୧୦ରୁ ୯ ଜେଲ୍‌ ଅଧୀକ୍ଷକ ପଦବି ଖାଲି

ଭୁବନେଶ୍ୱର: ରାଜ୍ୟରେ ଥିବା କେତୋଟି ପ୍ରମୁଖ ଜେଲ୍‌ରେ ଏବେ ଅଧୀକ୍ଷକ ପଦବି ଖାଲି ପଡ଼ିଛି। ପାଖାପାଖି ବର୍ଷେ ହେବ ବିଭିନ୍ନ ଜେଲ୍‌ର ଏଭଳି ଅବସ୍ଥା। କାମ ଚଳାଇବା ପାଇଁ ଜେଲ୍‌ ଅଧୀକ୍ଷକ ଦାୟିତ୍ୱ ତୁଲାଉଛନ୍ତି ଜେଲର୍‌। ମିଳିଥିବା ସୂଚନା ମୁତାବକ ସ୍ୱତନ୍ତ୍ର ଜେଲ୍‌, ସର୍କଲ ଜେଲ୍‌ ଓ ରାଜ୍ୟର ତିନିଟି ଜେଲ୍‌ ମୁଖ୍ୟ ଅଧୀକ୍ଷକ ପଦବି ପାହ୍ୟାର ଜଣେ ଅଧିକାରୀ ନିଯୁକ୍ତି ପାଇବା କଥା। କିନ୍ତୁ ଗତ ଏକ ବର୍ଷ ହେବ ୧୦ଟି ଜେଲ୍‌ ଅଧୀକ୍ଷକ ପଦବି ମଧ୍ୟରୁ ୯ଟି ଅଧୀକ୍ଷକ ପଦବି ଖାଲି। ବ୍ରହ୍ମପୁର ସର୍କଲ ଜେଲ୍‌କୁ ଛାଡିଦେଲେ ରାଉରକେଲା ଓ ଭୁବନେଶ୍ୱରର ଝାରପଡ଼ା ସ୍ୱତନ୍ତ୍ର ଜେଲ୍‌, ଚୌଦ୍ୱାର, ବାରିପଦା, କୋରାପୁଟ, ସମ୍ବଲପୁର ସର୍କଲ ଜେଲ୍‌ରେ ଅଧୀକ୍ଷକ ପଦରେ କେହି ନାହାନ୍ତି। ଏ ସମ୍ପର୍କରେ ଜେଲ୍‌ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଅଧୀକ୍ଷକ ପଦୋନ୍ନତିକୁ ନେଇ ବିଭାଗ ମଧ୍ୟରେ ବିବାଦ ଲାଗି ରହିଛି। ଏ ନେଇ କେତେକ କର୍ମଚାରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ପଦୋନ୍ନତି ଉପରେ ସ୍ଥଗିତାଦେଶ ଦେଇଛନ୍ତି। ତେବେ ସ୍ଥଗିତାଦେଶ ହଟାଇବା ଲାଗି ଜେଲ୍‌ ବିଭାଗ ପକ୍ଷରୁ କୋର୍ଟକୁ ଅନୁରୋଧ କରାଯାଇଛି। କୋର୍ଟ ରୋକ୍‌ ହଟାଇଲେ ଆସନ୍ତା ଦୁଇ ମାସ ମଧ୍ୟରେ ରାଜ୍ୟରେ ଖାଲି ପଡ଼ିଥିବା ଅଧୀକ୍ଷକ ପଦବି ପୂରଣ ହୋଇ ପାରିବ ବୋଲି ଉକ୍ତ ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଇତିମଧ୍ୟରେ ଜେଲ୍‌ ଭିତରେ ଅରାଜକତା ବଢ଼ି ବଢ଼ି ଚାଲିଛି। ଗତକାଲି ଚିଟଫଣ୍ଡ ଠକେଇ ମାମଲାରେ ଦୋଷ ସ୍ୱୀକାର କରି ଝାରପଡ଼ା ଜେଲ୍‌ରେ ସଜା କାଟୁଥିବା ଆସ୍ଥା ଇଣ୍ଟରନ୍ୟାସନାଲ ଚିଟଫଣ୍ଡ୍‌ ସଂସ୍ଥା ନିର୍ଦେଶକ ଚନ୍ଦ୍ରସିଂହ ଶିବାଜୀ ଚୌହ୍ଵାନଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ତିନି ସପ୍ତାହ ତଳେ କେନ୍ଦ୍ରାପଡ଼ା ବାରିମୂଳ ଜେଲ୍‌ରୁ ଜଣେ ହତ୍ୟା ଅଭିଯୁକ୍ତ ଗଙ୍ଗାଧର ବିଶ୍ୱାଳ ପାଚେରି ଡେଇଁ ଚମ୍ପଟ ମାରିଥିଲା। କେବଳ ଏହି ଦୁଇଟି ଘଟଣାକୁ ଛାଡି ଦେଲେ ବିଗତ ଦିନରେ ବ୍ରହ୍ମପୁର ସର୍କଲ ଜେଲ୍‌, ଚୌଦ୍ୱାର ଜେଲ୍‌ରେ ଅପରାଧୀମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଭଳି ଅଘଟଣ ଘଟିଛି। ଝାରପଡ଼ା ସ୍ୱତନ୍ତ୍ର ଜେଲ୍‌ରେ ଏବେ ବିଶୃଙ୍ଖଳା ଆରମ୍ଭ ହୋଇ ଯାଇଛି। ଜେଲ୍‌ରେ କଏଦୀ ସଂଖ୍ୟା ୭ଶହ ପାଖାପାଖି। ବିକ୍ରମ ମଲ୍ଲିକ ଭଳି ଦୁର୍ଦାନ୍ତ ଅପରାଧୀ, ମାଓବାଦୀ ଓ ଗଣ୍ଡାଗଣ୍ଡା ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତ ଏବେ ଏହି ଜେଲ୍‌ରେ। କିନ୍ତୁ ସୁରକ୍ଷା ଦାୟିତ୍ୱରେ ମାତ୍ର ୪୫ ଜଣ କର୍ମଚାରୀ।

ସମ୍ବନ୍ଧିତ ଖବର