ବିପଦ ସଂକେତ ଉପରେ ବଂଶଧାରା : ପାରଳାଖେମୁଣ୍ଡି-କାଶୀନଗର ମୁଖ୍ୟ ରାସ୍ତାରେ ଏକ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ

କାଶୀନଗର : ଲଘୁଚାପଜନିତ ବର୍ଷାରେ ଗଜପତି ଜିଲ୍ଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀରେ ଆଜି ମଧ୍ୟାହ୍ନରେ ଜଳ ବିପଦ ସଂକେତ ଟପି ଯାଇଥିଲା। ଫଳରେ ପାରଳାଖେମୁଣ୍ଡି-କାଶୀନଗର ମୁଖ୍ୟ ରାସ୍ତାରେ ଏକ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି।

କାଶୀନଗର ତହସିଲଦାର ଆୟୁବ ମଣ୍ଡଳ, ବିଡିଓ ସୁଧିର କୁମାର ସିଂ ପ୍ରମୁଖ ବନ୍ୟା ପ୍ଲାବିତ ଅଞ୍ଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରୁଥିଲେ। ଜଳସେଚନ ବିଭାଗର କିଛି ଅଧିକାରୀ ବଂଶଧାରା ତଳ ମୁଣ୍ଡରେ ରହିଥିବା ହିରମଣ୍ଡଳ ସ୍ଥିତ ଗୋଟାବ୍ୟାରେଜ୍‌ ଗସ୍ତ କରି ବ୍ୟାରେଜରେ ବନ୍ୟା ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେଇଥିଲେ। ବଂଶଧାରା ନଦୀ କାଶୀନଗର ଠାରେ ସତର୍କ ଓ ବିପଦ ସଙ୍କେତ ଯଥାକ୍ରମେ ୫୩.୬୦ ମିଟର ଓ ୫୪.୬୦ ମିଟର ରହିଥିବା ବେଳେ ଗତକାଲି ପୂର୍ବାହ୍ନ ୧୦ଟାରୁ ହିଁ ସତର୍କ ସଙ୍କେତ ଟପି ୫୪.୦୦ ମିଟରରେ ପହଞ୍ଚିଥିଲା। ଏହା ଆସ୍ତେ ଆସ୍ତେ ବୃଦ୍ଧି ପାଇ ସନ୍ଧ୍ୟା ୬ଟାରୁ ରାତି ୧୧ଟାପର୍ଯ୍ୟନ୍ତ ୫୪.୫୬ ମିଟର ଉଚ୍ଚରେ ସ୍ଥିର ହୋଇ ରହିଥିଲା। ବିଳମ୍ବିତ ରାତି ଗୋଟାଏରେ ବିପଦ ସଙ୍କେତ ଅତିକ୍ରମ କରି ୫୪.୬୭ ମିଟରରେ ପହଞ୍ଚି ଥିଲା। ଆଜି ପୂର୍ବାହ୍ନ ୬ଟା ଓ ୭ଟାରେ ଜଳସ୍ତର ବିପଦ ସଂକେତ ଅତିକ୍ରମ କରି ୫୫.୧୮ ମିଟର ଉଚ୍ଚରେ ପ୍ରବାହିତ ହୋଇଥିଲା। ତେବେ ବର୍ଷାର ପରିମାଣ କମିବା ପରେ ଆଜି ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଜଳ ପତ୍ତନ ବିପଦ ସଙ୍କେତ ଉପରେ ଅର୍ଥାତ ୫୪.୬୦ ମିଟରରେ ପ୍ରବାହିତ ହେଉଥିଲା।

ସମ୍ବନ୍ଧିତ ଖବର