ଯାଜପୁରରୋଡ୍ : ଆଧାର ଲିଙ୍କ୍ ଜରିଆରେ ୟୁରିଆ ସାର ଲୁଟ କରାଯାଇଛି। ଚାଷୀଙ୍କ ନାମରେ ଶହ ଶହ କୁଇଣ୍ଟାଲ ୟୁରିଆ ସାର ଉଠିଛି। କେତେକ ଅଧିକାରୀ ଓ ବ୍ୟବସାୟୀ ମାଲେମାଲ ହୋଇଛନ୍ତି। ଏଭଳି ଚାଞ୍ଚଲ୍ୟକର ଖବର ପଦାକୁ ଆସିବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ଦାନା ବାନ୍ଧିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ବଜାରରେ ୟୁରିଆ ସାରର ନିଅଣ୍ଟିଆ ସ୍ଥିତି ସୃଷ୍ଟି କରି ବ୍ୟାପକ କଳାବଜାରୀ ଚାଲିଛି। ଅଣୁସାର କାରବାର ନାମରେ କମ୍ପାନି ଅଧିକାରୀମାନେ ଏଜେଣ୍ଟ ଜରିଆରେ ମାଲାମାଲ ହେଉଛନ୍ତି। ଏମିତି ଏକ ସମୟରେ ଚାଷୀଙ୍କୁ ସାର ଯୋଗାଣ ପାଇଁ ସରକାର ଆଧାର ଲିଙ୍କ ବ୍ୟବସ୍ଥା ପ୍ରଚଳନ କରିଥିବା ବେଳେ ଏହା ଦୁର୍ନୀତିର ଆଉ ଏକ ରାସ୍ତା ଖୋଲିଛି। ଚାଷୀଙ୍କ ନାମରେ ଟ୍ରକ୍ ଟ୍ରକ ସାର ଗୋଟିଏ ଗୋଟିଏ ଆଧାର ଲିଙ୍କରେ ଗାଏବ କରାଯାଇଛି।
ଏ ସଂପର୍କରେ ଯାଜପୁର କୃଷି ବିଭାଗର ଉପନିର୍ଦେଶକ(ଡିଡିଏ) ଶରତ ପୃଷ୍ଟି କହିଛନ୍ତି, ଆଧାର କାର୍ଡ଼ ନାମରେ ଶହ ଶହ କ୍ୱିଣ୍ଟାଲ ସାର ଗାଏବ ହୋଇଯିବା ଘଟଣା ତାଙ୍କ ନଜରକୁ ଆସି ନାହିଁ। ପ୍ରକୃତ ଚାଷୀଙ୍କ ନିକଟରେ ସାର ପହଞ୍ଚିବା ପାଇଁ ଆଧାର ଲିଙ୍କ ବ୍ୟବସ୍ଥା ହୋଇଛି। ମାତ୍ର ଜମି ପରିମାଣ ଓ ଚାଷୀଙ୍କ ଠିକଣା ଦର୍ଶାଯିବାର ବ୍ୟବସ୍ଥା ହୋଇ ନଥିବା ବିଷୟକୁ ସେ ସ୍ୱୀକାର କରିଛନ୍ତି। ଏହା ଅନୁସନ୍ଧାନ କଲେ ଧରାପଡ଼ିବ ବୋଲି ଶ୍ରୀ ପୃଷ୍ଟି କହିଛନ୍ତି।
୨୦୧୪ରେ ୮୫୯୩ମେଟ୍ରିକ ଟନ୍, ୨୦୧୫ରେ ୧୧,୧୬୦ମେଟ୍ରିକ୍ ଟନ୍, ୨୦୧୬ରେ ୧୩ହଜାର ମେଟ୍ରିକ ଟନ୍ ୟୁରିଆ ସାର ଯାଜପୁର ଜିଲ୍ଲାରେ ଚାଷୀ ବ୍ୟବହାର କରିଥିବା କୃଷି ବିଭାଗ ସୂଚନା ଦେଉଛି। ଚଳିତ ବର୍ଷ ୧୪ହଜାର ମେଟ୍ରିକ୍ ଟନ୍ ସାର ଆବଶ୍ୟକ ବୋଲି ଅଧିକାରୀ ଦାବି କରୁଛନ୍ତି। କେନ୍ଦୁଝର ଓ ଭଦ୍ରକକୁ ମଧ୍ୟ ଯାଜପୁରରୋଡ୍ରୁ ସାର ଯୋଗାଣ ହେଉଛି। ସାର କଳାବଜାର ଏହି ଠାରୁ ନିୟନ୍ତ୍ରଣ କରାଯାଉଛି। ଯଦି ସ୍ୱତନ୍ତ୍ର ସ୍କ୍ଵାଡ୍ ଦ୍ୱାରା ରିଟେଲରଙ୍କୁ ଯୋଗାଣ ହୋଇଥିବା ସାର ବିକ୍ରୟ ନେଇ ପିଓଏସ୍ ମେସିନ ଯାଞ୍ଚ କରାଗଲେ ଅଣଚାଷୀଙ୍କ ଆଧାର ଲିଙ୍କରେ ଗାଏବ ହୋଇଥିବା ସାର କେଳେଙ୍କାରୀ ଲୋକଲୋଚନକୁ ଆସି ପାରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।