କେନ୍ଦ୍ରାପଡ଼ା ଧାନକିଣା ଦୁର୍ନୀତି ନେଇ ଗୃହ କମ୍ପିଲା : ଚାପରେ ‘ନିରପେକ୍ଷ ତଦନ୍ତ ହେବ’ କହିଲେ ମନ୍ତ୍ରୀ

ଭୁବନେଶ୍ୱର : ଆଜି ଗୃହରେ କେନ୍ଦ୍ରାପଡ଼ା ଧାନକିଣା ଦୁର୍ନୀତି ପ୍ରସଙ୍ଗରେ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ତାତି ଅନୁଭୂତ ହୋଇଥିଲା। ଏହି ଦୁର୍ନୀତି ପ୍ରସଙ୍ଗରେ ଶାସକ ଦଳ ନେତାଙ୍କୁ ସୁରକ୍ଷା ଦିଆଯାଉଥିବା ପ୍ରତିବାଦରେ ଗୃହ ମଧ୍ୟଭାଗରେ ବିରୋଧୀ ସଭ୍ୟମାନେ ଧାରଣା ଦେବା ସହିତ ଯୋଗାଣ ମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଫଳରେ ବାରମ୍ବାର ଗୃହ ମୁଲତବୀ ହୋଇଥିଲା। ଚାପରେ ପଡ଼ି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହି ଦୁର୍ନୀତି ନେଇ ନିରପେକ୍ଷ ତଦନ୍ତ ହେବ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିବୃତି ଦେଇଥିଲେ।

ପୂର୍ବ ନିର୍ଧାରିତ କାର୍ଯ୍ୟ ଅନୁଯାୟୀ ଆଜି ଗୃହରେ ମହାନଦୀ ପ୍ରସଙ୍ଗ ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଧାନକିଣା ଦୁର୍ନୀତି, ଚାଷୀ କାଙ୍ଗାଳ, ଦଲାଲ ମାଲେମାଲ୍‌ ପ୍ରସଙ୍ଗ ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଆରମ୍ଭରୁ ଏହି ପ୍ରସଙ୍ଗ ନେଇ ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କର ଉତ୍ତର ଦେଇଥିଲେ। କିନ୍ତୁ ତାଙ୍କ ଉତ୍ତର ଆଦୌ ସନ୍ତୋଷଜନକ ନୁହେଁ ଦର୍ଶାଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ମନ୍ତ୍ରୀ ଦୁର୍ନୀତି ହୋଇଥିବା ସ୍ୱୀକାର କରୁଥିଲେ ମଧ୍ୟ ଦୁର୍ନୀତିଗ୍ରସ୍ତ ବିଜେଡି ଜିଲ୍ଲା ସଭାପତି ଏବଂ ଅନ୍ୟମାନଙ୍କୁ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଥିଲେ। ତେବେ ଏ ନେଇ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି, ଦେବେନ୍ଦ୍ର ଶର୍ମା, ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଦୁର୍ନୀତିକୁ ପଦାକୁ ଆଣିଛନ୍ତି। ଏହି ଦୁର୍ନୀତି କାରବାରରେ ନକଲି ଚାଷୀମାନଙ୍କ ନାମରେ ଧାନ କିଣାଯାଇଥିବା ଦର୍ଶାଯାଇ କୋଟିଏ ଟଙ୍କା ଲୁଟ୍‌ ହୋଇଛି। କିନ୍ତୁ ସଂପୃକ୍ତ ଚାଷୀମାନେ ଧାନକିଣାରେ ସଂପୃକ୍ତିକୁ ଲିଖିତ ଭାବେ ଅସ୍ୱୀକାର କରିଥିବା ଶ୍ରୀ ମିଶ୍ର କହିଥିଲେ।

ସେହିପରି ବିଧାୟକ ଶ୍ରୀ ମହାନ୍ତି, ଶ୍ରୀ ଶର୍ମା ଦୁର୍ନୀତି ନେଇ ସମସ୍ତ ଆବଶ୍ୟକ ପ୍ରମାଣପାତ୍ର ଦେଇଥିବା କହିଥିଲେ। କିନ୍ତୁ ଭିଜିଲାନ୍ସ ତଦନ୍ତ କରାଯାଉଥିଲେ ବି କାର୍ଯ୍ୟାନୁଷ୍ଠାନ କାହିଁ ବୋଲି ସେମାନେ ପଚାରିଥିଲେ। ଶ୍ରୀ ମହାନ୍ତି ସ୍ପଷ୍ଟ ଭାବେ ବିଜେଡି ଜିଲ୍ଲା ସଭାପତି ଧ୍ରୁବ ସାହୁ, ପ୍ରମୋଦ ସାମଲଙ୍କ ନାମ ନେଇ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି କହିଥିଲେ। ବରଂ ମାର୍କଫେଡ୍‌ର ଜଣେ ଅଧିକାରୀଙ୍କୁ ଏହି କାରବାରରେ ବଳି ପକାଇ ଦିଆଯାଇଛି ବୋଲି ଦର୍ଶାଇଥିଲେ। ୨୦୧୬ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୫୦ ଟଙ୍କା ଥିବା ବେଳେ ଚାଷୀମାନଙ୍କଠାରୁ କ୍ୱିଣ୍ଟାଲ୍‌ ପିଛା ୭୦୦ରୁ ୮୦୦ ଟଙ୍କା ନିଆଯାଉଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି।

ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଜବାବରେ ସିଧାସଳଖ ଉତ୍ତର ନ ଦେବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ବିରୋଧୀ କଂଗ୍ରେସ, ବିଜେପି ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଦୁର୍ନୀତି ଲୁଚାଇଛି କିଏ? ଯୋଗାଣ ମନ୍ତ୍ରୀ ଆଉ କିଏ? ଆଦି ନାରାବାଜି ଜାରି ରଖିଥିଲେ। ଫଳରେ ସ୍ୱାସ୍ଥ୍ୟ ବିଭାଗର ଖର୍ଚଦାବି ଆଲୋଚନା ହୋଇପାରିନଥିଲା। ଅନ୍ୟୂନ ଛଅଥର ଗୃହ ମୁଲତବୀ ହୋଇଥିଲା।

ସମ୍ବନ୍ଧିତ ଖବର