ପ୍ରଥମାର୍ଦ୍ଧରେ ଅଚଳାବସ୍ଥା

ଭୁବନେଶ୍ୱର : ବିଧାନସଭାରେ ଲଗାତର ଦ୍ୱିତୀୟ ଦିନ ପାଇଁ ଆଜି ଧାନ ସଂଗ୍ରହ ଓ ଚାଷୀଙ୍କ ସମସ୍ୟା ପ୍ରସଙ୍ଗ ଉଠିଥିଲା। ବିରୋଧୀ ସରକାରଙ୍କ ଠାରୁ ଉତ୍ତର ଦାବି କରି ନାରାବାଜି କଲେ। ସରକାର ନିରବ ରହିଲେ। ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଲା। ପ୍ରଶ୍ନକାଳ ଆଦୌ ହୋଇପାରି ନ ଥିଲା। ଶୂନ୍ୟକାଳରୁ ବି ଅଧା ଚାଲିଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇ ମହାନଦୀ ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଥିଲା।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ଗତକାଲି ପରି ଦୃଶ୍ୟ ଦେଖିବାକୁ ମିଳିଥିଲା। କଂଗ୍ରେସ ସଭ୍ୟମାନେ ଚିତ୍କାର କଲେ, ସାର୍‌…ଚାଷ କଥା ଆଗ। ସରକାର ଉତ୍ତର ଦିଅନ୍ତୁ। ଏତିକି କହି ସେମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ବିଜେପି ସଭ୍ୟମାନେ ବି ପଛରେ ପଡ଼ି ନ ଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ହୁଙ୍କାର କରି ମଧ୍ୟ ଭାଗକୁ ଆସିଲେ। ଉଭୟ ଦଳର ନାରାବାଜିରେ ଗୃହ କମ୍ପିଥିଲା।

ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରଶ୍ନକାଳ ଆରମ୍ଭ କରିବାକୁ ଘୋଷଣା କଲେ। ତାଲିକାଭୁକ୍ତ ହୋଇଥିବା ପ୍ରଶ୍ନର ପ୍ରଥମ ପ୍ରଶ୍ନକର୍ତ୍ତା ଥିଲେ କଂଗ୍ରେସ ସଭ୍ୟ ଚିରଞ୍ଜୀବୀ ବିଶ୍ୱାଳ। କୃଷି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନଟି ଥିଲା। ଯେହେତୁ ପ୍ରଶ୍ନକର୍ତ୍ତା ନିଜ ଆସନରେ ନ ବସି ଗୃହର ମଧ୍ୟ ଭାଗରେ ଥିଲେ, ତେଣୁ ଉପବାଚସ୍ପତି ପରବର୍ତ୍ତୀ ପ୍ରଶ୍ନର ଉତ୍ତର ଦେବାକୁ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଡାକିଲେ। କିନ୍ତୁ ହୋହଲ୍ଲା ଭିତରେ କିଛି ଶୁଣାଯାଉ ନ ଥିବାରୁ କୃଷି ମନ୍ତ୍ରୀ ଦାମୋଦର ରାଉତ ପ୍ରଶ୍ନର ଉତ୍ତର ପଢ଼ିଚାଲିଥିଲେ। ଉପବାଚସ୍ପତି ବାରମ୍ବାର ଯୋଗାଣ ମନ୍ତ୍ରୀଙ୍କୁ ଡାକୁଥିଲେ ବି ନା ଶ୍ରୀ ପାତ୍ର କହିବା ପାଇଁ ଉଠୁଥିଲେ ନା ଶ୍ରୀ ରାଉତ ବସୁଥିଲେ। ସେତେବେଳେ ବିରୋଧୀଙ୍କ ଚିତ୍କାରରେ ଗୃହରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ମିନିଟ୍‌ ହେବା ପୂର୍ବରୁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଥିଲେ, ଧାନ କିଣାରେ ଚାଷୀଙ୍କୁ ଶୋଷଣ କରାଯାଉଛି। ମହାଦୁର୍ନୀତିର ଅଭଯୋଗ ଉଠୁଛି। ଏହି ପ୍ରସଙ୍ଗରେ ଆମେ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗୁଛୁ। କିନ୍ତୁ ମନ୍ତ୍ରୀ ପଛଘୁଞ୍ଚା ଦେଉଛନ୍ତି। ସରକାରଙ୍କ ସତ୍‌ସାହସ ନାହିଁ ଉତ୍ତର ଦେବାକୁ। ସରକାରଙ୍କ ଇଚ୍ଛା ନାହିଁ ଚାଷୀଙ୍କୁ ସୁରକ୍ଷା ଦେବାକୁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କୃଷକଙ୍କ ସପକ୍ଷରେ ଗୃହ ଭିତରେ ଓ ବାହାରେ ବିଭିନ୍ନ ଯୋଜନା କଥା କହୁଛନ୍ତି। ଚାଷୀଙ୍କ ବିକାଶ କଥା କହୁଛନ୍ତି। କିନ୍ତୁ ପ୍ରକୃତରେ ଚାଷୀ କୌଣସି ସୁବିଧା ପାଉନି।

ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ କହିଥିଲେ, ବିରୋଧୀଙ୍କ ନିର୍ଦ୍ଦିଷ୍ଟ ପ୍ରଶ୍ନ କ’ଣ ବୁଝାପଡ଼ୁନି। ସେମାନେ ଗୃହ ଭିତରେ ଖାଲି ଚିତ୍କାର କରୁଛନ୍ତି। କ’ଣ କହିବାକୁ ଚାହୁଁଛନ୍ତି, ଦୁଇ ଦିନ ହେଲା ବୁଝାପଡ଼ୁନି। ନା ନିର୍ଦ୍ଦିଷ୍ଟ ମଣ୍ଡି ନେଇ ସେମାନଙ୍କ ଅଭିଯୋଗ ଅଛି ନା ନିର୍ଦ୍ଦିଷ୍ଟ ମିଲ୍‌ ନେଇ ଅଭିଯୋଗ। ଯାହା ଲାଗୁଛି ସେମାନଙ୍କ ଉଦ୍ଦେଶ୍ୟ କେବଳ ଟିଭିରେ ମୁହଁ ଦେଖାଇବା। ସେଥି ପାଇଁ ସେମାନେ ଗୃହ ବନ୍ଦ କରିଦେଉଛନ୍ତି। କିନ୍ତୁ ସରକାର ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି। ଚାରିଟି କେନ୍ଦ୍ରୀୟ ସ୍କ୍ଵାର୍ଡ ବିଭିନ୍ନ ସ୍ଥାନକୁ ଯାଇ ଅତର୍କିତ ଚଢ଼ଉ କରି ଅନିୟମିତତା ଥିଲେ ପଦକ୍ଷେପ ନେଉଛନ୍ତି। କେନ୍ଦ୍ର ସରକାର ଏଫ୍‌ଏକ୍ୟୁ ମାନ ଘୋଷଣା କରିଛନ୍ତି। ଏଫ୍‌ଏକ୍ୟୁ ମାନ ନ ଥିଲେ ଧାନ ପରିମାଣ କଟାଯାଉଛି। ଏଥିରେ ରାଜ୍ୟ ସରକାରଙ୍କର କିଛି କରିବାର ନାହିଁ।

ମଧ୍ୟାହ୍ନ ୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଧାନ ସଂଗ୍ରହରେ ହେଉଥିବା ମହାଦୁର୍ନୀତି ଉପରେ ମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ। ବିଜେପି ସଭ୍ୟ ରବି ନାଏକ ସରକାର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରି ସମାଲୋଚନା କରିଥିଲେ। ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ, ଯୋଗାଣ ମନ୍ତ୍ରୀ ନିଶ୍ଚିତ ଏହି ପ୍ରସଙ୍ଗ ଉପରେ ବିବୃତି ଦେବେ। ଆସନ୍ତାକାଲି ଏଥି ପାଇଁ ଦିନ ଧାର୍ଯ୍ୟ କରାଯାଉ।

ତେବେ ଶାସକ ଦଳ ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, କୁମ୍ଭୀର କାନ୍ଦଣା କିଏ କାନ୍ଦୁଛି ଜଣାପଡ଼ୁଛି। ଆଜି ପ୍ରଶ୍ନକାଳରେ ଯୋଗାଣ ବିଭାଗର ପ୍ରଶ୍ନ ଥିଲା। ମନ୍ତ୍ରୀ ନିଶ୍ଚିତ ସଭ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେଇଥା’ନ୍ତେ। କିନ୍ତୁ ଆପଣମାନଙ୍କ ନିୟତି କ’ଣ ଜଣାପଡ଼ୁଛି। ବିରୋଧୀ ଦଳ ନେତା ଏତେ କଥା କହୁଛନ୍ତି। କିନ୍ତୁ ପ୍ରଶ୍ନକାଳକୁ ବନ୍ଦ କରିଦେଲେ। ଶ୍ରୀ ସ୍ୱାଇଁଙ୍କ ଏପରି ମନ୍ତବ୍ୟର ପ୍ରତିବାଦ କରିଥିଲେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର। କହିଲେ, ମୁଁ ତ ପ୍ରଥମ ଦିନରୁ ମନ୍ତ୍ରୀଙ୍କ ଉତ୍ତର ଦାବି କରୁଛି। କିନ୍ତୁ ସରକାର ଶୁଣୁ ନାହାନ୍ତି। ଏହାକୁ ନେଇ ଶ୍ରୀ ମିଶ୍ର ଓ ଶ୍ରୀ ସ୍ୱାଇଁ ମଧ୍ୟରେ କଥା କଟାକଟି ହୋଇଥିଲା। କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ଏହାର ପ୍ରତିବାଦ କରି ଗୃହ ମଧ୍ୟ ଭାଗକୁ ଆସିଥିଲେ। ତେବେ ତାଙ୍କୁ ବୁଝାଇ ନିଜ ଆସନକୁ ନିଆଯାଇଥିଲା। ତାହା ପରେ ୧୨ଟା ୧୫ରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର