ଉତ୍କଳ ସାହିତ୍ୟ ସମାଜ ନୂତନ କର୍ମକର୍ତ୍ତା : ତରୁଣ ସଭାପତି, ମିନାକ୍ଷୀ ସାଧାରଣ ସଂପାଦିକା

କଟକ : ରାଜ୍ୟର ସର୍ବପୁରାତନ ସାରସ୍ବତ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ର କର୍ମକର୍ତ୍ତା ନିର୍ବାଚନ ଆଜି କଟକସ୍ଥିତ ଅନୁଷ୍ଠାନ ପରିସରରେ ଅନୁ୍ଷ୍ଠିତ ହୋଇଛି। ଅଧ୍ୟାପକ ତରୁଣ କୁମାର ସାହୁ ସଭାପତି ଓ ଗୀତିକବି ମିନାକ୍ଷୀ ଦେବୀ ସାଧାରଣ ସଂପାଦିକା ଭାବେ ନିର୍ବାଚିତ ହୋଇଥିବାବେଳେ ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ଉପସଭାପତି, ଅଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ସଂଗଠନ ସଂପାଦକ, ସରୋଜିନୀ ମିଶ୍ର(ଗ) ପାଠାଗାର ସଂପାଦିକା, ପ୍ରକାଶକ ଶିବାଶିଷ କର କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ‌ହୋଇଛନ୍ତି। ନବ ନିର୍ବାଚିତ କର୍ମକର୍ତ୍ତା ଆସନ୍ତା ୩ ବର୍ଷ ପାଇଁ କାର୍ଯ୍ୟ କରିବେ।

ନିର୍ବାଚନରେ ସଭାପତି ଶ୍ରୀ ସାହୁ ୩୬୩ଖଣ୍ଡ ଭୋଟ ବ୍ୟବଧାନରେ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଶ୍ରୀ ସାହୁଙ୍କୁ ୭୨୧ଖଣ୍ଡ ଭୋଟ ମିଳିଥିବାବେଳେ ପ୍ରତିଦ୍ବନ୍ଦ୍ବୀ ଡଃ, ପ୍ରଭାସ ଆଚାର୍ଯ୍ୟଙ୍କୁ ୩୫୮ଖଣ୍ଡ ମିଳିଛି। ସେହିପରି ଉପସଭାପତି ଶ୍ରୀ ପଟ୍ଟନାୟକ ସର୍ବାଧିକ ୬୮୯ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ତାଙ୍କୁ ୮୬୯ଖଣ୍ଡ ମିଳିଥିବା ବେଳେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ପ୍ରଭାବତୀ ପଣ୍ଡାଙ୍କୁ ୧୮୦ ଖଣ୍ଡ ଭୋଟ ମିଳିଛି। ସାଧାରଣ ସଂପାଦିକା ମିନାକ୍ଷୀ ‌ଦେବୀ ୮୦୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଭବାନୀ ପ୍ରସାଦ ମିଶ୍ର ସପକ୍ଷରେ ୨୩୬ଖଣ୍ଡ ଭୋଟ ପଡ଼ିଛି। ଅନୁରୂପ ଭାବେ ସଂଗଠନ ସଂପାଦକ ଆଦିତ୍ୟ ପ୍ରତାପ ଧଳ ୬୧୮ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ଦୁଇ ପ୍ରତିଦ୍ବନ୍ଦ୍ବୀ କୁନ୍ତଳା ବେହେରା ୧୦୬ ଖଣ୍ଡ ଓ ମାଧବ ଚନ୍ଦ୍ର ସ୍ବାଇଁ ୨୩୩ ଖଣ୍ଡ ଭୋଟ ପାଇଛନ୍ତି। କୋଷାଧ୍ୟକ୍ଷ ଶିବାଶିଷ କରଙ୍କୁ ୭୬୧ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରତିଦ୍ବନ୍ଦ୍ବୀ ପ୍ରିୟଦର୍ଶୀ ବିଶ୍ବାଳଙ୍କୁ ୨୭୦ଖଣ୍ଡ ଭୋଟ ମିଳିଛି। ଏତଦ୍‌ବ୍ୟତୀତ ୧୧ଜଣ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ, ଜୀବନାନନ୍ଦ ଅଧିକାରୀ, ଡକ୍ଟର ସୁନାମଣି ରାଉତ, ବ୍ରହ୍ମାନନ୍ଦ ବିଶ୍ବାଳ, ରାଜୀବ ଷଡ଼ଙ୍ଗୀ, ଡକ୍ଟର ଗାୟତ୍ରୀ ଦେବୀ, ଜେନା ଆଦିତ୍ୟପ୍ରତାପ ବାଘସିଂହ, ପ୍ରଫେସର ସୁଦର୍ଶନ ପଟ୍ଟନାୟକ, ଶଶିକାନ୍ତ ରାଉତ, ବ୍ରହ୍ମାନନ୍ଦ ମହାନ୍ତି, ବିଜୟଲକ୍ଷ୍ମୀ ନାୟକ ଓ ତପନ ସ୍ବାଇଁ । ନିର୍ବାଚନ ଅଧିକାରୀ ଭାବେ ଇଞ୍ଜିନିୟର ପ୍ରଭାତ କୁମାର ନନ୍ଦ ନିର୍ବାଚନ ପରିଚାଳନା କରିଥିଲେ।

ସଭାପତି ଭାବେ ନିର୍ବାଚିତ ହେବା ପରେ ଶ୍ରୀ ସାହୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ଅନୁଷ୍ଠାନ ଗଠନ ଓ ବିକାଶରେ ଆମ ପୂର୍ବସୂରୀଙ୍କ ‌ଉଦ୍ୟମ, ଆନ୍ତରିକତା ଓ ନିଷ୍ଠା ରହିଛି। ଏବେ ପୂର୍ବସୁରୀଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ କରିବା ସହିତ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତିର ବିକାଶ କରିବା ପାଇଁ ସମସ୍ତଙ୍କୁ ନେଇ କାମ କରିବି।

ସେହିଭଳି, ନବନିର୍ବାଚିତ ସାଧାରଣ ସଂପାଦିକା ମିନାକ୍ଷୀ ଦେବୀ କହିଛନ୍ତି ଯେ, ଭାଷା ସାହିତ୍ୟର ବିକାଶ ଅନୁଷ୍ଠାନର ମୌଳିକ କାର୍ଯ୍ୟ। ରାଜ୍ୟ ତଥା ଦେଶରେ ଓଡ଼ିଆ ଭାଷାର କିପରି ବିକାଶ ହେବ ସେ ଦିଗରେ ଉଦ୍ୟମ ଜାରି ରହିବ।

ସମ୍ବନ୍ଧିତ ଖବର