ଉତ୍କଳ ବିଶ୍ୱବିଦ୍ୟାଳୟର ୪୦ଏକର ଜମି ଗାଏବ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଏବିଭିପି

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ୪୦ଏକର ଜମି ଗାଏବ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବ ପରେ ଆଜି କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ସରକାର ଉତ୍କଳ ବିଶ୍ୱବିଦ୍ୟାଳୟକୁ ୩୯୯ଏକର ଜମି ଦେଇଥିବାବେଳେ ରାଜସ୍ୱ ବିଭାଗର ଭୂଲେଖରେ ୩୫୯ଏକର ଜମି ଥିବା ଉଲ୍ଲେଖ ଅଛି। ବାକି ୪୦ଏକର ଜମି କେଉଁଠି ଅଛି ଖୋଜିବାକୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିବାକୁ ଏବିଭିପିର ବାଣୀବିହାର ସମ୍ପାଦକ ରତନ୍‌ କୁମାର ଦିଗଲ୍‌ ଦାବି କରିଛନ୍ତି। ଏବିଭିପି ପକ୍ଷରୁ ଆଜି ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଭାରପ୍ରାପ୍ତ କୁଳପତି ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀଙ୍କୁ ଦାବି ପତ୍ର ଦିଆଯାଇଛି। ଯଦି ବିଶ୍ୱବିଦ୍ୟାଳୟକୁ ୪୦ଏକର ଜମି ନ ଫେରେ ତେବେ ଏବିଭିପି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଆଜିର ବିକ୍ଷୋଭ ପ୍ରଦର୍ଶନ ବେଳେ ଏବିଭିପିର ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ମଲ୍ଲିକ, ପ୍ରଶାନ୍ତ ପାଇକରାୟ, ତାପସ ରଞ୍ଜନ ବାରିକ, ପ୍ରଦୀପ କୁମାର ମଲ୍ଲିକ, ରଚନା ଦାସ, ବିଭୁ ରଞ୍ଜନ ଖଟୁଆ, ଜ୍ୟୋତି ରଞ୍ଜନ ବେହେରା, ସୌରଭ ଦାସ ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର