ବାଣୀବିହାରର ୪୦ ଏକର ଜମି ଗାଏବ : କାଗଜପତ୍ରରେ ୩୯୯ ଏକର, ଭୂ-ଲେଖରେ ୩୫୯ ଏକର

0 129

ଭୁବନେଶ୍ୱର : ୩୯୮.୯୮ ଏକର ପରିମିତ ଜମିରେ ଛିଡ଼ା ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ। କାଗଜପତ୍ର ଏଭଳି ତଥ୍ୟ କହୁଛି। ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗର ଭୂ-ଲେଖରେ ଥିବା ତଥ୍ୟ କିନ୍ତୁ ଆଉ କିଛି ସୂଚାଉଛି। ଏଥିରେ ଦର୍ଶାଯାଇଛି, ଏବେ ବିଶ୍ୱବିଦ୍ୟାଳୟର ୩୫୯ ଏକର ଜମି ରହିଛି। ଅର୍ଥାତ୍‌ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ୪୦ ଏକର ଜମି ଗଲା କୁଆଡ଼େ? ମାଫିଆ ନେଇଗଲେ ନା ଆଉ କିଏ ଚଞ୍ଚକତା କରି ହଡପ କରିସାରିଲେଣି? ଏମିତି ପ୍ରଶ୍ନ ଏବେ ସବୁ ମହଲକୁ ଆନ୍ଦୋଳିତ କଲାଣି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବାଣୀବିହାର ପରି ସ୍ଥାନରେ ଯଦି ଏକର ପିଛା ଜମିର ମୂଲ୍ୟ ପାଖାପାଖି ୧୫ କୋଟି ଟଙ୍କା ହୁଏ ତେବେ ପ୍ରାୟ ୬୦୦ କୋଟି ଟଙ୍କାର ଜମିର କିଏ ହଡ଼ପ କରିଦେଲା? କିଏ ଜବରଦଖଲ କରିଛି? ନା ବିକ୍ରି ହୋଇଗଲାଣିି? ଏହାର ଉତ୍ତର କିନ୍ତୁ କାହା ପାଖରେ ନାହିଁ। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏହାର ଟେର୍‌ ପାଉ ନାହାନ୍ତି। ରାଜସ୍ୱ ବିଭାଗ ନିକଟରେ ବି ସଠିକ୍‌ ତଥ୍ୟ ନାହିଁ। ରାଜଧାନୀର ଛାତି ଉପରେ ଥିବା ୭୫ ବର୍ଷର ଏହି ଶିକ୍ଷାନୁଷ୍ଠାନର ଜମିର ହିସାବ ଏବେ ଖୋଜୁଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ।

କିଛି ମାସ ତଳେ ବାଣୀବିହାର ଜମି ଜବରଦଖଲ ନେଇ ବିଧାନସଭାରେ ଉଠିଥିବା ଏକ ପ୍ରଶ୍ନର ଉତ୍ତରରେ କୁହାଯାଇଥିଲା ଯେ ୩୦ ଏକର ଜମି ଜବରଦଖଲରେ ରହିଛି। ବିଶ୍ୱବିିଦ୍ୟାଳୟର ପୂର୍ବ ପାର୍ଶ୍ୱ ତଥା ପଥରବନ୍ଧ ବସ୍ତି ନିକଟରେ ୧୫ ଏକର, ଉତ୍ତର ପାର୍ଶ୍ୱ ତଥା ଲକ୍ଷ୍ମୀବିହାର ଅଞ୍ଚଳରେ ୮ ଏକର ଏବଂ ଦକ୍ଷିଣ ପାର୍ଶ୍ୱ ତଥା ଜାତୀୟ ରାଜପଥ-୧୬ ନିକଟରେ ୭ ଏକର ଜମି ଜବରଦଖଲ ହୋଇଛି। ବସ୍ତିବାସିନ୍ଦା, ସାଧାରଣ ଲୋକେ ଦୀର୍ଘ ବର୍ଷ ଧରି ଏହି ଜମିକୁ ଜବରଦଖଲ କରି ରଖିଥିବା ନେଇ ମଧ୍ୟ ତଥ୍ୟ ମିଳିଛି।

କିନ୍ତୁ ସେମାନଙ୍କୁ ହଟାଇବା ଦିଗରେ ସରକାର କୌଣସି ବି ପଦକ୍ଷେପ ନେଇନାହାନ୍ତି। କୁଳପତି ପରେ କୁଳପତି ବଦଳୁଛନ୍ତି। କ୍ୟାମ୍ପସର ଜମି ଚିହ୍ନଟ କରି ପାଚେରି ବୁଲାଇବାକୁ ବି ପ୍ରତିଶ୍ରୁତି ଦେଉଛନ୍ତି। ଜମି ହଡପକୁ ନେଇ ଉଦ୍‌ବେଗ ପ୍ରକାଶ କରୁଛନ୍ତି। କିନ୍ତୁ ଏଭଳି ପ୍ରତିଶ୍ରୁତି ଭିତରେ ୩ ବର୍ଷ ବିତିଯାଉଛି, ବିଶ୍ୱବିିଦ୍ୟାଳୟ ଖାତାକୁ ଫେରିପାରୁନି ଜମି। ଜବରଦଖଲ ତ ହଟିପାରୁନି, ବରଂ ଦିନକୁ ଦିନ ଜମି ମାଫିଆମାନେ ମଧ୍ୟ ନିଜର କର୍ତ୍ତୃତ୍ୱ ବଢ଼ାଇ ଚାଲିଛନ୍ତି। ଧୀରେ ଧୀରେ କ୍ୟାମ୍ପସ ଭିତରକୁ ବି ପ୍ରବେଶ କଲେଣି।

କେଉଁ ଆଡୁ ଅଦୃଶ୍ୟ ଚାପ ପଡୁଛି କି ଆଉ କଣ ଗୁପ୍ତ କାରଣ ରହିଛି, ତାହା ଏବେ ବି ରହସ୍ୟ ଭିତରେ ରହିଛି। ବିଏମ୍‌ସି ଓ ବିଡିଏ ଅଧିକାରୀମାନେ ମଧ୍ୟ ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି। ରାଜନୈତିକ ଚାପରେ ସମସ୍ତେ ଚେପା ହୋଇଯାଉଛନ୍ତି। ଯେଉଁଥିପାଇଁ ବିଶ୍ୱବିଦ୍ୟାଳୟ ଜମି ହଡ଼ପ ବଢ଼ିଚାଲିଛି ବୋଲି ସାଧାରଣରେ ଏକ ଅଭିଯୋଗ ରହିଆସିଛି। ହେଲେ ଏ ରାଜନେତା କିଏ? ଏକଥା କେହି କହୁନାହାନ୍ତି।

ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ମଧ୍ୟ ଜମି ସ୍ଥିତିକୁ ନେଇ ଅବଗତ ରହିଛନ୍ତି। କହିଛନ୍ତି, କାଗଜପତ୍ରରେ ଯେତିକି ଜମି ରହିଛି ସେଥିରୁ ପ୍ରାୟ ୪୦ ଏକର କମ୍‌ ରହିଥିବା ଭୂ-ଲେଖରେ ଉଲ୍ଲେଖ ହୋଇଛି। ଏ ନେଇ ଜଣାପଡ଼ିବା ପରେ ରାଜସ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି। ବିଶ୍ୱବିଦ୍ୟାଳୟରେ ଇଷ୍ଟେଟ୍‌ ଅଫିସର ନାହାନ୍ତି। ଅବସରପ୍ରାପ୍ତ ଅଧିକାରୀଙ୍କ ବଦଳରେ ରାଜସ୍ୱ ବିଭାଗରେ କାର୍ଯ୍ୟରତ ଜଣେ ଇଷ୍ଟେଟ୍‌ ଅଫିସରଙ୍କୁ ନିଯୁକ୍ତି ଦେବାକୁ କୁହାଯାଇଛି। ବିଶ୍ୱବିଦ୍ୟାଳୟ ଜମି ନେଇ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିବା ନେଇ କୁଳପତି ପ୍ରଫେସର ପଟ୍ଟନାୟକ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ବାଣୀବିହାର ୩୯୯ ଏକର ଜମି ଚିହ୍ନଟ କରିବାକୁ ବିଏମ୍‌ସି ଓ ବିଡିଏକୁ ବାରମ୍ବାର ଅନୁରୋଧ କରାଯାଇଛି। ତାହା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇ ନାହିଁ। ଏବେ କେତେକ ସ୍ଥାନରେ ପାଚେରି ଭାଙ୍ଗି ଜବରଦଖଲ କରାଯାଇଥିବା ନେଇ କୁଳପତି ସ୍ୱୀକାର କରିଛନ୍ତି। ଜମି ଚିହ୍ନଟ ହେବା ପରେ ସ୍ଥାୟୀ ପାଚେରି ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ବିଶ୍ୱବିଦ୍ୟାଳୟ ଜମି ଚିହ୍ନଟ ଲାଗି ସମସ୍ତ ପକ୍ଷକୁ ଡକାଯାଇଥିଲା। ବିଶ୍ୱବିଦ୍ୟାଳୟର ଏକ ପ୍ରତିନିଧି ଦଳ, ଲକ୍ଷ୍ମୀବିହାର ଅଞ୍ଚଳର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ମଧ୍ୟ ବିଏମ୍‌ସି ଓ ବିଡିଏ ଅଧିକାରୀମାନେ ଆସି ନ ଥିଲେ। ଜମି ମାପଚୁପ ହୋଇ ପାରି ନ ଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.