ବିଧାନସଭାରେ ବନାବିରା ତାତି : ଚାଷୀ ଆଲୋଚନା ଭଣ୍ଡୁର

ଗୃହ ଅଚଳ କଲା ବିଜେପି, ଗର୍ଜିଲେ ନରସିଂହ
ଚାଷୀ ପ୍ରସଙ୍ଗରେ ବିରୋଧୀ ବିଜେପି-କଂଗ୍ରେସ ଦୁଇଫାଳ
ବିଜେଡି-ବିଜେପି ସଂପର୍କ ନେଇ ଆପତ୍ତି ଉଠାଇଲା କଂଗ୍ରେସ
ସିବିଆଇ ତଦନ୍ତ ଦାବିରେ ହଟ୍ଟଗୋଳ କଲେ ବିଜେପି ବିଧାୟକ

ଭୁବନେଶ୍ୱର : ସୋହେଲା ବନାବିରା ମାମଲାରେ ବିଜେପିର ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଗିରଫଦାରିକୁ ବିରୋଧ କରି ଆଜି ବିଜେପି ବିଧାୟକମାନେ ବିଧାନସଭାକୁ ଅଚଳ କରିଦେଇଛନ୍ତି। ସିବିଆଇ ତଦନ୍ତ ଦାବିରେ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଏଭଳି ହଟ୍ଟଗୋଳ କରିଥିଲେ ଯେ ସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରିନଥିଲା। ପରିଣାମ ହେଲା ପ୍ରଶ୍ନକାଳ ତ ଅଟକିଯାଇଥିଲା, ଚାଷୀଙ୍କ ସଂପର୍କରେ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବି ସମ୍ଭବ ହୋଇପାରିନାହିଁ।

ଅନ୍ୟପକ୍ଷରେ ଚାଷୀଙ୍କ ସ୍ୱାର୍ଥ ସଂପର୍କିତ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହୋଇନପାରିବା ଘଟଣାକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗର୍ଜନ କରିଛନ୍ତି। ଚାଷୀଙ୍କ ପ୍ରତି ବିଜେପିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ସହିତ ବିଜେଡି-ବିଜେପି ସଲାକୁସ୍ତି ଚାଲିଥିବା ଠାରିଛନ୍ତି। କେବଳ ସେତିକି ନୁହେଁ, ଆଉ ଦି’ ପାଦ ଆଗକୁ ଯାଇ ବିରୋଧୀ ଦଳ ନେତା କହିଛନ୍ତି ଯେ ରାଜ୍ୟ ସରକାର ପୁଲିସକୁ ହାତବାରିସି କରି ଯେଭଳି ଷଡ୍‌ଯନ୍ତ୍ର କରୁଛନ୍ତି, ସିବିଆଇକୁ ବ୍ୟବହାର କରି କେନ୍ଦ୍ର ସରକାର ସେଠାରେ ଅନୁରୂପ ସ୍ଥିତି ଉପୁଜାଉଛନ୍ତି। ବିଜେପିର ଆଚରଣକୁ ନିନ୍ଦା କରାଯାଉଛି ଓ ସଂପୃକ୍ତ ଦଳ ଆଜି ସବୁ ଲକ୍ଷ୍ମଣରେଖା ଉଲ୍ଲଂଘନ କରିଯାଇଛି ଓ ଚାଷୀଙ୍କ ସଂପର୍କରେ ଆଲୋଚନା କରିବାକୁ ଚାହୁଁନାହିଁ ବୋଲି ଶ୍ରୀ ମିଶ୍ର ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତି।

ଆଜି ସକାଳେ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ନିଜ ଆସନରେ ଠିଆ ହୋଇ ଚିତ୍କାର କରିିଥିଲେ। ଅଭିଯୋଗ କରିଥିଲେ, ରାଜନୈତିକ ବିରୋଧୀଙ୍କ ଉଦ୍ଦେଶ୍ୟରେ ଶାସକ ଦଳ ପୁଲିସ୍‌କୁ ବ୍ୟବହାର କରୁଛି। ଜୟନାରାୟଣ ମିଶ୍ରଙ୍କୁ ରାଜନୈତିକ ଅଭିସନ୍ଧି ରଖି ଗିରଫ କରାଯାଇଛି। ତୁରନ୍ତ ସେହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍‌ କରାଯାଉ। ବିଜେପି ସଭ୍ୟଙ୍କ ଏମିତି ଚିତ୍କାର ଭିତରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିଥିଲେ। ଉତ୍‌କ୍ଷିପ୍ତ ହୋଇ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଚାଲିଆସିଥିଲେ। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ନିଜ ଆସନରେ ଠିଆ ହୋଇ ରହିଥିଲା ବେଳେ ସଭ୍ୟ ବିଭୂତି ହରିଚନ୍ଦନ, ପ୍ରଦୀପ ପୁରୋହିତ, ରବି ନାଏକ, ରାଧାରାଣୀ ପଣ୍ଡା, ନୀତେନ୍‌ ଗଙ୍ଗଦେବ ଓ ଗୋବିନ୍ଦ ଦାସ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ହୋହଲ୍ଲା ଭିତରେ ଗୃହ କାର୍ଯ୍ୟ ଚାଲିବା ସମ୍ଭବ ହୋଇ ନ ଥିଲା। ୧୦ଟା ୩୨ରେ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜେପି ସଭ୍ୟମାନେ ପୁଣି ଗୃହ ମଧ୍ୟ ଭାଗକୁ ଆସି ପାଟିତୁଣ୍ଡ କଲେ। ନିଜ ନିଜ ଆସନକୁ ଫେରିବା ପାଇଁ ବାଚସ୍ପତି ଯେତେ ଅନୁରୋଧ କଲେ ବି ସେମାନେ କର୍ଣ୍ଣପାତ କରିନଥିଲେ। ଫଳରେ ୧୧ଟା ୩୩ରେ ଗୃହକୁ ୧୨ଟା ୧୦ ପର୍ଯ୍ୟନ୍ତ ମୁଲତବୀ ରଖାଗଲା। ଏଥର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସୁଥିବା ବେଳେ ବାଚସ୍ପତି ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓଙ୍କୁ କହିବା ପାଇଁ ସୁଯୋଗ ଦେଇଥିଲେ। ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ କିଭଳି ରାଜନୈତିକ ଉଦ୍ଦେଶ୍ୟ ରଖି ଗିରଫ କରାଯାଇଛି ସେ ନେଇ ସୂଚନା ଦେଇ ଶ୍ରୀ ସିଂହଦେଓ କହିଥିଲେ, ୩୦ ରାଉଣ୍ଡ ଗୁଳି ହୋଇଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳରୁ ମାତ୍ର ୨ଟି ଖୋକା ମିଳିଥିଲା। ଭିମ୍‌ସାର ଡାକ୍ତର ସ୍ପଷ୍ଟ ଭାବେ କହିଥିଲେ ଯେ କାହା ଦେହରେ ଗୁଳି ବାଜିବା କ୍ଷତ ନାହିଁ କିମ୍ବା କେହି ଗୁରୁତର ବି ନାହାନ୍ତି। ଏପରିସ୍ଥଳେ ହଠାତ୍‌ ସଂପୃକ୍ତ ଡ୍ରାଇଭରଙ୍କୁ କାହିଁକି କଟକ ମେଡିକାଲକୁ ପଠାଗଲା ଓ ସେ ବାଟରେ କିଭଳି ମୃତ୍ୟୁବରଣ କଲେ, ତାହା ଉପରୁ ପରଦା ଉଠାଇବା ଲାଗି ଘଟଣାର ସିବିଆଇ ତଦନ୍ତ ହେବା ଦରକାର। ଶ୍ରୀ ସିଂହଦେଓ ଆହୁରି କହିଥିଲେ, ଘଟଣାଟି ବିଜେପୁର ନିର୍ବାଚନମଣ୍ଡଳୀ ବାହାରେ ଘଟିଛି। ଯଦି ଘଟଣାଦିନ ରାତିରେ ଟଙ୍କା ବଣ୍ଟା ଯାଉଥିବା ସଂପର୍କରେ ଖବର ମିଳିଲା, ତେବେ ପୁଲିସକୁ ସୂଚନା ନ ଦେଇ ବିଜେଡି ନେତାମାନେ କାହିଁକି ସେଠାକୁ ଯାଇଥିଲେ, ତାହା ଉପରୁ ବି ରହସ୍ୟ ଉଠିବା ଦରକାର। ଜୟନାରାୟଣ ଉଭୟ କର୍କଟ ଓ କିଡ୍‌ନି ଜନିତ ରୋଗର ଶିକାର ହୋଇ ଚିକିତ୍ସିତ ହେଉଥିବା ପରିପ୍ରେକ୍ଷୀରେ ଏ ଦିଗରେ ଧ୍ୟାନ ଦିଆଯିବା ନେଇ ମଧ୍ୟ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ବିଜେପି ବିଧାୟକମାନେ ପୁଣି ଥରେ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ।

ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ, ପୁଲିସ ଘଟଣାର ଅନୁସନ୍ଧାନ କରୁଛି। କିଏ ଦୋଷୀ, କିଏ ନିର୍ଦୋଷ, ତାହା ନିର୍ଧାରଣ କରିବା ଆମ କାମ ନୁହେଁ। ଘଟଣାର ତଦନ୍ତ ଉଭୟ କ୍ରାଇମବ୍ରାଞ୍ଚ ଓ ପୁଲିସ କରୁଛନ୍ତି। ଏମିତିରେ ବି ସିବିଆଇ ତଦନ୍ତ ନେଇ ବାଚସ୍ପତି କିଭଳି ନିର୍ଦେଶ ଦେବେ? ଘଟଣାଟି ବିଚାରାଧୀନ ଥିବା ପରିପ୍ରେକ୍ଷୀରେ ଏ ନେଇ ଅଧିକ ଆଲୋଚନା ଗ୍ରହଣୀୟ ନୁହେଁ ବୋଲି ସେ ଆପତ୍ତି ଉଠାଇଥିଲେ।

ବୈଧାନିକ ପ୍ରଶ୍ନ ଉଠାଇ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିିଥିଲେ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥ ପାଇଁ ଚିନ୍ତିତ ବୋଲି କହୁଛନ୍ତି। ହେଲେ ବାରମ୍ବାର ଚାଷୀଙ୍କ ଦାବିକୁ ଉପେକ୍ଷା କରାଯାଉଛି ଓ କୁମ୍ଭୀରକାନ୍ଦଣା କରୁଛନ୍ତି। ଓଡ଼ିଶାର ଚାଷୀ ନିର୍ଯାତିତ ଓ ଉପେକ୍ଷିତ। ଚାଷୀଙ୍କ ସମସ୍ୟାଙ୍କୁ ଅସଲରେ ଉଭୟ ସରକାର ହିଁ ଅଣଦେଖା କରି ଆସୁଛନ୍ତି। ଏପରିକି ଆଜି ଚାଷୀମାନେ ଅନଶନ ଆନ୍ଦୋଳନରେ ବସିଥିଲେ ବି ସେମାନଙ୍କ ସଂପର୍କରେ ଆଲୋଚନା କରିବା ଲାଗି ସାମାନ୍ୟତମ ଆଗ୍ରହ ପ୍ରକଟ କରିନାହାନ୍ତି। ବରଂ ମୁଲତବୀ ପ୍ରସ୍ତାବ ଭଣ୍ଡୁର ପାଇଁ ସରକାରଙ୍କ ସହିତ ବିଜେପି ହାତ ମିଳାଇଛି।

ଚାଷୀ ଆତ୍ମହତ୍ୟା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ ବୋଲି ଅଭିଯୋଗ ଆଣି ଶ୍ରୀ ମିଶ୍ର କହିଥିଲେ, ସେମାନଙ୍କ ଦାବି ଯଥା ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ପ୍ରସଙ୍ଗରେ ପୂର୍ବରୁ ବିରୋଧୀ ଦଳ ଗୃହରେ ବାରମ୍ବାର ଦାବି ଉପସ୍ଥାପନ କରିଛି। ଚାଷୀକୁ ୬୦ବର୍ଷ ପରେ ଅତିକମ୍‌ରେ ୫ହଜାର ଟଙ୍କା ପେନସନ୍‌ ଦେବା ଲାଗି ଦାବି କରାଯାଇଥିଲା। ଏହାକୁ ଉପେକ୍ଷା କରାଯାଇଛି। ସେପଟେ କେନ୍ଦ୍ର ସରକାର ମଧ୍ୟ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ଦରରେ ଫସଲ ବିକ୍ରି କରିବା ଲାଗି ୨୦୧୪ରୁ କହିଥିଲେ ବି ଗତ ୪ବର୍ଷ ଧରି କିଛି ପଦକ୍ଷେପ ନେଲେନି। ଏବେ ଶେଷ ବର୍ଷରେ ପ୍ରତିଶ୍ରୁତି ଦେଇଛନ୍ତି, ମାତ୍ର ଉତ୍ପାଦନ ଖର୍ଚ୍ଚ କେତେ ହେବ, ତାହାକୁ ନେଇ ବି ସାନି ବିବାଦ ସୃଷ୍ଟି ହୋଇଛି।

ବିରୋଧୀ ଦଳ ନେତା କହିଥିଲେ, ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାର ଯେଭଳି ଲଢିବା କଥା ଲଢୁନାହାନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ପୃଥକ୍‌ ପୃଥକ୍‌ ସର୍ବଦଳୀୟ ଗୃହ କମିଟି ଗଠନ ହୋଇଛି। ମାତ୍ର କୌଣସି ଗୋଟିଏ ବି କମିଟିର ବୈଠକ ବସିନାହିଁ। ଏହା ହିଁ ସରକାରଙ୍କ ଆନ୍ତରିକତା କଥା ସୂଚାଉଛି। ଏବଂ ଉଭୟ ସରକାରଙ୍କ ଚାଷୀ ଶୋଷଣ ମନୋଭାବ କାରଣରୁ ଆତ୍ମହତ୍ୟା ସଂଖ୍ୟା ମଧ୍ୟ ବଢୁଛି।

ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ଗିରଫଦାରି ପ୍ରସଙ୍ଗରେ ବିରୋଧୀ ଦଳ ନେତା କହିଥିଲେ, ସିବିଆଇ ତଦନ୍ତ ନିର୍ଦେଶ ଦେବା ବାଚସ୍ପତିଙ୍କର ଅଧିକାର ନାହିଁ। ରାଜ୍ୟ ସରକାର ସମ୍ମତି ଦେବା ଦରକାର ଅଥବା ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଚାହିଁଲେ ଘଟଣାର ସିିବିଆଇ ତଦନ୍ତ ହୋଇପାରିବ। ବିଜେପି ତାର ଉଦ୍‌ବେଗ ଗୃହରେ ରଖିସାରିଛି। ମାତ୍ର ଏହାକୁ ଜାବୁଡି ଧରି ଗୃହ କାର୍ଯ୍ୟକୁ ଅଚଳ କରିବାକୁ ଶ୍ରୀ ମିଶ୍ର ନାପସନ୍ଦ କରିଥିଲେ।

ଅପରାହ୍ନ ୩ଟାରେ ପୁଣି ଗୃହରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହେଲା। ସମାନ ଦାବି ନେଇ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ବାଚସ୍ପତି ସିବିଆଇ ତଦନ୍ତ ନେଇ କିଛି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ। ଏହି ହୋହଲ୍ଲା ଭିତରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ କହିବା ପାଇଁ ବାଚସ୍ପତି ସୁଯୋଗ ଦେଲେ। କିନ୍ତୁ ବିଜେପି ସଭ୍ୟମାନଙ୍କ ନାରାବାଜି, ପାଟିତୁଣ୍ଡ ଭିତରେ ତାଙ୍କର ବକ୍ତବ୍ୟ ଶୁଣାଯାଉ ନ ଥାଏ। ସ୍ଥିତି ସ୍ୱାଭାବିକ ନ ହେବାରୁ ୩ଟା ୧୭ରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ସମ୍ମିଳିତ ଭାବେ ଉଭୟ କଂଗ୍ରେସ ଓ ବିଜେପି ଗତ ଦିନମାନଙ୍କରେ ସରକାରଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଥିବା ବେଳେ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭରୁ ଆଜି ଏହି ସଂପର୍କ ଫାଟି ଦୁଇଫାଳ ହୋଇଯାଇଛି। ଚାଷୀ ପ୍ରସଙ୍ଗକୁ ନେଇ ଉଭୟ ଭିନ୍ନ ରାସ୍ତାରେ ଗତି କରିବା ଆରମ୍ଭ କରିଛନ୍ତି। ଏଥିସହିତ ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ୩୩ମିନିଟ୍‌ରେ ଶେଷ ହୋଇଛି।

ସମ୍ବନ୍ଧିତ ଖବର