୧୫ ଜିଲ୍ଲାକୁ ସମ୍ପ୍ରସାରିତ ହେବ ‘ଉତ୍କର୍ଷ’

‘ପରୀକ୍ଷା ପଦ୍ଧତିର ସଂସ୍କାର ଓ ଗୁଣାତ୍ମକ ଶିକ୍ଷା’ କର୍ମଶାଳା

ଭୁବନେଶ୍ୱର : ଜାତୀୟସ୍ତରରେ ଅନୁଷ୍ଠିତ ପରୀକ୍ଷାରେ ଓଡ଼ିଆ ପିଲା ଭଲ କରିପାରୁ ନାହାନ୍ତି। ପୂର୍ବରୁ ଯେଉଁଭଳି ସଫଳତା ମିଳୁଥିଲା ବର୍ତମାନ ସେଭଳି ରେଜଲ୍ଟ ମିଳୁନି। କେଉଁଠି ଅଭାବ ରହୁଛି ତାହାକୁ ଖୋଜିବାକୁ ପଡ଼ିବ। ପରୀକ୍ଷା ପଦ୍ଧତିରେ ପରିବର୍ତନ, ଛାତ୍ରଛାତ୍ରୀଙ୍କ ଶିକ୍ଷଣର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦବି ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି। ପିଲାଙ୍କ ଦକ୍ଷତା ବୃଦ୍ଧି ସହ ଶିକ୍ଷାଦାନର ମାନ ବୃଦ୍ଧି ପାଇଁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ଉଜ୍ଜ୍ୱଳ’, ‘ଉତ୍ଥାନ’ ଓ ‘ଉତ୍କର୍ଷ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବରୁ ୩ଟି ଜିଲ୍ଲାରେ ‘ଉତ୍କର୍ଷ’ କାର୍ଯ୍ୟକାରୀ ହେଉଥିବା ବେଳେ ଏବେ ୧୫ଟି ଜିଲ୍ଲାକୁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଥିବା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଆୟୋଜିତ ‘ପରୀକ୍ଷା ପଦ୍ଧତିର ସଂସ୍କାର ଓ ଗୁଣାତ୍ମକ ଶିକ୍ଷା’ ସମ୍ପର୍କିତ ଆଲୋଚନାଚକ୍ର ଓ କର୍ମଶାଳାରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।

ଓଷ୍ଟା ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଆୟୋଜିତ ଆଲୋଚନାଚକ୍ରରେ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ସଙ୍ଗଠନର ଭିତ୍ତିପତ୍ର୍ର ଉପସ୍ଥାପନ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍‌ ପ୍ରାଧ୍ୟାପକ ଗୌରାଙ୍ଗ ନନ୍ଦ, ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦେଶକ କମଳ ପ୍ରସାଦ ମହାପାତ୍ର, ପର୍ଶୁରାମ ମିଶ୍ର, ନିରୂପମା ବଡ଼ପଣ୍ଡା ପ୍ରମୁଖ ଆଲୋଚକ ଭାବେ ଯୋଗଦେଇଥିଲେ। ୩୦ଟି ଜିଲ୍ଲାରୁ ଆସିଥିବା ଶିକ୍ଷାବିତ୍‌, ଶିକ୍ଷକ, ଶିକ୍ଷକ ନେତା, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲା। ଓଏମ୍‌ଆରକୁ ପରିବର୍ତନ କରି ୪୦ ମାର୍କର ସଂକ୍ଷିପ୍ତ ପଶ୍ନ, ୫୦ ମାର୍କ ବିସ୍ତୁତ ପ୍ରଶ୍ନ ଓ ୧୦ ମାର୍କର ଇଣ୍ଟରନାଲ ଆସେସ୍‌ମେଣ୍ଟ ପାଇଁ ପ୍ରସ୍ତାବ, ମାଟ୍ରିକ ପରୀକ୍ଷାର ପରିବର୍ତ୍ତିତ ଢ଼ାଞ୍ଚା ଏବେ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରିବା ପରି ୧୨ଟି ପ୍ରସ୍ତାବ ଏଠାରେ ଗୃହୀତ ହୋଇଛି। ନିଷ୍କର୍ଷପତ୍ରକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମାଧ୍ୟମିକ ଶିକ୍ଷା ପରିଷଦକୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତିି ନିଆଯାଇଛି।

ସମ୍ବନ୍ଧିତ ଖବର