‘ଓଡ଼ିଆ ଭାଷା ସମୃଦ୍ଧି ପାଇଁ କାରିଗରୀ କୌଶଳର ଉପଯୋଗ ଜରୁରୀ’

ଯୋଡ଼ାରେ ଉତ୍କଳ ଦିବସ ସମାରୋହ

ଯୋଡ଼ା/କେନ୍ଦୁଝର :ଓଡ଼ିଆ ଭାଷାକୁ ସମୃଦ୍ଧିଶାଳୀ କରିବାକୁ ହେଲେ କାରିଗରୀ କୌଶଳର ଉପଯୋଗ ଜରୁରୀ। ବର୍ତ୍ତମାନର ହାଇଟେକ୍‌ ଏବଂ ସ୍ମାର୍ଟଫୋନ୍‌ ଯୁଗରେ ଭାଷାର ବିକାଶ ପାଇଁ କାରିଗରୀ କୌଶଳକୁ ବ୍ୟବହାର କରି ପାରିଲେ ଓଡ଼ିଆ ଭାଷା ସମୃଦ୍ଧ ହୋଇପାରିବ ବୋଲି ଯୋଡ଼ାଠାରେ ଆୟୋଜିିତ ୮୩ତମ ଉତ୍କଳ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଯୋଡ଼ା ଷ୍ଟାଡିୟମଠାରେ ଆଜି ସନ୍ଧ୍ୟାରେ ଆୟୋଜିତ ଉତ୍କଳ ଦିବସ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଯୋଗ ଦେଇଥିଲେ। ଯୋଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ମୃଦୁଳା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଉତ୍କଳ ଦିବସ ସମାରୋହ କମିଟିର ସଭାପତି ସିଦ୍ଧାର୍ଥ ସାରଥି କର ଅନ୍ୟତମ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ।

ଉଦ୍‌ବୋଧନ ପ୍ରସଙ୍ଗରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଥିଲେ, ଉତ୍କଳ ଦିବସରେ ଆଜି ଆମେ ସମସ୍ତେ ଓଡ଼ିଆ ଭାଷା ବ୍ୟବହାର ପାଇଁ ଶପଥ ନେବା ଉଚିତ। କାରଣ ଭାଷା ବ୍ୟବହାର ନ ହେଲେ ତାହା ସମୃଦ୍ଧ ହୋଇପାରିବ ନାହିଁ। ତେବେ ଓଡ଼ିଆ ଭାଷା ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ହେଲେ ଓଡ଼ିଆ ଭାଷାକୁ ଲୋଭନୀୟ କରିବା ଉଚିତ। ଏବେ ଅଧିକାଂଶ ଯୁବପିଢ଼ି ସ୍ମାର୍ଟ ଫୋନ୍‌ ମାୟାରେ ବାୟା। ତେଣୁ ଏହି ସ୍ମାର୍ଟ ଫୋନ୍‌କୁ ଆମେ ନିଜର ଶତ୍ରୁ ବୋଲି ନଭାବି ସ୍ମାର୍ଟ ଫୋନ୍‌ ବା ଏହାର କାରିଗରୀ କୌଶଳ ସହିତ ସନ୍ଧି କରିନେବା ଭଲ। ଯଦି ଏହି କାରିଗରୀ କୌଶଳକୁ ଆମେ ଓଡ଼ିଆ ଭାଷା ସମୃଦ୍ଧିର ମାଧ୍ୟମ କରି ପାରିବା ତେବେ ଓଡ଼ିଆ ଭାଷା ସମୃଦ୍ଧ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମହାଭାରତ ଯୁଗରୁ ଏଯାବତ୍‌ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ କହିଥିଲେ। ଓଡ଼ିଶା ଦିବସ ପାଳନର ଆଭିମୁଖ୍ୟ ଏବଂ ଉତ୍କଳୀୟ ପରମ୍ପରା ସଂପର୍କରେ କମିଟିର ସଭାପତି ସିଦ୍ଧାର୍ଥ ସାରଥି କର ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର