ଅଗଷ୍ଟ ୧୫ରୁ ରୋଗୀଙ୍କୁ ୟୁଜର୍ସ ଫି’ ଛାଡ଼

ରାଉରକେଲା: କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’କୁ ଟକ୍କର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୭୦ ଲକ୍ଷ ପରିବାରର ଗରିବ ରୋଗୀଙ୍କ ପାଇଁ ଘୋଷଣା କରିଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ୧ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଓ ୪ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଆସନ୍ତା ସ୍ୱାଧୀନତା ଦିବସ (ଅଗଷ୍ଟ ୧୫)ରୁ କାର୍ଯ୍ୟକାରୀ ହେବ। ସେହି ଦିନରୁ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରୁ ଆରମ୍ଭ କରି ଜିଲ୍ଲା ମହକୁମା ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ପର୍ଯ୍ୟନ୍ତ ରୋଗୀଙ୍କୁ ଛାଡ଼ କରାଯିବ ୟୁଜର୍ସ ଫି। ତେବେ ଆନ୍ତଃବିଭାଗ ରୋଗୀ (ଆଇପିଡ଼ି)ଙ୍କ କ୍ୟାବିନ୍‌ ଫି’କୁ ଅବଶ୍ୟ ଏହି ଛାଡ଼ରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ସ୍ୱାଧୀନତା ଦିବସରୁ ଏହି ସୁବିଧାର ସଫଳ କାର୍ଯ୍ୟକାରିତା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ସବୁ ଜିଲ୍ଲାପାଳ ଓ ପୌର ପ୍ରଶାସନଙ୍କୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ, ୨୦୧୪ରୁ ସରକାରୀ ହସ୍ପିଟାଲଗୁଡ଼ିକରେ ଲାଗୁ ହୋଇଥିବା ୟୁଜର୍ସ ଫି’ ବାବଦରେ ବହିଃବିଭାଗ ରୋଗୀ (ଓପିଡ଼ି)ଙ୍କୁ ମୁଣ୍ଡପିଛା ୫ ଟଙ୍କା ଓ ଆଇପିଡ଼ି ରୋଗୀଙ୍କଠାରୁ ପ୍ରାଥମିକ ୟୁଜର୍ସ ଫି’ ବାବଦରେ ରୋଗୀ କଲ୍ୟାଣ ସମିତି ୧୦ ଟଙ୍କା ଲେଖାଏଁ ଅସୁଲ କରୁଥିଲେ। ଆସନ୍ତା ସ୍ୱାଧୀନତା ଦିବସଠାରୁ ସେମାନଙ୍କୁ ଆଉ ଏହି ୟୁଜର୍ସ ଫି’ ଦେବାକୁ ପଡ଼ିବ ନାହିଁ। ପରିବର୍ତ୍ତିତ ବ୍ୟବସ୍ଥାରେ ହସ୍ପିଟାଲଗୁଡ଼ିକର କ୍ଷତି ଭରଣା କରିବେ ସରକାର। ପ୍ରସ୍ତାବ ଅନୁସାରେ ‘ନିଦାନ’ରୁ ସରକାର କ୍ଷତି ଭରଣା କରିବେ। ଏହାଛଡ଼ା ସରକାର ଓପିଡ଼ି ରୋଗୀଙ୍କ ମୁଣ୍ଡପିଛା ୨ ଟଙ୍କା ଏବଂ ଆଇପିଡ଼ିଙ୍କ ପିଛା ୫୦ ଟଙ୍କା ଲେଖାଏଁ ଅତିରିକ୍ତ ସହାୟତା ସମ୍ପୃକ୍ତ ସରକାରୀ ହସ୍ପିଟାଲକୁ ଦେବେ। ଅତିରିକ୍ତ ସହାୟତା ଇନ୍‌ଷ୍ଟିଚ୍ୟୁସନାଲ୍‌ ଡ଼େଭେଲପ୍‌ମେଣ୍ଟ କଷ୍ଟ୍‍ (ଆଇଡ଼ିସି) ବା ସଂସ୍ଥାଗତ ବିକାଶ ପାଣ୍ଠିରେ ଜମା ରହିବ। ଜମା ଅର୍ଥକୁ କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌ (ଜଟିଳ ଚିକିତ୍ସା ଶାଖା)ଗୁଡ଼ିକରେ ଓ ସହାୟକ (ଆଟେଣ୍ଡାଣ୍ଟ୍‌) ନିଯୁକ୍ତି ପାଇଁ ବ୍ୟୟ କରାଯାଇପାରେ। ଏହାଛଡ଼ା ରୋଗୀଙ୍କ ଯାତାୟାତ, ସେମାନଙ୍କ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ଆଦି ଖର୍ଚ୍ଚ ସମେତ ଜେନେରେଟର୍‌ ପାଇଁ ଜାଳେଣି, ବିଦ୍ୟୁତ୍‌ ସଂଯୋଗ, ଶଯ୍ୟା ମରାମତି ପାଇଁ ମଧ୍ୟ ଏହି ଅର୍ଥ ଉପଯୋଗ କରାଯିବ। ମାତ୍ର ଠିକା ବା ଦୈନିକ ମଜୁରି ସୂତ୍ରରେ କର୍ମଚାରୀ ନିଯୁକ୍ତି, ଯାନବାହାନ କିଣା, କିମ୍ବା ଡାକ୍ତରଖାନାର ପ୍ରଶାସନିକ କାମରେ ଖର୍ଚ୍ଚ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଡାକ୍ତରଖାନାକୁ ମାସକ ଭିତରେ ଆସିଥିବା ଉଭୟ ନୂଆ ଓ ପୁରୁଣା ରୋଗୀ (ଏଲୋପ୍ୟାଥି ଓ ଆୟୁଷ), ପ୍ରତିଷେଧକ ଟିକା ନେବାକୁ ଆସିଥିବା ଓ ପ୍ୟାଥୋଲୋଜି ପରୀକ୍ଷା ପାଇଁ ଆସିଥିବା ରୋଗୀଙ୍କ ସଂଖ୍ୟାକୁ ମିଶାଇ ସଂପୃକ୍ତ ଡାକ୍ତରଖାନାର ଓପିଡ଼ି ସଂଖ୍ୟା ନିର୍ଦ୍ଧାରଣ କରାଯିବ। ଡାକ୍ତରଖାନାରେ ନିହାତି ଗୋଟିଏ ରାତି କିମ୍ବା ସର୍ବନିମ୍ନ ୨୪ ଘଣ୍ଟା ରହିଥିବା ରୋଗୀଙ୍କୁ ହିସାବ କରି ମୋଟ୍‌ ଆଇପିଡ଼ି ସଂଖ୍ୟା ନିର୍ଦ୍ଧାରଣ କରାଯିବ। ସଂସ୍ଥାଗତ ବିକାଶ ପାଇଁ ଅର୍ଥ ବ୍ୟବସ୍ଥା କରିବା ବେଳେ ମୋଟ୍‌ ଓପିଡ଼ି ସଂଖ୍ୟାରୁ ଆଇପିଡ଼ିକୁ ବାଦ୍‌ ଦେଇ କେତେଜଣ କେବଳ ଓପିଡ଼ି ରୋଗୀ ଥିଲେ, ତାହା ହିସାବକୁ ନିଆଯିବ।

ସମ୍ବନ୍ଧିତ ଖବର