ଉପାନ୍ତ ଅଂଚଳର ସ୍ୱାସ୍ଥାବସ୍ଥା ତଦାରଖ କଲେ ଫାଇଭ୍‌-ଟି ସଚିବ

ଭୁବନେଶ୍ୱର: ଫାଇଭ୍‌-ଟି ସଚିବ ବୁଧବାର ମାଲକାନଗିରି ଡାକ୍ତରଖାନାରେ ହଠାତ ପହଞ୍ଚିଛନ୍ତି। ଭି କାର୍ତିକେୟନ ପାଣ୍ଡିଆନ୍‌ ଡାକ୍ତରଖାନା ବୁଲି ଦେଖିଛନ୍ତି। ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ୱାସ୍ଥ୍ୟାବସ୍ଥା ନେଇ ରୋଗୀଙ୍କ ସହ ଆଲୋଚନା କରିବା ସହ ଲୋକଙ୍କୁ ମେଡିକାଲରେ କିଭଳି ସୁବିଧା ମିଳୁଛି ତାହା ପଚାରି ବୁଝିଛନ୍ତି।

ଚଳିତ ମାସ ୨ ତାରିଖରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହେବା ପରେ ତୃଣମୂଳ ସ୍ତରରେ ଏହା କିପରି କାର୍ଯ୍ୟକାରୀ ହେଉଛି ତାହାକୁ ଫାଇଭ୍‌-ଟି ସଚିବ ଅନୁଧ୍ୟାନ କରିଛନ୍ତି। ଲୋକମାନେ ହସ୍ପିଟାଲରେ ଠିକ ଭାବେ ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ତାହା ସିଧାସଳଖ ରୋଗୀଙ୍କ ଠାରୁ ପଚାରି ବୁଝିଛନ୍ତି। ତେବେ ମାଲକାନଗିରି ଡାକ୍ତରଖାନା ଗସ୍ତରେ ଯାଇଥିବା ବେଳେ ଭି କାର୍ତିକେୟନ ପାଣ୍ଡିଆନଙ୍କ ସହ ଅର୍ଥ ବିଭାଗର ପ୍ରମୁଖ ସଚିବ ଏକେ. ମିନା ଏବଂ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ।

ମୋ ସରକାର ଯୋଜନା ପ୍ରଥମେ ଡାକ୍ତରଖାନା ଓ ପୁଲିସ ଥାନାରେ ଲାଗୁ କରାଯାଇଛି। ଲୋକଙ୍କୁ ଭଦ୍ର ବ୍ୟବହାର ସହ ତାଙ୍କ ସମସ୍ୟାର ସମାଧାନ ଏବଂ ସରକାରୀ ପ୍ରତିଷ୍ଠାନ ପ୍ରତି ଲୋକଙ୍କ ବିଶ୍ୱାସ ବଢାଇବା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାର ସମୀକ୍ଷା କରିଛନ୍ତି ଫାଇଭ୍‌-ଟି ସଚିବ। କୋରାପୁଟ ଓ ନବରଙ୍ଗପୁରର ସରକାରୀ ହସ୍ପିଟାଲକୁ ମଧ୍ୟ ଯାଇ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି। ସେପଟେ, ବିରୋଧୀମାନେ ରାଜ୍ୟ ସରକାରଙ୍କ ଏହି ମୋ ସରକାର କାର୍ଯ୍ୟକ୍ରମ ଏବଂ ବିଭାଗୀୟ ସଚିବଙ୍କ ଦକ୍ଷିଣ ଓଡିଶା ଗସ୍ତକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ।

ସମ୍ବନ୍ଧିତ ଖବର