ବିଧାନ ପରିଷଦ ଗଠନ ବିରୁଦ୍ଧରେ ଉତ୍କଳ ଭାରତ ସୁପ୍ରିମକୋର୍ଟ ଯିବ

ଭୁବନେଶ୍ୱର : ଓଡ଼ିଶାରେ ବିଧାନ ପରିଷଦ ଗଠନ ହେବାର କୌଣସି ଆବଶ୍ୟକତା ନାହିଁ। ଏହା କେବଳ ପରାଜିତ ନେତାମାନଙ୍କୁ ଥଇଥାନ କରିବା ପାଇଁ ଗଠନ ହେଉଛି। ବିଧାନସଭାରେ ଗୃହୀତ ହେଉଥିବା କୌଣସି ବିଲ୍‌କୁ ଦୁଇଟି ପର୍ଯ୍ୟାୟରେ ୪ମାସ ଅଟକାଇବା ଛଡ଼ା ଏହି ଗୃହର ଅନ୍ୟ କୌଣସି କାମ ନାହିଁ। ତେଣୁ ଉତ୍କଳ ଭାରତ ଏହି ବିଧାନ ପରିଷଦ ଗଠନକୁ ବିରୋଧ କରୁଛି। ରାଜ୍ୟ ସରକାର ଯଦି ତାଙ୍କ ପ୍ରସ୍ତାବରୁ ନ ଓହରନ୍ତି ତେବେ ଏହାକୁ ବିରୋଧ କରି ଉତ୍କଳ ଭାରତ ସୁପ୍ରିମକୋର୍ଟକୁ ଯିବ ଏବଂ କ୍ଷମତାକୁ ଆସିଲେ ଯଦି ବିଧାନ ପରିଷଦ ଗଠନ ହୋଇଥିବ ତେବେ ଏହାକୁ ଭାଙ୍ଗି ଦେବ ବୋଲି ଦଳର ସଭାପତି ଐର ଖାରବେଳ ସ୍ୱାଇଁ କହିଛନ୍ତି।

ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଗତ ସେପ୍ଟେମ୍ବର ୬ ତାରଖ ଦିନ ଓଡ଼ିଶା ବିଧାନସଭା ରାଜ୍ୟରେ ଏକ ବିଧାନ ପରିଷଦ ଗଠନ ପାଇଁ ଯେଉଁ ପ୍ରସ୍ତାବ ଗ୍ରହଣ କରିଛି ତାହା ସମ୍ପୂର୍ଣ୍ଣ ଅନାବଶ୍ୟକ। ଏପରି ଗୃହଟିଏ  ଗଠନ ହେଲେ ସେଥିରେ ଗୁରୁତର ଆଲୋଚନା ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ ଯାହା କୁହାଯାଉଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ଓଡ଼ିଶା ବିଧାନସଭା ଯେତେବେଳେ ବର୍ଷକୁ ୬୦ ଦିନ ମଧ୍ୟ ଚାଲୁନାହିଁ । ଆଉ ଯେତେ ଦିନ ଚାଲୁଛି ସେହି ଦିନଗୁଡ଼ିକରେ କେବଳ ବାଚସ୍ପତିଙ୍କ ଆସନକୁ ଆକ୍ରମଣ କରିବା ଓ ଗଣ୍ଡଗୋଳ କରି ଗୃହକୁ ବନ୍ଦ କରିବା କାର୍ଯ୍ୟ ହେଉଛି।  ଅନେକ ସମୟରେ ସରକାରୀ ଦଳ ମଧ୍ୟ ଗୃହ ଚାଲିବାକୁ ଦେଉନାହିଁ ସେତେବେଳେ ଏହି ଗୃହ ଦ୍ୱାରା ନିର୍ବାଚିତ ଓ ସରକାରଙ୍କ ପରାମର୍ଶରେ ରାଜ୍ୟପାଳଙ୍କ ଦ୍ୱାରା ଅନୁମୋଦିତ ସଦସ୍ୟମାନେ ବିଧାନ ପରିଷଦରେ କି ପ୍ରକାର ଶାଣିତ ଆଲୋଚନା କରିବେ ତାହା ସମସ୍ତେ ଜାଣିଛନ୍ତି । ଭାରତ ବର୍ଷର ଯେଉଁ ୭ଟି ରାଜ୍ୟରେ ବିଧାନ ପରିଷଦମାନ ଅଛି ସେଠାରେ କିପ୍ରକାର ଅଧିକ ଶାଣିତ ଆଲୋଚନା ଓ ତର୍ଜମା ହେଉଛି ତାହା ବିଜୁ ଜନତା ଦଳ ସାଧାରଣ ଲୋକଙ୍କୁ ଜଣାଇବ ଦରକାର।

ଅପରପକ୍ଷେ ରାଜ୍ୟ ସରକାର ବିଧାନ ପରିଷଦ ପୁରୁଣା ବିଧାନ ସୌଧରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେତେବେଳେ କି ଏହି ପ୍ରସ୍ତାବ କାଯର୍ଯ୍ୟକାରୀ ହେବାପାଇଁ ସଂସଦର ଦୁଇଟି ଗୃହ ଓ ରାଷ୍ଟ୍ରପତିଙ୍କର ଅନୁମୋଦନ ଆବଶ୍ୟକ। ହେଲେ ଏହି ଅନୁମତି ରାଜ୍ୟ ସରକାରଙ୍କୁ ମିଳିନି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ସମ୍ବନ୍ଧିତ ଖବର