ବଳିଲା ୧୧୭ ଏମ୍‌ବିବିଏସ୍‌ ସିଟ୍‌ ପ୍ରଥମ ପର୍ଯ୍ୟାୟ ମେଡିକାଲ ନାମଲେଖା ସରିଲା

ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ବେସରକାରୀ ମେଡିକାଲ କଲେଜରେ ନାମଲେଖା ପାଇଁ ଓଜେଇଇ ପକ୍ଷରୁ କରାଯାଉଥିବା ପ୍ରଥମ ପର୍ଯ୍ୟାୟ କାଉନସେଲିଂ ଶେଷ ହୋଇଛି। ଡିମ୍‌ଡ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଛାଡ଼ି ରାଜ୍ୟରେ ଥିବା ଅନ୍ୟ କଲେଜଗୁଡ଼ିକର ଏମ୍‌ବିବିଏସ୍‌ ଓ ବିଡିଏସ୍‌ରେ ୧୩୦୦ ସିଟ୍‌ ରହିଛି। ସେଥିମଧ୍ୟରୁ ରାଜ୍ୟ କୋଟାରେ ଥିବା ୯୯୧ ଏମ୍‌ବିବିଏସ୍‌ ସିଟ୍‌ ପାଇଁ ଓଜେଇଇ କାଉନସେଲିଂ କରୁଛି। ପ୍ରଥମ ପର୍ଯ୍ୟାୟ ପରେ ୧୧୭ଟି ଏମ୍‌ବିବିଏସ୍‌ ସିଟ୍‌ ବଳକା ରହିଛି। ସେହିପରି ଓଜେଇଇ କାଉନସେଲିଂ କରୁଥିବା ୧୪୨ଟି ବିଡିଏସ୍‌ ସିଟ୍‌ ମଧ୍ୟରୁ ୧୦୦ ସିଟ୍‌ ଖାଲି ପଡ଼ିଥିବା ଓଜେଇଇ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ଥିବା ୭ଟି ସରକାରୀ ମେଡିକାଲ କଲେଜର ୧୦୫୦ ଏମ୍‌ବିବିଏସ୍‌ ସିଟ୍‌ ମଧ୍ୟରୁ ରାଜ୍ୟ କୋଟାର ୮୯୧ ସିଟ୍‌ ପାଇଁ ଓଜେଇଇ କାଉନସେଲିଂ କରୁଛି। ପ୍ରଥମ ପର୍ଯ୍ୟାୟରେ ୮୨୭ ସିଟ୍‌ ପୂରଣ ହୋଇଛି। ଆଉ ୬୪ଟି ସିଟ୍‌ ବଳକା ରହିଛି। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ୨୧୨ ସିଟ୍‌ ମଧ୍ୟରୁ ୧୯୯, ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର ୨୧୨ ସିଟ୍‌ରୁ ୨୦୨, ବୁର୍ଲାସ୍ଥିତ ଭିଏସ୍‌ଏସ୍‌ ମେଡିକାଲ କଲେଜର ୧୨୭ ସିଟ୍‌ରୁ ୧୨୦, ବାରିପଦା ମେଡିକାଲ କଲେଜର ୮୫ରୁ ୭୮, କୋରାପୁଟ ମେଡିକାଲ କଲେଜର ୮୫ ସିଟ୍‌ରୁ ୭୭, ବଲାଙ୍ଗୀର ମେଡିକାଲ କଲେଜର ୮୫ରୁ ୭୮, ବାଲେଶ୍ୱର ମେଡିକାଲ କଲେଜର ୮୫ରୁ ୭୭ଟି ଏମ୍‌ବିବିଏସ୍‌ ସିଟ୍‌ ପୂରଣ ହୋଇଛି। ସେହିପରି ଭୁବନେଶ୍ୱର ହାଇଟେକ୍‌ ମେଡିକାଲ କଲେଜର ୧୦୦ ଏମ୍‌ବିବିଏସ୍‌ ସିଟ୍‌ ମଧ୍ୟରୁ ୪୩ଟି ନାମଲେଖା ହୋଇଥିବା ବେଳେ ୫୭ ସିଟ୍‌ ବଳକା ରହିଛି। କଟକ ଏସ୍‌ସିବିରେ ଥିବା ୫୦ଟି ବିଡିଏସ୍‌ ସିଟ୍‌ ମଧ୍ୟରୁ ଓଜେଇଇ ରାଜ୍ୟ କୋଟାର ୪୨ଟି ସିଟ୍‌ ପାଇଁ କାଉନସେଲିଂ ହେଉଛି। ପ୍ର୍ରଥମ ପର୍ଯ୍ୟାୟରେ ୩୮ଟି ସିଟ୍‌ରେ ନାମଲେଖା ହୋଇଛି। ଆଉ ୪ଟି ସିଟ୍‌ ବଳିଛି। ହାଇଟେକ୍‌ ମେଡିକାଲ କଲେଜର ୧୦୦ ବିଡିଏସ୍‌ ସିଟ୍‌ ମଧ୍ୟରୁ ମାତ୍ର ୪ଟିରେ ନାମଲେଖା ହୋଇଛି। ଆହୁରି ୯୬ଟି ସିଟ୍‌ ବଳକା ରହିଛି। ପ୍ରଥମ ପର୍ଯ୍ୟାୟରେ ଖାଲିଥିବା ସିଟ୍‌ ସମେତ ଅଲ୍‌ ଇଣ୍ଡିଆ କୋଟାରୁ ଫେରିଥିବା ସିଟ୍‌ଗୁଡ଼ିକୁ ନେଇ ଆସନ୍ତା ୨୪ ତାରିଖରେ ତାଲିକା ପ୍ରକାଶ ପାଇବ। ଏଥିପାଇଁ ଆସନ୍ତା ୨୫ ଓ ୨୬ରେ ଚଏସ୍‌ ଫିଲିଂ ହେବ। ୨୭ ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ ହେବ। ଜୁଲାଇ ୩୦ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିବ। ଏହାପରେ ଯଦି ସିଟ୍‌ ବଳିବ ତେବେ ଅଗଷ୍ଟ ୪ରୁ ୮ ମଧ୍ୟରେ ଓଜେଇଇ ପକ୍ଷରୁ ସ୍ପଷ୍ଟ ନାମଲେଖା କରାଯିବ। ଏହାପରେ ଘରୋଇ ମେଡିକାଲ କଲେଜରେ ଯଦି ସିଟ୍‌ ଖାଲିପଡ଼ିବ ତେବେ ଅଗଷ୍ଟ ୧୩ ପରେ ତାହାକୁ ସମ୍ପୃକ୍ତ କଲେଜକୁ ଫେରାଇ ଦିଆଯିବ। ଏହାପରେ ସମ୍ପୃକ୍ତ କଲେଜ କର୍ତୃପକ୍ଷ ମପ୍‌-ଅପ୍‌ କାଉନସେଲିଂ ମାଧ୍ୟମରେ ନାମଲେଖା କରିବେ। ଅଗଷ୍ଟ ୧ରୁ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧିତ ଖବର