‘ପ୍ରଧାନପତି’ ଭଳି ବ୍ୟବସ୍ଥା ନ ଉଠିବା ଯାଏଁ ମହିଳାଙ୍କ ଲାଗି ସଂରକ୍ଷଣର ଯଥାର୍ଥତା ରହିବ ନାହିଁ : ବରୁଣ ଗାନ୍ଧୀ

ଭୁବନେଶ୍ବର:  କନକ ନ୍ୟୁଜ ପକ୍ଷରୁ  ଆୟୋଜିତ ୩ୟ ଓଡିଶା ନିର୍ମାଣ କନକ୍ଲେଭରେ ଯୋଗଦେଇ ବିଜେପି ସାଂସଦ ବରୁଣ ଗାନ୍ଧୀ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ମହିଳା ସଂରକ୍ଷଣ ନେଇ ବିଭିନ୍ନ ଦଳ ସ୍ୱର ଉଠାଉଛନ୍ତି । କିନ୍ତୁ ପ୍ରକୃତରେ ଆମ ଦେଶରେ ଏବେ ବି ମହିଳାମାନଙ୍କ ଜରିଆରେ ତାଙ୍କ ସ୍ୱାମୀମାନେ ରାଜନୀତିରେ କ୍ଷମତା ଦଖଲ କରିଛନ୍ତି । ମୂଳ କଥା ହେଲା ଏବେ ବି ଅନେକ ପଞ୍ଚାୟତରେ ମହିଳା ସରପଞ୍ଚମାନଙ୍କ ସ୍ଥାନରେ ତାଙ୍କର ସ୍ୱାମୀମାନେ କ୍ଷମତା ସମ୍ଭାଳୁଛନ୍ତି । ଏହି ପରମ୍ପରା ବନ୍ଦ ନ ହେବା ଯାଏଁ ମହିଳାଙ୍କ ଲାଗି ସଂରକ୍ଷଣର କୌଣସି ଅର୍ଥ ରହିବ ନାହିଁ।

ସାଂସଦ ବରୁଣ ଗାନ୍ଧୀଙ୍କ କହିବା ମୁତାବକ, ପ୍ରଥମେ ଦେଶର ସମସ୍ତ ପଞ୍ଚାୟତ ବା ତୃଣମୂଳ ସ୍ତରରେ ମହିଳାଙ୍କ ହାତରେ ଶାସନର ଡୋରି ଦେବା ଆବଶ୍ୟକ । ଏହାଦ୍ୱାରା ପଞ୍ଚାୟତରେ ଜଣେ ମହିଳା ପ୍ରତିନିଧି ନିଜେ କ୍ଷମତା ଡ଼ୋରି ସମ୍ଭାଳିବା ଦରକାର । ଆଉ ଖାସ୍ କରି ଦେଶରେ ଯେଉଁ ‘ପ୍ରଧାନପତି’ ପ୍ରଥା ରହିଛି ତାକୁ ହଟାଇବା ଦରକାର ଏବଂ ମହିଳାମାନଙ୍କୁ ପ୍ରତି ପଞ୍ଚାୟତରୁ ହିଁ ପ୍ରଥମେ କ୍ଷମତା ସମ୍ଭାଳିବା ପାଇଁ ଦିଆଯିବା ଦରକାର । ଯାହାଦ୍ୱାରା ପଞ୍ଚାୟତରୁ ବ୍ଲକ ଓ ପରେ ଏହା ଜିଲ୍ଲା ଓ ରାଜ୍ୟରୁ ଦେଶକୁ ସମ୍ଭାଳିବା ପାଇଁ ସକ୍ଷମ ହେବେ । ଏହା ହିଁ ସମ୍ପୂର୍ଣ୍ଣ ଭାରତ ନିର୍ମାଣ କରିବାର ସହାୟକ ହେବ ବୋଲି ମତ ରଖିଛନ୍ତି ବରୁଣ ଗାନ୍ଧୀ ।

ସେହିପରି ଦେଶର ଆଶାନୁରୂପ ବିକାଶ ନ ହେବା ପାଇଁ ସମସ୍ତେ ଦାୟୀ । ତୃଣମୂଳ ସ୍ତରରେ ଏକ ଦୁର୍ନୀତି  ଚାଲିଛି  ଓ ଯଦି ଏହି  ଦୁର୍ନୀତି ସଂସ୍ପର୍ଶରେ ଏକ ଭଲ ଲୋକ ଆସିଯାଏ, ସେ ମଧ୍ୟ ଖରାପ ହୋଇଯାଏ । ତେଣୁ ଏହାକୁ ଧ୍ୟାନ ଦେବା ଦରକାର । କେବଳ ଭାରତୀୟ କ୍ରିକେଟ୍ ମ୍ୟାଚ ଦେଖି ଷ୍ଟାଡ଼ିୟମରେ ତାଳି ମାରିଲେ କିମ୍ବା .କୌଣସି ଦେଶତ୍ମକବୋଧକ ଫିଲ୍ମ ଦେଖି ଖୁସି ହୋଇଗଲେ ଦେଶର ବିକାଶ ହେବ ନାହିଁ ।  ଦେଶର ବିକାଶ ପାଇଁ  ପାଦ ବଢ଼ାଇ ନିଜର ସହଯୋଗ ଦେବା ଆବଶ୍ୟକ ବୋଲି କହିଛନ୍ତି ସାଂସଦ ବରୁଣ ଗାନ୍ଧୀ ।

ସମ୍ବନ୍ଧିତ ଖବର