ଦେଶରେ ପ୍ରଥମ : ପୁରୁଣା ବର୍ଜ୍ୟବସ୍ତୁରେ ନିର୍ମାଣ ହେବ ରାସ୍ତା, ପୁରୀ ହେବ ପାଇଲଟ୍‌ ପ୍ରୋଜେକ୍ଟ

ପୁରୀ : ପୁରୀ ସହରରେ ଗଦା ହୋଇ ରହିଥିବା ପୁରୁଣା ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଘେରିବନ୍ଧ (ଏମ୍ବାର୍କମେଣ୍ଟ୍‌) ଓ ରାସ୍ତା ନିର୍ମାଣ କରିବା ଲାଗି ପୁରୀ ପୌର ପରିଷଦ ପକ୍ଷରୁ ସିଆର୍‌ଆରଆଇ (ସେଣ୍ଟ୍ରାଲ୍‌ ରୋଡ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌) କର୍ତୃପକ୍ଷଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି। ପୁରୀ ସହରକୁ ଏ କ୍ଷେତ୍ରରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଗ୍ରହଣ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ବର୍ଜ୍ୟବସ୍ତୁକୁ ବ୍ୟବହାର କରି ରାସ୍ତା ନିର୍ମାଣ କରାଗଲେ ଏହା ହେବ ଦେଶରେ ପ୍ରଥମ। ପୁରୀ ପୌର ପରିଷଦ ପକ୍ଷରୁ ଚିଠି ନଂବର ୩୨୭୨ରେ ଏ ସଂପର୍କରେ ସିଆରଆର୍‌ଆଇକୁ ପ୍ରସ୍ତାବ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ଗତ ଏପ୍ରିଲ ୪ ତାରିଖରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପୁରୀ ପୌର ସଂସ୍ଥାକୁ ଏ ସଂପର୍କିତ ନିର୍ଦ୍ଦେଶ ଦିଆଯାଇଥିଲା। ପୁରୀ ସହରର ପୁରୁଣା ବର୍ଜ୍ୟବସ୍ତୁକୁ ବ୍ୟବହାର କରିବା ଲାଗି ରାଜ୍ୟ ପ୍ରଦୂଷଣ ବୋର୍ଡ ଚିଠି ନଂବର ୪୭୮୯ରେ ପ୍ରସ୍ତାବ ରଖିଥିଲେ। ସେହି ପ୍ରସ୍ତାବକୁ ଗ୍ରହଣ କରି ପୁରୀ ପୌର ସଂସ୍ଥା ସିଆର୍‌ଆର୍‌ଆଇକୁ ଚିଠି ଲେଖିଛି। ଏହା କାର୍ଯ୍ୟକାରୀ ହେଲେ ରାସ୍ତା ନିର୍ମାଣରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ପରିବେଶବିତ୍‌ମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର