ଓଡ଼ିଶାରେ ଉର୍ଜାଗଙ୍ଗା

ଧାମରାରୁ ଅନୁଗୁଳ ଗ୍ୟାସ୍‌ ଲାଇନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର-କଟକ ଏବଂ ପାରାଦୀପକୁ ସ୍ପରଲାଇନ୍‌
୬ ହଜାର କୋଟିରେ ୬୦୦ କିଲୋମିଟର ପାଇପ୍‌ ଲାଇନ୍‌
ଓଡ଼ିଶାର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବା ଦରକାର: ଧର୍ମେନ୍ଦ୍ର

ଯାଜପୁର/ସୁକିନ୍ଦା : ପଶ୍ଚିମ ଭଳି ପୂର୍ବ ଭାରତର ବି ବିକାଶ ହେଲେ ସମଗ୍ର ଭାରତର ସର୍ବାଙ୍ଗୀନ ବିକାଶ ହୋଇପାରିବ। ଏଥିପାଇଁ ଓଡ଼ିଶାରୁ ବିକାଶର ପର୍ବ ଆରମ୍ଭ ହୋଇଛି। ନୂଆବର୍ଷ ପୂର୍ବରୁ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର ଭାବେ ୬ହଜାର କୋଟି ବ୍ୟୟରେ ଧାମରାରୁ ଅନୁଗୁଳ ୩୬ଇଞ୍ଚ୍‌ର ନାଚୁରାଲ ଗ୍ୟାସ୍‌ ମୁଖ୍ୟ ଲାଇନ୍‌ ଓ ଭୁବନେଶ୍ୱର-କଟକ ଏବଂ ପାରାଦୀପକୁ ୧୨ ଇଞ୍ଚ୍‌ର ନାଚୁରାଲ୍‌ ଗ୍ୟାସ୍‌ ସ୍ପରଲାଇନ୍‌ ବିଛାଯିବ। ଏ ମଧ୍ୟରୁ ୬ଶହ କିଲୋମିଟରର ପାଇପ୍‌ ଲାଇନ୍‌ ଓଡ଼ିିଶାରେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଧା ଜିଲ୍ଲା ଦେଇ ଯିବ। ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନା ଅନ୍ତର୍ଗତ ଏହି ପାଇପ୍‌ ଲାଇନ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକଥା କହିଛନ୍ତି।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ୍‌ ହରିପୁର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଭିମାନୀ ଓଡ଼ିଆ ଆଉ କେତେ ଦିନ ଦିନ ମଜୁରିଆ ହୋଇ ରହିବ ବୋଲି ପ୍ରଶ୍ନ ଉଠାଇ ଓଡ଼ିଶାର ବିକାଶ ପାଇଁ ମାନ ଅପମାନ, ଉଚ୍ଚନୀଚ ଭୁଲି ଏକାଠି କାମ କରିବା କରିବା ଲାଗି ରାଜ୍ୟ ସରକାରଙ୍କୁ ଆହ୍ଵାନ ଦେଇଥିଲେ। ରାଜ୍ୟ ସରକାର ଗୋଟିଏ ପାଦ ଚାଲିଲେ ନରେନ୍ଦ୍ର ମୋଦି ଆଉ ୩ ପାଦ ଆଗକୁ ବଢ଼ିବେ ବୋଲି କହିଥିଲେ।

ଉନ୍ନତ ମାନର ଇସ୍ପାତ ତିଆରି ପାଇଁ ଗ୍ୟାସ୍‌ ବ୍ୟବହାର କରିବାକୁ ୧୧ଶିଳ୍ପାନୁଷ୍ଠାନ ସହିତ ଚୁକ୍ତି ସଂପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ଯାଜପୁର, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁରରେ କାରଖାନା ରହିଥିଲେ ହେଁ ଉନ୍ନତ ମାନର ଇସ୍ପାତ ତିଆରି ହେଉନାହିଁ। ଫଳରେ ଏହି ଷ୍ଟିଲ୍‌ ଅଟୋମୋବାଇଲ୍‌ ଶିଳ୍ପରେ ବ୍ୟବହାର ହୋଇପାରୁନାହିଁ। ଉଚ୍ଚମାନର ଷ୍ଟିଲ୍‌ ତିଆରି ହେବା ଲାଗି ଏବେ ସୁଯୋଗ ସୃଷ୍ଟି ହୋଇଛି ଓ ଏହାଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗଢ଼ି ଉଠିବ। ଓଡିଆ ଯୁବକମାନେ ଶିଳ୍ପପତି ହେବାର ସୁଯୋଗ ପାଇବେ। ଶ୍ରୀ ପ୍ରଧାନ କହିଥିଲେ, ରାଜ୍ୟ ସରକାର ଆଗକୁ ଆସନ୍ତୁ। ମିଳିତ ଭାବେ ଟାଟା କମ୍ପାନି ଉପରେ ଚାପ ପକାଯିବ। ଟାଟା ଓଡ଼ିଶାରେ ଟ୍ରକ ଓ ଅଟୋମୋବାଇଲ କାରଖାନା କରିବା ଦରକାର। ଓଡ଼ିଶାର ବିକାଶରେ ସାମିଲ ହେବା ଉଚିତ୍‌।ଏହି ଅବସରରେ ଦକ୍ଷତା ବିକାଶ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ୪ଟି ସଂସ୍ଥା ସଂପର୍କରେ ସୂଚନା ଦିଆଯାଇଥିଲା। ଯୁବକମାନଙ୍କୁ ଟ୍ରେନିଂ ଓ ପ୍ରଶିକ୍ଷଣ ଓ ନିଯୁକ୍ତି କ୍ଷେତ୍ରରେ ଏହା କାର୍ଯ୍ୟ କରିବ।

ଯାଜପୁର ଜିଲ୍ଲା ସଂପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ, ଚଣ୍ଡିଖୋଲ-ଡୁବୁରି-କାମାକ୍ଷାନଗର ରାସ୍ତା ସହିତ ତାଙ୍କର ଭାବଗତ ସଂପର୍କ ରହିଛି। କନକତୁରାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଜାତୀୟ ରାଜପଥ ବିକାଶ ହେଉଛି। ଚଣ୍ଡିଖୋଲ- ଡୁବୁରି ପର୍ଯ୍ୟନ୍ତ ଶୋଚନୀୟ ରାସ୍ତା ନବ ନିର୍ମାଣ ପୂର୍ବରୁ ୧୩କୋଟି ଟଙ୍କା ବିନିମୟରେ ମରାମତି ହେବ। ପୂର୍ବ ଟେଣ୍ଡର ବାତିଲ୍‌ ହୋଇଛି। ୬୦୦ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ଟେଣ୍ଡର ହେଉଛି। ବ୍ରାହ୍ମଣୀ ପୋଲର ମରାମତି ପାଇଁ ୪୫ ଲକ୍ଷ ଖର୍ଚ୍ଚ କରାଯିବ।

ମନ୍ତ୍ରୀ କହିଥିଲେ, ରାଜ୍ୟର ଖଣିଖାଦାନରୁ ୫୬ ହଜାର କୋଟି ଟଙ୍କା ଲୁଟ୍‌ ହୋଇଛି। ସେଥି ପାଇଁ ଦାୟୀ କିଏ? ଖଣି ମାଲିକମାନେ ୨ୟ ଥର ସୁପ୍ରିମକୋର୍ଟକୁ ଯିବାକୁ କିଏ ସୁଯୋଗ ଦେଇଛି? ପ୍ରଧାନମନ୍ତ୍ରୀ ଖଣି ରୟାଲିଟି ବୃଦ୍ଧି କରିଛନ୍ତି। ଯାଜପୁର ଶିଳ୍ପାୟନ, ରାସ୍ତାଘାଟ ଓ ସର୍ବାଙ୍ଗୀନ ବିକାଶ ହେଲେ ଏହି ଜିଲ୍ଲା ବିଶ୍ୱର ଶିଳ୍ପକେନ୍ଦ୍ର ଭାବେ ଗଢି ଉଠିବ। ବିଶ୍ୱର ବିଭିନ୍ନ ଦେଶରୁ ତରଳ ଗ୍ୟାସ୍‌ ଧାମରା ବନ୍ଦରକୁ ଆସିବା ପରେ ଯାଜପୁର ଜିଲ୍ଲାକୁ ଆସିବ। ଏଠାରୁ ଭୁବନେଶ୍ୱର, ପାରାଦୀପ ଓ ଅନ୍ୟାନ୍ୟ ଅଞ୍ଚଳକୁ ଗ୍ୟାସ ଯୋଗାଣ ହେବ।

ସଭାରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଂଜନ ଘଡ଼ାଇ କହିଥିଲେ, ବିଜୁବାବୁ ଏହି ମାଟିକୁ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଶାର ବିକାଶ ପାଇଁ କାମ କରିଚାଲିଛନ୍ତି। ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କର ସହିତ ହାତ ମିଳାଇବାକୁ ଶ୍ରୀ ଘଡ଼ାଇ ଆହ୍ଵାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି ନେତା ପ୍ରଦୀପ ବଳସାମନ୍ତ, ଗେଲ୍‌ର ନିର୍ଦେଶକ(ପ୍ରକଳ୍ପ) ଆଶୁତୋଷ କର୍ଣ୍ଣାଟକ, କାର୍ଯ୍ୟନିର୍ବାହୀ ନିର୍ଦେଶକ ପୂର୍ବାଞ୍ଚଳ କେବି ସିଂହ, ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡର ସଦସ୍ୟ ସତ୍‌ପାଲ ଗର୍ଗ, ଏସ୍‌ ରଥ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ବିଜେପି ନେତା ଅଶୋକ ବଳ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ଘଡ଼ାଇ ସଭାକୁ ଆସୁଥିବା ବେଳେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ପତାକା ଓ ସ୍ଲୋଗାନ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର