍ରାପଡ଼ା ଯାଇଥିିବା ସମୟରେ ଜଣେ ସାମ୍ବାଦିକଙ୍କ ପ୍ରତି କେନ୍ଦ୍ରାପଡ଼ା ଏସ୍ପି ନୀତିଶେଖର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବାରୁ କେନ୍ଦ୍ରାପଡ଼ା ଏସ୍ପିଙ୍କ ବିରୁଦ୍ଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ତାଙ୍କ ଦାବିକୁ ସମର୍ଥନ କରି ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ କହିଥିଲେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଖୋଦ୍ ଏସ୍ପି ସାମ୍ବାଦିକଙ୍କୁ ଧକ୍କା ମାରିବା ସଂଗେ ସଂଗେ ହାତ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଭାରେ ଦୁଇଜଣ ମନ୍ତ୍ରୀଙ୍କ ଉପସ୍ଥିତିରେ ଘଟଣା ଘଟିବା ଦୁର୍ଭାଗ୍ୟଜନକ। ମହାରାଷ୍ଟ୍ରରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ଆଇନ ପ୍ରଣୟନ କରାଯାଇଛି। ଓଡ଼ିଶାରେ ମଧ୍ୟ ଅନୁରୂପ ଆଇନ ପ୍ରଣୟନ କରାଯାଉ ବୋଲି ଶ୍ରୀ ସେଠୀ ଦାବି କରିଥିଲେ।
ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଘଟଣାର ନିନ୍ଦା କରି ଏହା ଦେଶ ଓ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି କହିଥିିଲେ।
ବିଜେପି ସଭ୍ୟମାନେ କେନ୍ଦ୍ରାପଡ଼ା ଏସ୍ପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହର ମଧ୍ୟଭାଗରେ ଧାରଣା ଦେଇଥିିଲେ ଏବଂ ସ୍ଲୋଗାନ ବାଜି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Odisha-Assembly-790.png)