ପାରାଦୀପରେ ପହଞ୍ଚିଲା ଆମେରିକା ତେଲ ଜାହାଜ

ପାରାଦୀପ : ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରଥମଥର ପାଇଁ ଅଶୋଧିତ ତୈଳ ବୋଝେଇ ଜାହାଜ ଆସି ପାରାଦୀପଠାରେ ପହଞ୍ଚଛି। ଗତ ଜୁନ୍‌ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ତୈଳ କାରବାର ନେଇ ସହମତି ପ୍ରକାଶ ପାଇଥିଲା। ଏହା ପରେ ପ୍ରସ୍ତୁତ ହୋଇଥିବା ଯୋଜନା ଅନୁସାରେ ଏହି ଜାହଜ ଓଡ଼ିଶା ଆସିଛି। ଗତ ଅଗଷ୍ଟ ୧୯ ତାରିଖରେ ଏହି ଜାହାଜ ଯୁକ୍ତରାଷ୍ଟ୍ର ଆମେରିକା ସମୁଦ୍ର ତଟ ଛାଡ଼ିଥିଲା। ଏହା ହେଉଛି ଅଶୋଧିତ ତୈଳ ବହନକାରୀ ଏକ ବୃହତ୍‌ ଜାହାଜ (ଭିଏଲ୍‌ସିସି)। ୨ ନିୟୁତ ବ୍ୟାରେଲ ବହନ କରିବା ପାଇଁ ଏହାର କ୍ଷମତା ରହିଛି। ୪୬ ଦିନ ପରେ ଆଜି ଏହା ପାରାଦୀପଠାରେ ପହଞ୍ଚଛି। ଭାରତୀୟ ତୈଳ ନିଗମ ଏହି ଅଶୋଧିତ ତୈଳକୁ ପାରାଦୀପ ଏବଂ ହଳଦିଆ (ପଶ୍ଚିମବଙ୍ଗ), ବାରାଉଣୀ (ବିହାର) ଏବଂ ବଙ୍ଗାଇଙ୍ଗା (ଆସାମ)ଠାରେ ଥିବା ବିଶୋଧନାଗାରଠାରେ ବିଶୋଧିତ କରାଯିବ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ଭାରତ ହେଉଛି ବିଶ୍ୱର ତୃତୀୟ ତୈଳ ଆମଦାନକାରୀ ରାଷ୍ଟ୍ର। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଗସ୍ତ କାଳରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତାଙ୍କ ଦେଶ ଅଧିକ ଶକ୍ତି ଉତ୍ପାଦ ଭାରତକୁ ରପ୍ତାନୀ କରିବ ବୋଲି ଘୋଷଣା କରିଥିଲେ। ଏହାପରେ ଭାରତ ପକ୍ଷରୁ ଅଶୋଧିତ ତୈଳ ଆମଦାନୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସୂଚନା ଅନୁସାରେ, ଭାରତୀୟ ତୈଳ ନିଗମ ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଆମେରିକାରୁ ୩.୯ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ସଂଗ୍ରହ କରିଥିବା ପାଇଁ ଅର୍ଡର ଦେଇଛି। ଏହା ପଛକୁ ଭାରତୀୟ ପେଟ୍ରୋଲିୟମ ( ବିପିସିଏଲ୍‌) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ (ଏଚ୍‌ପିସିଏଲ୍‌) ଯଥାକ୍ରମେ ୨.୯୫ ମିଲିୟନ ବ୍ୟାରେଲ ଓ ୧ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ପାଇଁ ଅର୍ଡର ଦେଇଥିବା ଜଣାପଡ଼ିଛି। ସବୁକୁ ମିଶାଇଦେଲେ ଭାରତ ଯୁକ୍ତରାଷ୍ଟ୍ର ଆମେରିକାରୁ ସମୁଦାୟ ୭.୮୫ ନିୟୁତ ବ୍ୟାରେଲ୍‌ ଅଶୋଧିତ ତୈଳ ଆମଦାନୀ କରିବ। ଏଥିପାଇଁ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୧୯୭୫ ପରେ ଆମେରିକା ପକ୍ଷରୁ ଭାରତକୁ ତୈଳ ରପ୍ତାନି ବନ୍ଦ କରାଯାଇଥିଲା। ଏତେ ବର୍ଷର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଆମେରିକୀୟ ଅଶୋଧିତ ତୈଳ ଆଣିଥିବା କୌଣସି ଜାହଜ ଭାରତରେ ପହଞ୍ଚିଛି। ଭାରତ ଏବେ ଆମେରିକା ଏବଂ କାନାଡାରୁ ଅଧିକ ଅଶୋଧିତ ତେଳ ଆମଦାନୀ କରିବାକୁ ଚାହୁଁଛି, କାରଣ ସେଠାରେ ସୁଲଭ ମୂଲ୍ୟରେ ଭାରତ ପାଇଁ ତେଲ ଉପଲବ୍ଧ ହେଉଛି। ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରର ଭାରତୀୟ କମ୍ପାନୀ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୫ ନିୟୁତ ଡଲାରର ପୁଞ୍ଜି ବିନିଯୋଗ କରିଛନ୍ତି। ଭାରତୀୟ କମ୍ପାନି ବାର୍ଷିକ ୯ ନିୟୁତ ମେଟ୍ରିକ ଟନ୍‌ ଏଲ୍‌ଏନ୍‌ଜି ପାଇଁ ଆମେରିକା ସହ ଚୁକ୍ତି ମଧ୍ୟ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଚୁକ୍ତି ଅନୁଯାୟୀ ପ୍ରଥମ ଜାହାଜ ଆଜି ପହଞ୍ଚଥିବାବେଳେ ଦ୍ୱିତୀୟ ଜାହାଜ ମାସକ ମଧ୍ୟରେ ପହଞ୍ଚବ ବୋଲି ଜଣାପଡ଼ିଛି।

ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସଂଜୟ ସୁଧୀରଙ୍କୁ ସାଙ୍କେତିକ ଭାବେ ଏହି ତୈଳକୁ ପ୍ରଦାନ କରାଯାଇଛି। ଏଥିପାଇଁ ଏଠାରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଶ୍ରୀ ସୁଧୀର କହିଥିଲେ, ଆମେରିକାରୁ ଅଶୋଧିକ ତୈଳ ଆମଦାନୀ ଦ୍ଵାରା ଉଭୟ ଦେଶ ମଧ୍ୟରେ ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ନୂଆ ବ୍ୟବସ୍ଥା ଦେଶର ମୂଲ୍ୟରେ ସ୍ଥିରତା ଏବଂ ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବ। ଯାହାକି ପେଟ୍ରୋଲିୟମ୍‌୍‌ ଉତ୍ପାଦର ଚାହିଦାକୁ ବିକଶିତ କରିବାରେ ସକ୍ଷମ ହୋଇପାରିବ।

ଇଣ୍ଡିଆନ ଅଏଲ ନିର୍ଦ୍ଦେଶକ (ପାଇପ୍‌ ଲାଇନ) ଅନୀଶ ଅଗ୍ରୱାଲ , ଯୁଗ୍ମ ସଚିବ ମୁନୁ ମାହାୱାର, ବୈଦେଶିକ ମନ୍ତ୍ରଣାଳୟ କାଥାରାଇନ ବି ହଡ୍ଡା, ୟୁଏସ କନସୁଲ ଜେନେରାଲ ହାଇଦ୍ରାବାଦ, ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ବିଭାଗର ବରିଷ୍ଠ ଅଧିକାରୀ, ବୈଦେଶିକ ବ୍ୟପାର ମନ୍ତ୍ରାଳୟ ଓ ଭାରତୀୟ ତୈଳ ନିଗମର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର