ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷା : ୬୦ତମ ସ୍ଥାନରେ ଓଡ଼ିଶାର ଅନ୍ୟା

ଭୁବନେଶ୍ବର : କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀ ବାଜିମାତ୍‌ କରିଛନ୍ତି। ପ୍ରକାଶିତ ତାଲିକାରେ ଶ୍ରେଷ୍ଠ ଶହେ ମଧ୍ୟରେ ଓଡ଼ିଶାର ଛାତ୍ରୀ ଅନ୍ୟା ଦାଶ ସ୍ଥାନ ପାଇଛନ୍ତି। ପୂର୍ବରୁ ୨୦୧୬ରେ ସେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସଫଳତା ହାସଲ କରିବା ସହ ୫୭୯ତମ ରୢାଙ୍କରେ ରହିଥିଲେ। ଏବେ ରେଲ୍‌ୱେରେ ଟ୍ରେନିଂ ନେଉଥିବା ଅନ୍ୟା ଏଥର ସର୍ବଭାରତୀୟସ୍ତରେ ୬୦ତମ ସ୍ଥାନରେ ରହି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଜଗତ୍‌ସିଂହପୁର ଜିଲ୍ଲା ତୋଟାପଡ଼ା ଗ୍ରାମରେ ସାହିତ୍ୟିକ ଇନ୍ଦୁଭୂଷଣ ଭୂୟାଁ ଓ ଗୃହିଣୀ ସୀମା ଦାଶଙ୍କ ସୁକନ୍ୟା ଅନ୍ୟା ଭବିଷ୍ୟତରେ ଓଡ଼ିଶାର ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଦିଗରେ କାମ କରିବେ ବୋଲି ‘ସମ୍ବାଦ’କୁ କହିଛନ୍ତି।

ଅନ୍ୟାଙ୍କ ବ୍ୟତୀତ ଓଡ଼ିଶାରୁ ୨୩ ଜଣ ଛାତ୍ରଛାତ୍ରୀ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ସୂଚନା ମିଳିଛି। ସୌମ୍ୟରଞ୍ଜନ ରାଉତ ୧୧୮ତମ ସ୍ଥାନରେ ରହିଥିବା ବେଳେ ସାମ୍ବାଦିକ ଅଶୋକ ମହାପାତ୍ରଙ୍କ କନ୍ୟା ଉପାସନା ମହାପାତ୍ର ୧୧୯ତମ ରୢାଙ୍କରେ ରହିଛନ୍ତି। ଜୁବିନ ମହାପାତ୍ର ୨୩୫ତମ ସ୍ଥାନରେ ରହିଥିବା ବେଳେ ନବଲ ଜୈନ ୩୫୦, ସୌରଭ ମିଶ୍ର ୩୫୭, ପ୍ରଶାନ୍ତ ମିଶ୍ର ୩୬୭, ଶୁଭେନ୍ଦୁ ପାତ୍ର ୪୫୭, ସୋମାଲିନ୍‌ ଶୁଭଦର୍ଶିନୀ ୪୭୮, ସୁଧାଂଶୁ ନାୟକ ୫୦୦, ଦୀପକ କୁମାର ମିଶ୍ର ୫୧୧, ସଞ୍ଜୟ ସାହୁ ୫୨୬, ଦେବରାଜ ଦାସ ୫୨୯, ସିଦ୍ଧାର୍ଥ ଗୌତମ ୫୩୮, ରାକେଶ କୁମାର ସାହୁ ୬୨୭, ବିଭୂତି ଭୂଷଣ ନାୟକ ୭୫୯ତମ ରୢାଙ୍କରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଆଉ କେତେ ଛାତ୍ରଛାତ୍ରୀ ମଧ୍ୟ ସଫଳତା ହାସଲ କରିଛନ୍ତି। ଗତ ୩ ବର୍ଷ ହେଲା ଓଡ଼ିଶାର ଛାତ୍ରଛାତ୍ରୀ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଲଗାତାର ଭାବେ ଉନ୍ନତ ପ୍ରଦର୍ଶନ କରୁଛନ୍ତି। ‌ଅନେକ ପରୀକ୍ଷାର୍ଥୀ ଓଡ଼ିଶା ବାହାରେ କୋଚିଂ ‌ନେଇ ସଫଳତା ହାସଲ କରୁଥିବା ଜଣାପଡ଼ିଛି।

‘ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରିବି’

ଭୁବନେଶ୍ବର : ଜଗତ୍‌ସିଂହପୁର ଜିଲ୍ଲା ତୋଟାପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଅନ୍ୟା ଦାଶ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଛନ୍ତି। ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ସେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ଇଂରାଜୀ ବିଷୟରେ ସ୍ନାତକ ଶିକ୍ଷା ଗ୍ରହଣ କରିଥିବା ଅନ୍ୟା ୨୦୧୬ରେ ସ୍ନାତକ ଶିକ୍ଷା ପରେ ପ୍ରଥମ ଥର ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦେଇଥିଲେ। ସଫଳତାର ସହ ୫୭୯ତମ ସ୍ଥାନରେ ରହିଥିଲେ। ତଥାପି ଭଲ ଫଳ କରିବାର ଆଗ୍ରହ ଛାଡ଼ି ନଥିଲେ। ରେଲୱେରେ ଟ୍ରେନିଂ ନେବା ସହ ବିନା କୋଚିଂରେ ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ରଖିଥିଲେ। ଫଳସ୍ବରୂପ ଶ୍ରେଷ୍ଠ ଶହେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି। ଅନ୍ୟା ଓଡ଼ିଶାର ଟପର୍‌ ହୋଇଥିବା କୁହାଯାଉଛି। ତାଙ୍କର ଏଭଳି ସଫଳତା ପରେ ସ୍ବତନ୍ତ୍ର ସାକ୍ଷାତକାର।
ସଫଳତାର ଶ୍ରେୟ କାହାକୁ ଦେବେ?
-ଭଗବାନଙ୍କ ଆଶୀର୍ବାଦ, ଅଭିଭାବକ, ପରିବାର ଓ ସାଙ୍ଗମାନଙ୍କ ଶୁଭେଚ୍ଛା ପାଇଁ ଆଜି ଏଭଳି ସଫଳତା ମିଳିଛି। ସବୁ କ୍ଷେତ୍ରରେ ବାପା, ମା’ ପ୍ରେରଣା ମୋତେ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା।
ପରୀକ୍ଷା ପାଇଁ କେମିତି ଥିଲା ପ୍ରସ୍ତୁତି?
– ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲି। କୋଚିଂ ନେଉ ନଥିଲି। ନିଜକୁ ନିଜେ ପ୍ରସ୍ତୁତ କରୁଥିଲି। ଦିଲ୍ଲୀରେ ଟେଷ୍ଟ ସିରିଜ୍‌ ବି ଦେଇଛି। ୨୦୧୬ରେ ପ୍ରଥମ ଥର ସଫଳତା ମିଳିବା ପରେ ଉତ୍ସାହ ବଢ଼ିଥିଲା। ଯେଉଁଥିପାଇଁ ଏଥର ଭଲ ରୢାଙ୍କ ପାଇଛି।
ଶ୍ରେଷ୍ଠ ଶହେରେ ରହିବେ ବୋଲି ବିଶ୍ବାସ ଥିଲା?
-ପରୀକ୍ଷା ଭଲ ହୋଇଥିଲା। ଭଲ ରୢାଙ୍କ ଆସିବ ବୋଲି ଆଶା କରିଥିଲି। ତେବେ ୬୦ତମ ସ୍ଥାନ ମିଳିଥିବାରୁ ଖୁସି ଲାଗୁଛି।
କେଉଁ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି?
-ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ କାମ କରିବାକୁ ପ୍ରାଥମିକତା ଦେବି। ପିଲାମାନଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ମିଳିପାରିବ ସେଥିପ୍ରତି ଗୁରୁତ୍ବ ଦେବି। ଲୋକଙ୍କୁ ସ୍ବାବଲମ୍ବୀ କରିବା ମୋର ପ୍ରଥମ ଲକ୍ଷ୍ୟ ରହିବ। ଯଦି ଓଡ଼ିଶାରେ କାମ କରିବାର ସୁଯୋଗ ମିଳେ ତେବେ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରକୁ ଅଧିକ ଫୋକସ କରିବି। ଯେଉଁ ଜିଲ୍ଲାରେ ସୁଯୋଗ ମିଳିବ ସେଠାରେ ଥିବା ସମସ୍ୟାଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବି।
ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ କ’ଣ କହିବେ?
ପରୀକ୍ଷା ପାଇଁ କଠିନ ପରିଶ୍ରମ କରନ୍ତୁ। ନିଜ ଭିତରେ ଦୃଢ଼ ଆତ୍ମବିଶ୍ବାସ ରହିଲେ ସଫଳତା ମିଳିପାରିବ।

ସମ୍ବନ୍ଧିତ ଖବର